ଆଇପିଏଲ୍‌ ମହାସଂଗ୍ରାମ: ବିଜୟକୁ ଫେରିବାକୁ ରାହୁଲ, ରୋହିତ ବ୍ୟାକୁଳ

Advertisment
ଆଇପିଏଲ୍‌ ମହାସଂଗ୍ରାମ: ବିଜୟକୁ ଫେରିବାକୁ ରାହୁଲ, ରୋହିତ ବ୍ୟାକୁଳ

ଚେନ୍ନାଇ : ଚଳିତ ଆଇପିଏଲ୍‌ର ଶୁକ୍ରବାର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମୁହାଁମୁହିଁ ହେବେ। ମଧ୍ୟକ୍ରମ ବିପର୍ଯ୍ୟୟ ପାଇଁ ଚିନ୍ତାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଧାରାକୁ ଫେରିବା ଲକ୍ଷ୍ୟରେ ଥିଲା ବେଳେ ପଞ୍ଜାବ କିଙ୍ଗ୍ସ ଲଗାତାର ଚତୁର୍ଥ‌ ପରାଜୟ ଏଡ଼ାଇବା ଆଶାରେ ପଡ଼ିଆକୁ ଓହ୍ଲାଇବ। ଉଭୟ ଦଳ ପାଇଁ କିନ୍ତୁ ନିଜ ନିଜ ଅଧିନାୟକ ରୋହିତ ଶର୍ମା (ମୁମ୍ବାଇ) ଓ କେଏଲ୍ ରାହୁଲ (ପଞ୍ଜାବ)ଙ୍କ ପ୍ରଦର୍ଶନର ଢେର ଗୁରୁତ୍ବ ରହିବ।

ରୋହିତଙ୍କ ନେତୃତ୍ବରେ ଆଇପିଏଲ୍‌ର ସଫଳତମ ଦଳର ସମ୍ମାନ ଲାଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ତା’ର ପୂର୍ବ ମ୍ୟାଚ୍‌ରେ ଋଷଭ ପନ୍ତଙ୍କ ଆତ୍ମବିଶ୍ବାସଭରା ଦିଲ୍ଲୀ କ୍ୟାପିଟାଲ୍ସଠାରୁ ପରାଜିତ ହୋଇଥିଲା। ବୋଲରମାନେ ଅପେକ୍ଷାକୃତ ଭଲ ବୋଲିଂ କରିଥିଲେ ବି ବ୍ୟାଟିଂ ବିଫଳତା ହିଁ ଏହାର ମୁଖ୍ୟ କାରଣ ଥିଲା। ‌ବ୍ୟକ୍ତିଗତ ଭାବେ ରୋହିତ ଭଲ ବ୍ୟାଟିଂ କରିଥିଲେ। ହେଲେ ଅନ୍ୟମାନେ ପୂରା ନିରାଶ କରିଥିଲେ। ବିଶେଷ କରି ପାଣ୍ଡ୍ୟା ଭାଇ କ୍ରୁନାଲ ଓ ହାର୍ଦିକଙ୍କ ସହ ମୁମ୍ବାଇ ମଧ୍ୟକ୍ରମ ଅତ୍ୟନ୍ତ ଖରାପ ବ୍ୟାଟିଂ କରିଥିଲା। ଗତ ଋତୁର ହିରୋ ସୂର୍ଯ୍ୟକୁମାର ଯାଦବ ଓ ଈଶାନ କିଶନଙ୍କ ବ୍ୟାଟ୍ ଏପର୍ଯ୍ୟନ୍ତ ଏକପ୍ରକାର ଶାନ୍ତ ରହିଛି। ଅବଶ୍ୟ ଚଳିତ ଋତୁର ଏବେ ପ୍ରାରମ୍ଭିକ ପର୍ଯ୍ୟାୟ ଚାଲିଛି। ଦଳର ସମସ୍ତ ଦୋଷ ଦୁର୍ବଳତା ଦୂର କରିବା ଲାଗି ଏବେ ବି ଢେର ସମୟ ବାକି ଅଛି। ଏସବୁ ଦୁର୍ବଳତା ଦୂର କରି ନିଜ ଆଇପିଏଲ୍-୨୦୨୧ ଅଭିଯାନକୁ ପୁଣି ଥରେ ଟ୍ରାକ୍‌କୁ ଆଣିବାକୁ ରୋହିତ ନିଶ୍ଚିତ ଭାବେ ବ୍ୟଗ୍ର ଥିବେ।

ଅନ୍ୟପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ପଞ୍ଜାବ କିଙ୍ଗ୍ସ ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ତାର କମାଲ ଦେଖାଇପାରିନାହିଁ। ସନ୍‌ରାଇଜର୍ସ ବିପକ୍ଷରେ ବୁଧବାର ଏହି ଦଳ ମାତ୍ର ୧୨୦ ରନ୍‌ରେ ଅଲଆଉଟ୍ ହୋଇଯିବା ରାହୁଲଙ୍କୁ ଅନୁରୂପ ଭାବେ ଚିନ୍ତାରେ ପକାଇଛି। ଦଳର ସନ୍ତୁଳନ ଉପରେ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ୟୁନିଭର୍ସ ବସ୍’ କ୍ରିସ୍ ଗେଲ୍ ତାଙ୍କ ବସ୍‌ଗିରି ଏପର୍ଯ୍ୟନ୍ତ ଦେଖାଇ ପାରିନାହାନ୍ତି। ସାଥୀ ୱେଷ୍ଟଇଣ୍ଡିଜ୍ ନିକୋଲାସ୍ ପୂରନ ପ୍ରଶଂସନୀୟ ବ୍ୟାଟିଂ କରୁନାହାନ୍ତି। ଲଗାତାର ତିନିଟି ପରାଜୟ ନିଶ୍ଚିତ ଭାବେ ରାହୁଲଙ୍କ ସହ ସମଗ୍ର ପଞ୍ଜାବ କିଙ୍ଗ୍ସ ଦଳର ମ‌ନୋବଳକୁ ଦୋହଲାଇ ଦେଇଥିବ। ଏଥିରୁ ତୁରନ୍ତ ନମୁକୁଳିଲେ ଦଳର ପ୍ଲେ ଅଫ୍ ଖେଳିବା ଆଶା ଆଶା ହୋଇରହିଯିବ। ଅଧିନାୟକ ରାହୁଲ ଗତ ଚାରିଟି ମ୍ୟାଚ୍‌ରୁ ଦୁଇଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ହେଲେ ଅନ୍ୟମାନଙ୍କଠାରୁ ଆବଶ୍ୟକ ସମର୍ଥନ ପାଇନାହାନ୍ତି। ତାଙ୍କ ନେତୃତ୍ବ ଶୈଳୀ ଦ୍ବନ୍ଦ୍ବାତ୍ମକ ହୋଇଥିଲା ବେଳେ ଦଳ ଚୟନରେ ତ୍ରୁଟି ହୋଇଥିବା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଦୀପକ ହୁଦା ଗୋଟିଏ ମ୍ୟାଚ୍‌ରେ ଧମାକାଦାର ବ୍ୟାଟିଂ କରିଥିଲେ। ତାଙ୍କ ନାଁରେ ଚଳିତ ଋତୁର ଦ୍ରୁତତମ ଅର୍ଦ୍ଧଶତକ ଅର୍ଜନ କରିବାର କୀର୍ତ୍ତିମାନ ବି ରହିଛି। ହେଲେ ସ୍ଥିର ପ୍ରଦର୍ଶନ ଦେବାରେ ସେ ଏକପ୍ରକାର ବିଫଳ ହୋଇଛନ୍ତି। ଅଷ୍ଟ୍ରେଲୀୟ ଝେ ରିଚାର୍ଡସନ୍ ଓ ରିଲେ ମେରିଡିଥ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ଚୂଡ଼ାନ୍ତ ଏକାଦଶରେ ନିଜ ନିଜ ସ୍ଥାନ ହରାଇସାରିଛନ୍ତି। ଏଣୁ ମୁରୁଗାନ ଅଶ୍ବିନଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ଖେଳାଇବା ସହ କ୍ରିସ୍ ଜୋର୍ଡାନଙ୍କୁ ନିଜ ଚୂଡ଼ାନ୍ତ ଦଳରେ ସାମିଲ କରିବା ପଞ୍ଜାବ କିଙ୍ଗ୍ସ ପାଇଁ ଅନ୍ୟ ଏକ ବିକଳ୍ପ ହୋଇପାରେ। ଦୁଇ ଦଳର ମୁହାଁମୁହିଁ ପରିସଂଖ୍ୟାନକୁ ବିଚାରକୁ ନେଲେ ଉଭୟ ଦଳ ୨୬ ଥର ପରସ୍ପରକୁ ଭେଟିଛନ୍ତି। ସେଥିମଧ୍ୟରୁ ମୁମ୍ବାଇ ଇଣ୍ଡିଆନ୍ସ ୧୪ ଓ ପଞ୍ଜାବ କିଙ୍ଗ୍ସ ୧୨ ମ୍ୟାଚ୍ ଜିତିଛି। ଗତ ତିନିଟି ମ୍ୟାଚ୍‌ରୁ କିନ୍ତୁ ମୁମ୍ବାଇ ଦୁଇଟି ଜିତି ଆଗରେ ରହିଛି।

