PV Sindhu loses in Malaysia Open semifinal Photograph: (sambad.in)
କ୍ବାଲାଲୁମ୍ପୁର: ଭାରତର ତାରକା ବ୍ୟାଡମିଣ୍ଟନ ଖେଳାଳି ତଥା ଅଲିମ୍ପିକ୍ସ ପଦକ ବିଜୟିନୀ ପି.ଭି.ସିନ୍ଧୁ ମାଲେସିଆ ଓପନ ସୁପର ୧୦୦୦ର ମହିଳା ସେମିଫାଇନାଲରେ ପରାଜିତ ହୋଇଛନ୍ତି। ସେ ଚୀନ ଖେଳା​ଳି ତଥା ବିଶ୍ବ ନଂ୨ ଓ୍ବାଙ୍ଗ ଝିୟିଙ୍କ ଠାରୁ ସିଧାସଳଖ ସେଟରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ଓ୍ବାଙ୍ଗ ଝିୟିଙ୍କ ଠାରୁ ହାରିଲେ ସିନ୍ଧୁ
ଦୁଇଥର ଅଲମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ଶନିବାର ଅନୁଷ୍ଠିତ ସେମିଫାଇନାଲରେ ଓ୍ବାଙ୍ଗ ଝିୟିଙ୍କ ଠାରୁ ୧୬-୨୧, ୧୫-୨୧ ସେଟରେ ହାରିଯାଇଛନ୍ତି। ଉଭୟ ଗେମରେ ସିନ୍ଧୁ ପ୍ରାରମ୍ଭିକ ଅଗ୍ରଣୀ ହାସଲ କରିଥିଲେ ବି ଝିୟିଙ୍କ ସାମନାରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଏହା ସହିତ ମ୍ୟାଚର କେତେକ ଗୁରୁତ୍ବପୂର୍ଣ୍ଣ କ୍ଷଣରେ ସେ ତ୍ରୁଟି କରିବା ପରେ ଝିୟି ତାହାର ସୁଯୋଗ ନେଇଥିଲେ। ଦ୍ବିତୀୟ ଗେମରେ ସିନ୍ଧୁ ୧୧-୬ରେ ଆଗୁଆ ଥିଲେ ବି ଚୀନ ଖେଳାଳି ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ଓ ଗେମକୁ ୧୫-୨୧ରେ ଜିତିବା ସହ ମ୍ୟାଚକୁ ଜିତିନେଇଥିଲେ।
ଗୋଡ଼ରେ ଯନ୍ତ୍ରଣା କାରଣରୁ ସିନ୍ଧୁ ଗତ ଅକ୍ଟୋବର ପରଠାରୁ ବ୍ୟାଡମିଣ୍ଟନ କୋର୍ଟରୁ ଦୂରେଇ ରହିଥିଲେ । ଆରୋଗ୍ୟ ହେବା ପରେ ଏହା ଥିଲା ତାଙ୍କର ପ୍ରଥମ ଟୁର୍ଣ୍ଣାମେଣ୍ଟ । ବେଶ କିଛିଦିନର ବ୍ୟବଧାନରେ ଫେରିଥିଲେ ବି ଏହି ଟୁର୍ଣ୍ଣାମେଣ୍ଟରେ ସେ ଭଲ ପ୍ରଦର୍ଶନ କରିଥିଲେ । କିନ୍ତୁ ଆଜିର ପରାଜୟ ସହ ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି । ପୁରୁଷ ବର୍ଗରେ ଲକ୍ଷ୍ୟ ସେନ ଓ ଆୟୁଷ ସେଟ୍ଟି ପ୍ରି-କ୍ବାର୍ଟରଫାଇନାଲରେ ହାରି ପୂର୍ବରୁ ହିଁ ବିଦାୟ ନେଇସାରିଛନ୍ତି ।
ଆହୁରି ପଢ଼ନ୍ତୁ: Restaurant Staff Caught Spitting On Roti: ଛେପ ପକାଇ ରୁଟି ସେକିଲେ ରୋଷେୟା, ଗିରଫ କଲା ପୁଲିସ
Follow Us