ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ ଦଳ ଟି-୨୦ ବିଶ୍ବକପ୍ ୨୦୨୪ର ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଦଳକୁ ୭ ରନରେ ପରାସ୍ତ କରି ଦ୍ବିତୀୟ ଥର ପାଇଁ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା। ୧୧ବର୍ଷ ପରେ ଭାରତ ବିଶ୍ବକପ ଜିତିବାରେ ସଫଳ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୧୫ଜଣ କ୍ରିକେଟର, କୋଚ ରାହୁଲ ଦ୍ରାବିଡଙ୍କ ଏବଂ ସପୋର୍ଟ ଷ୍ଟାଫଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା | ସମସ୍ତଙ୍କ ପାଇଁ ମୋଟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା।
ତେବେ ଏଥିରୁ ୧୫ଜଣ ଖେଳାଳିଙ୍କୁ ୫କୋଟି ଟଙ୍କା ଲେଖାଏ ଦିଆଯିବା ସହ ରାହୁଲ ଦ୍ରାବିଡଙ୍କୁ ୨.୫୦କୋଟି ଟଙ୍କା ଦିଆଯିବ ବୋଲି ଜଣାପଡ଼ିଛି | ଏମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କୁହାଯାଉଛି ଯେ, ପ୍ରଥମେ ରାହୁଲ ଦ୍ରାବିଡଙ୍କୁ ୫କୋଟି ଟଙ୍କାର ପୁରଷ୍କାର ରାଶି ଦିଆଯିବାର ଥିଲା। ହେଲେ ଦ୍ରାବିଡ଼ ନିଜେ ନିଜର ପୁରଷ୍କାର ରାଶି କମ କରିଥିଲେ। ବୋଲିଂ, ଫିଲ୍ଡିଂ ଓ ବ୍ୟାଟିଂ କୋଚଙ୍କୁ ବିସିସିଆଇ ୨.୫କୋଟି ଟଙ୍କା ଦେଉଥିବା ଜାଣିବା ପରେ ରାହୁଲ ଦ୍ରାବିଡ, ବିସିସିଆଇକୁ ନିଜର ପୁରଷ୍କାର ରାଶି ୫କୋଟିରୁ ୨.୫କୋଟି କରିବାକୁ କହିଥିଲେ।
ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସମସ୍ତେ ରାହୁଲଙ୍କ ଏହି କାମକୁ ପ୍ରଶଂସା କରିବା ଆରମ୍ଭ କରିଛନ୍ତି।
Follow Us