ମୁମ୍ବାଇ ଇଣ୍ଡିଆନ୍ସ ଦଳ
ରୋହିତ ଶର୍ମା (ଅଧିନାୟକ), ହାର୍ଦିକ ପାଣ୍ଡ୍ୟା, ଈଶାନ କିଶନ, ଜେମ୍ସ ନୀସାମ, ଯଶପ୍ରୀତ ବୁମ୍‌ରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁନାଲ ପାଣ୍ଡ୍ୟା, ମାର୍କୋ ଜାନସେନ, ମୋହସିନ ଖାନ୍, ନାଥନ କୁଲଟର ନାଇଲ, ପୀୟୂଷ ଚାୱଲା, କ୍ବିଣ୍ଟନ୍ ଡି’କକ୍, ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଆଦାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅନକୁଲ ରାୟ, ଅର୍ଜୁନ ତେନ୍ଦୁଲକର, କ୍ରିସ୍ ଲିନ୍, ଧବଲ କୁଲକର୍ଣ୍ଣି, ୟୁଧବୀର ସିଂହ।

ପଞ୍ଜାବ କିଙ୍ଗ୍ସ ଦଳ
କେଏଲ୍ ରାହୁଲ (ଅଧିନାୟକ), ମୟଙ୍କ ଅଗ୍ରୱାଲ, କ୍ରିସ୍ ଗେଲ୍, ମନଦୀପ ସିଂହ, ନିକୋଲାସ ପୂରନ, ସର୍ଫରାଜ ଖାନ୍, ଦୀପକ ହୁଦା, ମୁରୁଗାନ ଅଶ୍ବିନ, ରବି ବିଷ୍ଣୋଇ, ହରପ୍ରୀତ ବ୍ରାର, ମହମ୍ମଦ ସାମି, ଅର୍ଶଦୀପ ସିଂହ, ଈଶାନ ପୋରେଲ, ଦର୍ଶନ ନାଲଖଣ୍ଡେ, କ୍ରିସ୍ ଜୋର୍ଡାନ, ଦାୱିଦ ମଲାନ, ଝେ ରିଚାର୍ଡସନ୍, ଶାହରୁଖ ଖାନ୍, ରିଲେ ମେରିଡିଥ୍, ମୋଜେସ୍ ହେନରିକ୍ସ, ଜଳଜ ସାକ୍ସେନା, ଉତ୍କର୍ଷ ସିଂହ, ଫାବିଏନ୍ ଆଲେନ, ସୌରଭ କୁମାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe