ଦିନମଜୁରିଆଙ୍କ ଝିଅର ଦୌଡ଼କୁଦ ସ୍ବପ୍ନ: ଜଟଣୀ ଜନ୍ମସ୍ଥଳୀ, ବରଗଡ଼ କର୍ମସ୍ଥଳୀ

Advertisment

ନମିତା ‘ଲମ୍ବା ଦୂର’ ଧାବିକା

ନମିତା ‘ଲମ୍ବା ଦୂର’ ଧାବିକା

ଦିନମଜୁରିଆଙ୍କ ଝିଅର ଦୌଡ଼କୁଦ ସ୍ବପ୍ନ: ଜଟଣୀ ଜନ୍ମସ୍ଥଳୀ, ବରଗଡ଼ କର୍ମସ୍ଥଳୀ

ଭୁବନେଶ୍ବର: (ଦେବାଶିଷ ସୁନ୍ଦରାୟ): ଟଙ୍କା ପଇସାର ଘୋର ଅଭାବ ପାଇଁ ଚାରି ଭାଇଙ୍କ ପାଠ ପଢ଼ାରେ ଅଧାରୁ ଡୋରି ବନ୍ଧା ହୋଇଥିଲା। ଏକମାତ୍ର ଭଉଣୀ ନମିତା କିନ୍ତୁ ହାର ମାନି ନଥିଲେ। ଛୋଟବେଳୁ ହିଁ ପାଠ ପଢ଼ା ସହ ଖେଳ ପଡ଼ିଆରେ କିଛି ଗୋଟାଏ କମାଲ କରିବାର ସ୍ବପ୍ନ ଦେଖୁଥିଲେ ସେ। ବଡ଼ ହେବା ବାଟରେ ଅନେକ ଝଡ଼ ଝଞ୍ଜା ଆସିଥିଲା, ହେଲେ କୌଣସି ପରିସ୍ଥିତିରେ ସ୍ବପ୍ନ ଦେଖିବା ଛାଡ଼ି ନଥିଲେ ନମିତା। ପ୍ରଚଣ୍ଡ ପ୍ରତିଭାବାନ ଧାବିକା ଭାବେ ବିଦ୍ୟାଳୟସ୍ତରରେ ବଢ଼ିଆ ପ୍ରଦର୍ଶନ ଦେଇ ଚାଲିଥିଲେ। ଜାତୀୟସ୍ତରରେ ବି ସଫଳ ହୋଇଥିଲେ। ଜଣେ ଦିନମଜୁରିଆଙ୍କ ଝିଅ ହୋଇଥିଲେ ମଧ୍ୟ କଠିନ ପରିଶ୍ରମ ଓ ନିରନ୍ତର ଅଧ୍ୟବସାୟ ବଳରେ ଦିନେ ନା ଦିନେ ଭାରତର ପ୍ରତିନିଧିତ୍ବ କରିବା ଜିଦ୍‌ରେ ଅଟଳ ରହିଥିଲେ। ଏବେ ସେହି ଲକ୍ଷ୍ୟକୁ ପୂରଣ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଜଟଣୀ ଅଞ୍ଚଳର ଏହି ସାହସୀ ଝିଅ, ନମିତା ପ୍ରଧାନ।

ଜଟଣୀ ଜନ୍ମସ୍ଥଳୀ, ବରଗଡ଼ କର୍ମସ୍ଥଳୀ
ଓଡ଼ିଶା ‘ଲମ୍ବ ଦୂର’ ଦୌଡ଼ର ଉଦୀୟମାନ ନାୟିକା ନମିତାଙ୍କ ପିଲାବେଳ ନାହିଁ ନାହିଁରେ ପରିବାରରେ କଟିଛି। ଖୋର୍ଧା ଜିଲ୍ଲାର ଜଟଣୀ ବ୍ଲକ୍ ସ୍ଥିତ ଉପରବସ୍ତ ଗାଁରେ ତାଙ୍କ ଜନ୍ମ। ବାପା ପ୍ରମୋଦ ପ୍ରଧାନ ଦିନମଜୁରିଆ, ସେଥିପାଇଁ ୭ ଜଣିଆ ପରିବାର ପାଇଁ ଚଳିବା କାଠିକର ପାଠ ଥିଲା। ପଢ଼ିବା ଓ ଖେଳିବା କଥା ପଚାରେ କିଏ। ଏଭଳି ସ୍ଥିତିରେ ନମିତା ପ୍ରଥମେ ନିଜ ଗାଁ ସ୍କୁଲ ଉପରବସ୍ତ ପ୍ରାଥମିକ ବିଦ୍ୟାଳୟ ଓ ପରେ ଜଟଣୀ ଉଚ୍ଚବିଦ୍ୟାଳୟ ପ୍ରତିନିଧିତ୍ବ କରି ସଫଳତା ପାଇଥିଲେ। ଏହା ପରେ ଜାତୀୟସ୍ତରୀୟ ବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ। ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ସଂସ୍ପର୍ଶରେ ଆସିବା ପରେ ବରଗଡ଼ ଜିଲ୍ଲା ଯାଇ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କଠାରୁ ପ୍ରଶିକ୍ଷଣ ନେଇଥିଲେ। ଶିବ ସାର୍‌ଙ୍କ ପାଖକୁ ଯିବାକୁ ଦୂତି ହିଁ ତାଙ୍କୁ ପରାମର୍ଶ ଦେଇଥିଲେ। ଶିବ ସାର୍‌ଙ୍କୁ ଦେଖା ହେବା ପରେ ନମିତା ତାଙ୍କ ଘରେ ରହି ଅଭ୍ୟାସ କରିବା ସହ ପରବର୍ତୀ ସମୟରେ ବରଗଡ଼ ଜିଲ୍ଲାର ପ୍ରତିନିଧିତ୍ବ କରି ରାଜ୍ୟସ୍ତରରେ ସଫଳତା ପାଇଥିଲେ। ସଂପ୍ରତି ସେ ବରଗଡ଼ର ବିକାଶ ମହାବିଦ୍ୟାଳୟରେ ବାଣିଜ୍ୟ ପରିଚାଳନାରେ ସ୍ନାତକ ଶିକ୍ଷା ଲାଭ କରୁଛନ୍ତି। ଓଡ଼ିଶାରେ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ଲାଗି ସେ ମଧ୍ୟ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ଏହାର ଠିକ୍ ପୂର୍ବରୁ ଆଘାତପ୍ରାପ୍ତ ହେବାରୁ ଏଥିରେ ଅଂଶଗ୍ରହଣ କରି ପାରି ନଥିଲେ। ଶିବଙ୍କ ପରାମର୍ଶ ଓ ମାର୍ଗଦର୍ଶନରେ ସେ ଏବେ ଅନ୍ତର୍ଜାତୀୟ ତାରକା ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମଙ୍କ ଭଳି ଖେଳାଳିଙ୍କ ସହ ଭୁବନେଶ୍ବରରେ ମଧ୍ୟ ଅଭ୍ୟାସ କରୁଛନ୍ତି।

ନମିତା ‘ଲମ୍ବା ଦୂର’ ଧାବିକା
ପୁଅପିଲାମାନେ ଅଧାରୁ ଅଟକି ଯାଉଥିଲା ବେଳେ ଝିଅ ହୋଇ ତୁ କ’ଣ କରିବୁ ବୋଲି? ନମିତାଙ୍କୁ ବାରମ୍ବାର ଏକଥା କହୁଥିଲେ ପରିବାରବର୍ଗ। ସେ କିନ୍ତୁ ନିଜ ସ୍ବପ୍ନକୁ ଅନୁସରଣ କରିଥିଲେ। ଏହାକୁ ସାକାର କରିବାରେ ଲାଗି ପଡ଼ିଥିଲେ। ଠିକ୍ ଏତିକି ବେଳେ ତାଙ୍କୁ ମିଳି ଯାଇଥିଲା ଦୌଡ଼କୁଦ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ରଙ୍କ ସହଯୋଗ। ଶିବ ସାର୍ ତାଙ୍କୁ କେବଳ ମାଗଣା ପ୍ରଶିକ୍ଷଣ ଦେଇ ନଥିଲେ, ନିଜ ଘରେ ରଖି କ୍ରୀଡ଼ା ଜୀବନକୁ ଆଗେଇ ନେବାର ନିୟମିତ ପ୍ରେରଣା ଓ ପ୍ରୋତ୍ସାହନ ଦେଇଚାଲିଥିଲେ। ଦୁର୍ଭାଗ୍ୟଜନକ ଭାବେ ଏକ କ୍ରୀଡ଼ା ପ୍ରତିଯୋଗିତା ବେଳେ ନମିତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏଥିରୁ ଠିକ୍ ହେବା ଲାଗି ପାଖାପାଖି ଦୁଇ ବର୍ଷ ଲାଗି ଯାଇଥିଲା। ତଥାପି ସେ ସାହସର ସହ ଖେଳ ପଡ଼ିଆକୁ ପ୍ରତ୍ୟାବର୍ତନ କଲେ। ଗତ ୭ ବର୍ଷ ଧରି ରାଜ୍ୟ ଦୌଡ଼କୁଦର ୮୦୦ ଓ ୧୫୦୦ ମିଟରରେ ସ୍ବର୍ଣ୍ଣ ପଦକ ଜିତି ସାରିଛନ୍ତି ସେ। ରିଲାଏନ୍ସ ଫାଉଣ୍ଡେସନର ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ପଦକ ଜିତିବା ସହ ଚଳିତ ବର୍ଷର ଫେଡେରେସନ୍ କପ୍ ଓ ଇଣ୍ଡିଆନ୍ ଗ୍ରାଁ ପ୍ରି-୩ ପାଇଁ ଯୋଗ୍ୟତା ହାସଲ କରିଥିଲେ ନମିତା। କରୋନା ଆତଙ୍କ ପାଇଁ ଏହି ଦୁଇଟି କ୍ରୀଡ଼ା ପ୍ରତିଯୋଗିତା ସ୍ଥଗିତ ହୋଇଯିବା ତାଙ୍କ ପାଇଁ ଏକ ବଡ଼ ଧକ୍କା ହୋଇଛି। ଆଗକୁ କିନ୍ତୁ ସେ ଲମ୍ବ ଦୂର ବା ଲଙ୍ଗ ଡିଷ୍ଟାନ୍ସ ରନ୍‌ରେ ଭାରତ ପାଇଁ ପଦକ ଜିତିବାକୁ ଲକ୍ଷ୍ୟ କରି ଆଗକୁ ବଢ଼ି ଚାଲିଛନ୍ତି।

ଭାରତ ପାଇଁ ପଦକ ଜିତିବା ଲକ୍ଷ୍ୟ
‘‘ଆଗରୁ ମୋତେ ମୋ ପରିବାର ଆଦୌ ସମର୍ଥନ କରୁ ନଥିଲା। ଏବେ କିଛି ମାତ୍ରାରେ ବୁଝିଲେଣି। ତଥାପି ପୂର୍ଣ୍ଣ ସମର୍ଥନ ମିଳୁନି। ସବୁବେଳେ ଆର୍ଥିକ ଅନଟନ ଲାଗି ରହୁଛି। ଏସବୁକୁ ପ୍ରତିହତ କରି ମୋତେ କିନ୍ତୁ ଆଗକୁ ବଢ଼ିବାକୁ ହେବ। ଶିବ ସାର୍ ମୋତେ ବହୁତ ସମର୍ଥନ କରୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ତରଫରୁ ସମର୍ଥନ ଓ ପ୍ରୋତ୍ସାହନ ମିଳିଲେ ବହୁତ ଭଲ ହୁଅନ୍ତା। ମୁଁ ବହୁତ ଥର କ୍ରୀଡ଼ା ବୃତ୍ତି ପାଇଁ ଆବେଦନ କରିଛି। ଓଡ଼ିଶା ସରକାରଙ୍କ ବଡ଼ ବଡ଼ ଅଧିକାରୀଙ୍କୁ ଭେଟିଛି। ହେଲେ କିଛି ଫଳ ହୋଇନାହିଁ। ଏ ପର୍ଯ୍ୟନ୍ତ କୌଣସି ସହାୟତା ମିଳିନି।’’ବୋଲି ଦୁଃଖର ସହ ନମିତା କହିଛନ୍ତି। ଅବଶ୍ୟ କିଛି ଖେଳ ସରଞ୍ଜାମ ପାଇଁ ମୋତେ ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ା ତାରକା ଜଉନା ମୁର୍ମୁ, ପୂର୍ଣ୍ଣିମା ହେମ୍ବ୍ରମ୍ ଓ ଦୂତି ଚାନ୍ଦ ମଧ୍ୟ ସହାୟତା ଦେବା ଲାଗି ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ରାଜ୍ୟସ୍ତରରେ ପାଖାପାଖି ୫୦ ପଦକ ଜିତିଛି। ଜାତୀୟସ୍ତରରେ ମଧ୍ୟ ପଦକ ଜିତିଛି। ଏବେ ମୋ ୮୦୦ ମିଟର ଟାଇମିଂ ୨ ମିନିଟ୍ ୧୨ ସେକେଣ୍ଡ ରହିଛି। ୧୫୦୦ ମିଟର ଟାଇମିଂ ୪ ମିନିଟ୍ ୫୨ ସେକେଣ୍ଡ ଅଛି। ଏହାଠାରୁ ମୁଁ ଯଥେଷ୍ଟ ଭଲ କରି ପାରିବି ବୋଲି ଆତ୍ମବିଶ୍ବାସ ରହିଛି। ଏଥିଲାଗି ଅବଶ୍ୟ ଆଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥାର ଦରକାର ଅଛି। ୮୦୦ ମିଟରରେ ମୁଁ ୨ ମିନିଟ୍ ଏବଂ ୧୫୦୦ ମିଟ‌ରରେ ୪ ମିନିଟ୍ ୨୦ ସେକେଣ୍ଡ ତଳକୁ ଯିବାର ଦରକାର ରହିଛି ବୋଲି ନମିତା କହିଛନ୍ତି।

ପ୍ରୋତ୍ସାହନ ମିଳିଲେ ବହୁତ ଆଗକୁ ଯିବ: ଶିବ
ନମିତା ପାଖରେ ପ୍ରଚୁର ପ୍ରତିଭା ଅଛି। ତାକୁ ଯଦି ପ୍ରୋତ୍ସାହନ ମିଳେ, ତାହାଲେ ସେ ବହୁତ ଆଗକୁ ଯିବ। ନମିତାଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ମିଶ୍ର ଏହା କହିଛନ୍ତି। ସେହିଭଳି ‌ଖେଳାଳିଟିଏ ଯେତେବେଳେ କୌଣସି ବଡ଼ ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରୁଛି, ସେତେବେଳେ ହିଁ ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶିବ। ‘‘ଜଣେ ଖେଳାଳି ଅନ୍ତର୍ଜାତୀୟସ୍ତରରେ ପଦକ ଜିତି ସାରିଲା ପରେ ତାକୁ ସମର୍ଥନ ଓ ସହଯୋଗର ଯେତିକି ଆବଶ୍ୟକତା ଥାଏ, ଏଥିଲାଗି ପ୍ରସ୍ତୁତି କଲା ବେଳେ ତା’ଠାରୁ ଅଧିକ ଦରକାର ହୋଇଥାଏ। ସଂପ୍ରତି ନମିତା ତା’ ପ୍ରଦର୍ଶନରେ ନିୟମିତ ଉନ୍ନତି ଆଣୁଛି। ଏଭଳି ସ୍ଥିତିରେ ତାକୁ ରାଜ୍ୟ ସରକାର କିଛି ଆର୍ଥିକ ସହାୟତା ଦେଲେ ବହୁତ ଭଲ ହୁଅନ୍ତା। ମୁଁ ଏବେ ତାକୁ ଜଉନାଙ୍କ ସହ ଅଭ୍ୟାସ କରାଉଛି। ହେଲେ କରୋନା ପାଇଁ ଏବେ ତାକୁ ଘରକୁ ପଠାଇ ଦେଇଛି। କରେନା ବିପତ୍ତି ଦୂର ହେବା ପରେ ସେ ପୁଣି ଥରେ ଅଭ୍ୟାସ ଆରମ୍ଭ କରିବ। ହିଁ ମୁଁଏଠାରେ କହିବାକୁ ଚାହେଁ ଯେ କେବଳ ସରକାର ନୁହଁ ଆମ ରାଜ୍ୟର ବେସରକାରୀ ସଂସ୍ଥା ମଧ୍ୟ ଉଦୀୟମାନ ଖେଳାଳିଙ୍କୁ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସିବା ଉଚିତ। ରାଜ୍ୟରେ ଏବେ କ୍ରୀଡ଼ା ଭିତ୍ତିଭୂମିରେ ଯଥେଷ୍ଟ ଉନ୍ନତି ଘଟିଛି। ଏଭଳି ସ୍ଥିତିରେ ଆମ ଖେଳାଳିଙ୍କୁ ଆର୍ଥିକ ସମର୍ଥନ ମିଳିଲେ ସେମାନେ ଅନ୍ତର୍ଜାତୀୟସ୍ତରରେ ଆହୁରି ସଫଳ ହୋଇ ପାରିବେ’’ ବୋଲ ଶିବ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe