ରାଉରକେଲା: ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଚାଲିଥିବା ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ ପୁରୁଷ ହକି ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ ସୂଚୀ ଚୂଡ଼ାନ୍ତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ସମସ୍ତ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ। ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ମୁହାଁମୁହିଁ ହେବାକୁ ଥିବାବେଳେ ଦ୍ବିତୀୟମ୍ୟାଚ୍‌ରେ ମହାତ୍ମାଗାନ୍ଧୀ କାଶୀ ବିଦ୍ୟାପୀଠ ଓ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ, ତୃତୀୟରେ ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ ଓ ବର୍କାତୁଲ୍ଲା ବିଶ୍ବବିଦ୍ୟାଳୟ ଏବଂ ଅନ୍ତିମମ୍ୟାଚ୍‌ରେ ଜୈନ ବିଶ୍ବବିଦ୍ୟାଳୟ ଓ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ମଧ୍ୟରେ ଲଢ଼େଇ ହେବ।

Advertisment

ଆହୁରି ପଢ଼ନ୍ତୁ: Accident: ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ମହିଳା ସମେତ ୬ ‘ଏସ୍‌ୟୁଭି’ ଯାତ୍ରୀ ମୃତ, ୩ ଆହତ

ପୂର୍ବ ଦୁଇ ମ୍ୟାଚ୍‌ ଭଳି ଆଜି ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟର ଦବ୍‌ଦବା ଦେଖିବାକୁ ମିଳିଥିଲା। ଦଳ ଏକତରଫା ଭାବେ ୫-୦ ଗୋଲ୍‌ରେ ପଞ୍ଜାବୀ ବିଶ୍ବବିଦ୍ୟାଳୟକୁ ପରାସ୍ତକରି ପ୍ରଥମ ଦଳଭାବେ କ୍ବାର୍ଟର ଫାଇନାଲକୁ ଉନ୍ନୀତ ହୋଇଛି। ଦ୍ବିତୀୟ ମ୍ୟାଚ୍‌ରେ ଏମ୍‌ଏସ୍‌ ବିଶ୍ବବିଦ୍ୟାଳୟ ୫-୧ ଗୋଲ୍‌ରେ ସାବିତ୍ରୀବାଈ ଫୁଲେ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିବାବେଳେ ତୃତୀୟ ମ୍ୟାଚ୍‌ରେ ବୀର ବାହାହୂର ସିଂହ ପୂର୍ବାଞ୍ଚଳ ବିଶ୍ବବିଦ୍ୟାଳୟ ୭-୨ ଗୋଲ୍‌ରେ ଏଲ୍‌ଏନ୍‌ଆଇପିଇ ଗ୍ବାଲିୟର୍‌କୁ, ଜୈନ ବିଶ୍ବବିଦ୍ୟାଳୟ ୬-୪ ଗୋଲ୍‌ରେ କୁରୁକ୍ଷେତ୍ର ବିଶ୍ବବିଦ୍ୟାଳୟକୁ, ଏସ୍‌ଆର୍‌ଏମ୍‌ ବିଶ୍ବବିଦ୍ୟାଳୟ ୭-୪ ଗୋଲରେ ଗୁରୁକୁଳ କାଙ୍ଗ୍ରି ବିଶ୍ବବିଦ୍ୟାଳୟକୁ, ଲଭ୍‌ଲି ପ୍ରଫେସନାଲ ବିଶ୍ବବିଦ୍ୟାଳୟ ୩-୨ ଗୋଲ୍‌ରେ କିଟ୍‌ ଓ ବେଙ୍ଗାଲୁରୁ ସିଟି ବିଶ୍ବବିଦ୍ୟାଳୟ ୪-୦ ଗୋଲରେ ଆର୍‌ଟି ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଛନ୍ତି। ତେବେ ଏମ୍‌ଜି କାଶୀ ବିଦ୍ୟାପୀଠ ଓ ବର୍କାତୁଲ୍ଲା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୧-୧ ଗୋଲ୍‌ରେ ଅମୀମାଂସିତ ରହିଥିଲା।