Cricket Australia
ଦୁବାଇ: ଦକ୍ଷିଣ ଆଫ୍ରିକୀୟ ଦ୍ରୁତ ବୋଲର କାଗିସୋ ରବାଦା ଦୀର୍ଘଦିନର ବ୍ୟବଧାନ ପରେ ରବିବାର କ୍ରିକେଟ୍ ପଡ଼ିଆକୁ ଓହ୍ଲାଇବେ। ଦିଲ୍ଲୀ ଚୂଡ଼ାନ୍ତ ଏକାଦଶରେ ରହିଲେ ପୁଣି ଥରେ ନିଜ ଯାଦୁ ଦେଖାଇବେ। ତେବେ ଜଣେ ଦ୍ରୁତ ବୋଲର ହୋଇଥିବାରୁ ଲାଳ ପ୍ରୟୋଗ ଉପରେ କରୋନା ସଙ୍କଟ ପାଇଁ ଲାଗିଥିବା କଟକଣା ତାଙ୍କୁ ଚିନ୍ତାରେ ପକାଇଛି। ବଲ୍କୁ କିଭଳି ଚିକ୍କଣ ଓ ଚମକ କରିବେ, ସେ କଥା ଅନ୍ୟମାନଙ୍କ ଭଳି ତାଙ୍କ ପାଇଁ ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସେଥିପାଇଁ ରବାଦା ଏବେ ବିକଳ୍ପ ସନ୍ଧାନରେ ରହିଛନ୍ତି। ତେବେ ପିଚ୍ର ସ୍ବଭାବକୁ ଦେଖି ତଦନୁଯାୟୀ ବୋଲିଂ କରିବା ଉପରେ ସେ ଅଧିକ ଜୋର ଦେଇଛନ୍ତି।
ଅବଶ୍ୟ କ୍ରିକେଟ୍ ପଡ଼ିଆକୁ ଫେରିବାକୁ ସେ ଆଦୌ ବ୍ୟସ୍ତ ନଥିଲେ ବୋଲି ମତ ପ୍ରକାଶ କରିଛନ୍ତି ସେ। ଏଥିନେଇ ରବାଦା କହିଛନ୍ତି ଯେ ଗତ ୫ରୁ ୬ ବର୍ଷ ହେବ ମୁଁ ସବୁ ଫର୍ମାଟରେ ଖେଳିଆସୁଛି। ଲକଡାଉନ ପାଇଁ ମୁଁ ଯେଉଁ ସବୁ କାର୍ଯ୍ୟକରିବାର ସୁଯୋଗ ପାଉନଥିଲି, ତାହା କରିପାରିଥିଲି। ଏବେ କିନ୍ତୁ କ୍ରିକେଟ୍କୁ ଫେରୁଥିବାରୁ ବହୁତ ଖୁସି ଲାଗୁଛି। ସେହିଭଳି ଏବର୍ଷର ଆଇପିଏଲ୍ ଅନ୍ୟସମସ୍ତ ଆଇପିଏଲଠାରୁ ଭିନ୍ନ ଥିବା ସେ ସ୍ବୀକାର କରିଛନ୍ତି। ଜୈବ ସୁରକ୍ଷିତ ବଳୟ, ସଙ୍ଗରୋଧ ଭଳି କଥା ତାଙ୍କ ସାହସ ଓ ଆତ୍ମବିଶ୍ବାସକୁ ଆହୁରି ବଢ଼ାଇଛି। ଦିଲ୍ଲୀ ପକ୍ଷରୁ ଖେଳିବାକୁ ସେ ଏବେ ପୂରା ପ୍ରସ୍ତୁତ ବୋଲି ରବାଦା କହିଛନ୍ତି। ଅଧିନାୟକ ଶ୍ରେୟସ୍ ଆୟରଙ୍କୁ ୧୯ ବର୍ଷରୁ କମ୍ କ୍ରିକେଟ୍ ଦିନରୁ ଚିହ୍ନି ଥିବାରୁ ତାଙ୍କ ଅଧୀନରେ ଖେଳିବା ଆଦୌ ଅସହଜ ହେବନି ବୋଲି ମଧ୍ୟ ସେ ମନ୍ତବ୍ୟ ଦେଇଛନ୍ତି।
Follow Us