ପଞ୍ଜାବର ହ୍ୟାଟ୍ରିକ୍‌ ବିଜୟ

Advertisment
ପଞ୍ଜାବର ହ୍ୟାଟ୍ରିକ୍‌ ବିଜୟ

Hindustan Times

ଆବୁଧାବି: ଶିଖର ଧାୱନଙ୍କ କୀର୍ତ୍ତିମାନ ଭରା କ୍ରମାଗତ ଶତକ ସତ୍ତ୍ବେ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ମଙ୍ଗଳବାର ମ୍ୟାଚ୍‌କୁ ଜିତିପାରିନାହିଁ। ଧାୱନ ପୁଣି ଥରେ ମାତ୍ର ୫୭ ବଲ୍‌ରୁ ଶତକ ହାସଲ କରିଥିଲେ ମଧ୍ୟ ତାଙ୍କ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟ୍ ବିନିମୟରେ ୧୬୪ ରନ୍‌ କରି ବଡ଼ ସ୍କୋର୍‌ ଛିଡ଼ା କରିବାରେ ବିଫଳ ହୋଇଥିଲା। ଏହି ସ୍କୋର୍‌କୁ କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ସହଜରେ ହାସଲ କରି ନେଇଥିଲା। ଦଶମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ କେଏଲ୍ ରାହୁଲଙ୍କ ଦଳ ସପ୍ତମରୁ ପଞ୍ଚମକୁ ଲମ୍ଫ ମାରି ପ୍ଲେ ଅଫ୍‌ ଦୌଡ଼ରେ ସାମିଲ ହୋଇଛି। ଅନ୍ୟପକ୍ଷରେ ଶୀର୍ଷରେ ଥିବା ଦିଲ୍ଲୀର ପ୍ଲେ ଅଫ୍‌ ଯୋଗ୍ୟତା ବିଳମ୍ବିତ ହୋଇଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଧାୱନଙ୍କ ଛଡ଼ା ଅନ୍ୟ କେହି ତିଷ୍ଠି ନ ଥିଲେ। ପୃଥ୍ବୀ ସ’ (୭), ଶ୍ରେୟସ ଆୟର (୧୪), ଋଷବ ପନ୍ତ (୧୪), ମାର୍କସ ଷ୍ଟୋଇନିସ୍ (୯) ଏବଂ ସିମରନ୍‌ ହେଟମାୟର୍ (୧୦) ଧାୱନଙ୍କ ସହ ବଡ଼ ଭାଗୀଦାରି ଗଢ଼ି ପାରିନଥିଲେ। ଧାୱନ କିନ୍ତୁ ନିଜ ବହୁ ପ୍ରତୀକ୍ଷିତ ଟି-୨୦ ଶତକ ଭୋକକୁ ୩ ଦିନ ଭିତରେ ଦୁଇ ଥର ହାସଲ କରି ନେଇଥିଲେ। ପାଳି ସାରା ଅପରାଜିତ ରହି ଧାୱନ ୬୧ ବଲ୍‌ରୁ ୧୨‌ ଚୌକା, ୩ ଛକା ସହ ୧୦୬* ରନ୍‌ କରିଥିଲେ। ଭାଗୀଦାରି ଅଭାବରୁ ଦିଲ୍ଲୀ ମଧ୍ୟ ଶେଷ ୩ ଓଭରରୁ ମାତ୍ର ୨୫ ରନ୍ ଆଦାୟ କରି ଲଢ଼ୁଆ ସ୍କୋର୍‌ ଛିଡ଼ା କରିପାରିନଥିଲା।

ଜବାବରେ ପଞ୍ଜାବ ପାଇଁ ସଫଳ ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ (୧୫) ଏବଂ ମୟଙ୍କ ଅଗ୍ରୱାଲ୍‌ (୫) ପ୍ରଥମ ଥର ପାଇଁ ଏକାଠି ବିଫଳ ହୋଇଥିଲେ। କିନ୍ତୁ ଦୁଇ ୱେଷ୍ଟଇଣ୍ଡିଜ୍ ତାରକା କ୍ରିସ୍ ଗେଲ୍ (୨୯, ୧୩ ବଲ୍‌), ନିକୋଲସ୍ ପୂରନ (୫୩, ୨୮ ବଲ୍‌) ଏବଂ ସଂଘର୍ଷରତ ଗ୍ଲେନ୍ ମ୍ୟାକ୍ସୱେଲ୍‌ (୩୨, ୨୪ ବଲ) ଉପଯୋଗୀ ପାଳି ଖେଳି ମ୍ୟାଚ୍‌କୁ ଏକତରଫା କରି ଦେଇଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ତୁ‌ଷାର ଦେଶପାଣ୍ଡେଙ୍କଠାରୁ କ୍ରିସ୍ ଗେଲ୍ ୨୬ ରନ୍ (୪, ୪,୬,୪,୬, ୧ୱାଇଡ୍‌, ୧) ଆଦାୟ କରିବା ପଞ୍ଜାବକୁ ଆଉ ପଛକୁ ଫେରିବାକୁ ‌ଦେଇନଥିଲା। ଶେଷକୁ ଦୀପକ ହୁଦା ଏବଂ ଜିମ୍ମି ନିସାମ ଗୋଟିଏ ଓଭର ପୂର୍ବରୁ ମ୍ୟାଚ୍‌ ସାରିଥିଲେ। ଡାନିଏଲ୍‌ ସାମ୍ସଙ୍କୁ ମିଡ୍‌ୱିକେଟ୍‌ ଉପରେ ଛକା ମାରି ନିସାମ ପଞ୍ଜାବକୁ ବିଜୟୀ କରାଇଥିଲେ। ପରାଜୟ ପାର୍ଶ୍ବରେ ରହି ଶିଖର ଧାୱନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦିଲ୍ଲୀ ଅଧିକ ରନ୍‌ କରିନପାରିବା ଏବଂ ଏକାଧିକ କ୍ୟାଚ୍‌ ହାତଛଡ଼ା କରିବାରୁ ଏହି ପରାଜୟ ବରଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe