ନୂଆ ରୂପରେ ପଞ୍ଜାବ କିଙ୍ଗ୍ସ

ନୂଆ ରୂପରେ ପଞ୍ଜାବ କିଙ୍ଗ୍ସ

ଚଣ୍ଡିଗଡ଼: ଆଇପିଏଲ୍-୧୪ର ମାତ୍ର କିଛି ମାସ ପୂର୍ବରୁ କିଙ୍ଗ୍ସ ଏକାଦଶ ପଞ୍ଜାବ ତା’ର ନାଁ, ଲୋଗୋ, ଜର୍ସି ସବୁକିଛି ବଦଳାଇ ଦେଇଥିଲା। ଏବେ ଏହି ଦଳ ପଞ୍ଜାବ କିଙ୍ଗ୍ସ ନାମରେ ପରିଚିତ ହେଉଛି। ନୂଆ ରଙ୍ଗରୂପରେ ସଫଳତାର ନୂଆ ସ୍ତର ଛୁଇଁବା ଆଶାରେ ଦଳ ଏଭଳି କରିଥିବା ଅନୁମାନ କରାଯାଉଛି। ଆଇପିଏଲ୍‌ର ଗତ ୬ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ଶ୍ରେଷ୍ଠ ୪ ଦଳ ମଧ୍ୟରେ ଅଭିଯାନ ଶେଷ କରୁଥିଲେ ମଧ୍ୟ ସ୍ବପ୍ନର ଆଇପିଏଲ୍ ଟ୍ରଫି ଜିତି ପାରିନାହିଁ। ୨୦୦୮ ମସିହାରୁ ଆଇପିଏଲ୍ ଖେଳି ଆସୁଥିଲେ ବି ଦୁର୍ଭାଗ୍ୟଜନକ ଭାବେ ଏହି ଦଳ ଏପର୍ଯ୍ୟନ୍ତ ଥରେ ହେଲେ ବି ବି‌ଜେତା ଆଖ୍ୟା ଅର୍ଜନ କରିପାରିନାହିଁ। ଏଥର କେଏଲ୍ ରାହୁଲଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗ୍ସ ସେଥିପାଇଁ ନିଜ ଟ୍ରଫି ମରୁଡ଼ି ଦୂର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ। ଏବର୍ଷ କିନ୍ତୁ ସର୍ବଦା ଚର୍ଚ୍ଚାରେ ରହୁଥିବା ଏହି ଦଳ କିଛି ଦକ୍ଷ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ପାଇଁ ପ୍ରଥମ ଥର ଟାଇଟଲ ଜିତିବାର ସମ୍ଭାବନା ଅଧିକ ରହିଛି। କିଛି ପ୍ରତିଭାଶାଳୀ ଅଣଅନ୍ତର୍ଜାତୀୟ ଖେଳାଳି ଯଥା ଦୀପକ ହୁଦା, ଜଳଜ ସକ୍ସେନା, ଈଶାନ ପୋରେଲ, ମୁରୁଗାନ ଅଶ୍ବିନ, ସର୍ଫରାଜ ଖାନ୍, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ ପ୍ରମୁଖ ଏହି ଦଳର ବଡ଼ ଶକ୍ତି।

ଅନ୍ତର୍ଜାତୀୟ ତାରକାଙ୍କ ମଧ୍ୟରେ ଖୋଦ୍ ରାହୁଲଙ୍କ ସହ ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ନିକୋଲାସ ପୂରନ, ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତାର ଏକ ନମ୍ବର ବ୍ୟାଟର୍‌ ଦାୱିଦ ମଲାନଙ୍କ ଭଳି ଖେଳାଳି ଯେ କୌଣସି ପ୍ରତିପକ୍ଷକୁ ଧୂଳି ଚଟାଇବାକୁ ପୂରା ସକ୍ଷମ। ସେହିଭଳି ମହମ୍ମଦ ସାମି, ଝେ ରିଚାର୍ଡସନ୍, ରିଲେ ମେରେଡିଥ୍, ଅଲରାଉଣ୍ଡର କ୍ରିସ୍ ଜୋର୍ଡାନ ପ୍ରମୁଖଙ୍କୁ ନେଇ ଏହି ଦଳର ବୋଲିଂ ବାହିନୀ ବି ବେଶ୍ ଶକ୍ତିଶାଳୀ। ପଞ୍ଜାବ ତା’ର ଅଧିକାଂଶ ମ୍ୟାଚ୍ ବ୍ୟାଟିଂ ଉପଯୋଗୀ ମୁମ୍ବାଇ ଓ ବେଙ୍ଗାଲୁରୁରେ ଖେଳିବା ମଧ୍ୟ ଏହି ଦଳ ସପକ୍ଷରେ ଯାଇପାରେ। କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେ, ଆଣ୍ଡି ଫ୍ଲାୱାର, ୱାସିମ୍ ଜାଫର, ଦାମିଏନ୍ ରାଇଟ୍, ଜଣ୍ଟି ରୋଡ୍‌ସଙ୍କ ଭଳି ଜଣାଶୁଣା ଓ ନାମକରା କ୍ରିକେଟ୍ ବିଶେଷଜ୍ଞ ଏହି ଦଳର ପ୍ରଶିକ୍ଷକ ମଣ୍ଡଳିରେ ଅଛନ୍ତି।

ଦଳ: କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ନିକୋଲାସ ପୂରନ, ସର୍ଫରାଜ ଖାନ୍, ମହମ୍ମଦ ସାମି, ମୁରୁଗାନ ଅଶ୍ବିନ, ଅର୍ଶଦୀପ ସିଂହ, ହର୍ଷଲ ବ୍ରାର୍‌, ଦର୍ଶନ ନାଲକଣ୍ଡେ, ଦୀପକ ହୁଦା, ଈଶାନ ପୋରେଲ, ରବି ବିଷ୍ଣୋଇ, ପ୍ରଭସିମରନ୍ ସିଂହ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝେ ରିଚାର୍ଡସନ୍, ଶାହରୁଖ ଖାନ୍, ରିଲେ ମେରେଡିଥ୍, ମୋଜେସ ହେନରିକ୍ସ, ଜଳଜ ସକ୍ସେନା, ଉତ୍କର୍ଷ ସିଂହ, ଫାବିଏଲ ଆଲେନ, ସୌରଭ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe