TV9 Bharatvarsh
ମୁମ୍ବାଇ : ଆଇପିଏଲ୍-୧୫ର ଏକ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ରେ ଶୁକ୍ରବାର ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ (ଆର୍ସିବି)କୁ ୫୪ ରନ୍ରେ ହରାଇ ପଞ୍ଜାବ କିଙ୍ଗ୍ସ ପ୍ଲେ ଅଫ୍ ଆଶାକୁ ଉଜ୍ଜୀବିତ ରଖିଛି। ୧୨ ମ୍ୟାଚ୍ରୁ ମୟଙ୍କ ଅଗ୍ରୱାଲଙ୍କ ଦଳ ୬ ବିଜୟ ସହ ଷଷ୍ଠକୁ ଉଠିଛି। ଅନ୍ୟପକ୍ଷରେ ଚତୁର୍ଥରେ ଅପରିବର୍ତିତ ଥିବା ସତ୍ତ୍ବେ ଆର୍ସିବି ତ୍ରୟୋଦଶ ମ୍ୟାଚ୍ରୁ ଷଷ୍ଠ ପରାଜୟ ସହ ଆଶଙ୍କାରେ ପଡ଼ିଛି। ମାତ୍ର ଗୋଟିଏ ମ୍ୟାଚ୍ ଥିବାରୁ ଆର୍ସିବି ଏବେ ଚିନ୍ତାରେ ପଡ଼ିଛି। ପଞ୍ଜାବ ହାତରେ କିନ୍ତୁ ଆଉ ୨ ମ୍ୟାଚ୍ ରହିଛି। ବ୍ରାବର୍ଣ୍ଣ ଷ୍ଟାଡିୟମ୍ରେ ଖେଳାଯାଇଥିବା ଶୁକ୍ରବାର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୨୦୯ ରନ୍ କରିବା ପରେ ଆର୍ସିବିକୁ ୧୫୫ ରନ୍ରେ ସୀମିତ ରଖି ଦେଇଥିଲା। ଗ୍ଲେନ୍ ମ୍ୟାକ୍ସୱେଲ୍ ସର୍ବାଧିକ ୩୫ ରନ୍ କରିଥିବା ବେଳେ ବିରାଟ କୋହଲି ଏବଂ ରଜତ ପଟିଦାର କେବଳ ୨୦ ଅତିକ୍ରମ କରିପାରିଥିଲେ। ପ୍ରଥମରୁ ଆକ୍ରମଣ କରିଥିବା ଜନି ବେୟାରଷ୍ଟୋ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ ନେଇଥିଲେ।
ଶୁକ୍ରବାର ବାଙ୍ଗାଲୋର୍ (ଆର୍ସିବି) ବୋଲରଙ୍କୁ ଧୂଲେଇ କରିଥିଲେ ଦୁଇ ଇଂଲଣ୍ଡ ବ୍ୟାଟର୍ ଜନି ବେୟାରଷ୍ଟୋ ଓ ଲିଆମ ଲିଭିଙ୍ଗଷ୍ଟୋନ୍। ଉଭୟ ବିଦେଶୀ ଖେଳାଳିଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆର୍ସିବି ବିପକ୍ଷରେ ଚଳିତ ଋତୁର ଉଭୟ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୨୦୦ରୁ ଊର୍ଧ୍ବ ସ୍କୋର୍ କରିଛି। ପ୍ରଥମ ଚରଣ ମୁକାବିଲାରେ ମୟଙ୍କ ଅଗ୍ରୱାଲଙ୍କ ଦଳ ୨୦୮ ରନ୍ କରିଥିବା ବେଳେ ଶୁକ୍ରବାର ୨୦୯ ରନ୍ କରିଛି। ପ୍ରାରମ୍ଭିକ ବ୍ୟାଟର୍ ବେୟାରଷ୍ଟୋ ମାତ୍ର ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୫୦ ରନ୍ ପୂର୍ଣ୍ଣ କରିବାକୁ ଲିଭିଙ୍ଗଷ୍ଟୋନ୍ ୩୫ ବଲ୍ ଖେଳିଥିଲେ। ଉଭୟ ମିଳିତ ଭାବେ ୧୧ ଛକା ମାରିଥିଲେ। ବେୟାରଷ୍ଟୋଙ୍କ ପ୍ରାରମ୍ଭିକ ଆକ୍ରମଣ କାରଣରୁ ପଞ୍ଜାବ କିଙ୍ଗ୍ସ ପ୍ରଥମ ୬ ଓଭରରେ ୮୩ ରନ୍ ସଂଗ୍ରହ କରି ଚଳିତ ବର୍ଷର ସର୍ବୋଚ୍ଚ ପାୱାରପ୍ଲେ ସ୍କୋର୍ କରିଥିଲା। ଆର୍ସିବିର ଦୁଇ ଦୁଇ ବୋଲର୍ ପାଲଟା ବୋଲିଂ କରିଥିଲେ। ୱାନିନ୍ଦୁ ହସରଙ୍ଗା ଏବଂ ହର୍ଷଲ ପଟେଲ୍ ମିଳିତ ଭାବେ ୮ ଓଭରରେ ୪୯ ରନ୍ ଦେଇଥିଲେ। ଦୁଇ ଦ୍ରୁତ ବୋଲର ଜୋସ୍ ହାଜେଲ୍ଉଡ୍ ଓ ମହମ୍ମଦ ସିରାଜ କିନ୍ତୁ ମିଳିତ ଭାବେ ୬ ଓଭରରେ ୧୦୦ ରନ୍ ବ୍ୟୟ କରିଥିଲେ। ୧୯ତମ ଓଭରରେ ୨୪ ରନ୍ ଆଦାୟ କରିଥିବା ପଞ୍ଜାବ କିନ୍ତୁ ଶେଷ ଓଭରରେ ୩ ୱିକେଟ୍ ହରାଇବା ସହ ମାତ୍ର ୪ ରନ୍ ଯୋଡ଼ିପାରିଥିଲା।
Follow Us