ଆୟର୍ଲାଣ୍ଡ ଶୃଙ୍ଖଳାରୁ ରାହୁଲ ବଞ୍ଚିତ: ପାଣ୍ଡ୍ୟା ଅଧିନାୟକ, ଭୁବି ଉପଅଧିନାୟକ

ଆୟର୍ଲାଣ୍ଡ ଶୃଙ୍ଖଳାରୁ ରାହୁଲ ବଞ୍ଚିତ: ପାଣ୍ଡ୍ୟା ଅଧିନାୟକ, ଭୁବି ଉପଅଧିନାୟକ

ନୂଆଦିଲ୍ଲୀ: ବରିଷ୍ଠ ଓପ୍‌ନର କେଏଲ୍‌ ରାହୁଲ ଆହତ ଯୋଗୁଁ ଶେଷକ୍ଷଣରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚଳିତ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରୁ ବାଦ୍‌ ପଡ଼ିଲେ। ତାଙ୍କ ବଦଳରେ ଋଷଭ ପନ୍ତ୍‌ଙ୍କୁ ଦଳର ଅଧିନାୟକ ପଦ ମିଳିଛି। ଏବେ ବି ରାହୁଲ ଆହତ ସମସ୍ୟାରୁ ମୁକୁଳିନଥିବା ଜଣାପଡ଼ିଛି। ଯାହା ଫଳରେ ସେ ଆଗାମୀ ଇଂଲଣ୍ଡ ଶୃଙ୍ଖଳାରୁ ବଞ୍ଚିତ ହୋଇଛନ୍ତି। ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ୍‌ (ଅସମାପ୍ତ) ସାଙ୍ଗକୁ ଭାରତର ଆୟର୍ଲାଣ୍ଡ୍‌ ଗସ୍ତରୁ ରାହୁଲ ବାଦ୍‌ ପଡ଼ିଛନ୍ତି। ଏପରିସ୍ଥଳେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ପନ୍ତ୍‌ଙ୍କ ସହଯୋଗୀ ଥିବା ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଆୟର୍ଲାଣ୍ଡ୍‌ ଗସ୍ତରେ ନେତୃତ୍ବ ନେବେ। ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଧିନାୟକ ରହିଥବା ପନ୍ଥ୍ ସେହି ସମୟରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ଖେଳିବା ଲାଗି ଦଳ ସହ ଲଣ୍ଡନ ଗସ୍ତ କରିବାର ଥିବାରୁ ସେ ଆୟର୍ଲାଣ୍ଡ୍‌ ବିପକ୍ଷ ଶୃଙ୍ଖଳା ପାଇଁ ଉପଲବ୍‌ଧ ହେବେନି। ତେଣୁ ପାଣ୍ଡ୍ୟାଙ୍କୁ ନେତୃତ୍ବ ଦାୟିତ୍ବ ସମର୍ପଣ କରିଛି ବିସିସିଆଇ। ବୁଧବାର ଆୟର୍ଲାଣ୍ଡ ଶୃଙ୍ଖଳା ପାଇଁ ଘୋଷିତ ଭାରତୀୟ ଦଳର ପାଣ୍ଡ୍ୟା ଅଧିନାୟକ ଥିଲା ବେଳେ ବରିଷ୍ଠ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ଏହି ଶୃଙ୍ଖଳାରେ ଭାରତ ଓ ଆୟର୍ଲାଣ୍ଡ ଦୁଇଟି ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବେ।

ଅନ୍ୟପକ୍ଷରେ ଭାରତୀୟ ଟେଷ୍ଟ୍‌ ଦଳ ମୁମ୍ବାଇରେ ଆଜି (ବୁଧବାର) ଏକତ୍ରିତ ହୋଇଛନ୍ତି। ଦଳ ମଧ୍ୟ ମଧ୍ୟରାତ୍ରୀରେ ଲଣ୍ଡନ ଯାତ୍ରା କରିବ। ରାହୁଲ ଦଳ ସହ ଯିବେନି। ସେ କିଛି ଦିନ ପୂର୍ବରୁ ଫିଟ୍‌ନେସ ପରୀକ୍ଷା ଦେଇଥିଲେ ମଧ୍ୟ ସୁସ୍ଥ ହେବାପାଇଁ ଆଉ କିଛି ଦିନ ଲାଗିବ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତେଣୁ ପନ୍ତ୍‌ଙ୍କ ବ୍ୟତୀତ ଅଧିନାୟକ ରୋହିତ ଶର୍ମା, ପୂର୍ବ ଅଧିନାୟକ ବିରାଟ କୋହଲି, ଦୁଇ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁ୍‌ମରା ଓ ମହମ୍ମଦ ସାମିଙ୍କ ସହିତ ଅନ୍ୟ ସମସ୍ତ ଖେଳାଳି (ଟେଷ୍ଟ୍‌ ଦଳର) ଗୁରୁବାର ଲଣ୍ଡନରେ ପହଞ୍ଚିବେ। ହେଲେ ରାହୁଲଙ୍କ ବଦଳ ଖେଳାଳି ନେଇ ମନୋନୟନ ସମିତି ଏବେ ବି କିଛି ନିଷ୍ପତ୍ତି ନେଇନାହିଁ। କାରଣ ଦଳରେ ଥିବା ଶୁବମନ ଗିଲ୍‌ ଏକାଧିକ ଟେ‌ଷ୍ଟ୍‌ରେ ପାଳି ଆରମ୍ଭ କରିଥିଲା ବେଳେ ଚେତେଶ୍ବର ପୂଜାରା ମଧ୍ୟ ପାଳି ଆରମ୍ଭ କରିପାରିବେ ବୋଲି କୁହାଯାଇଛି। ଯଦି ଏହି ଦୁଇ ଜଣଙ୍କୁ ନେଇ ସେଭଳି କିଛି ଫିଟ୍‌ନେସ ପ୍ରସଙ୍ଗ ଉପୁଜେ ତାହାଲେ ବିକଳ୍ପ ବିଚାର କରାଯିବ। ହେଲେ ୧୭ ଜଣିଆ ଦଳରୁ ୧୬ ଜଣ ଗସ୍ତ କରୁଥିବାରୁ ବିଶେଷ ସମସ୍ୟା ହେବନି ବୋଲି ମନୋନୟନ ସମିତି କହିଛି। ଇଂଲଣ୍ଡ ବିପକ୍ଷ ଗତ ୨୦୨୧ ଶୃଙ୍ଖଳାର ବଳକା ଟେଷ୍ଟ୍‌ ଟି ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ଭାରତୀୟ ଦଳ: ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ବର କୁମାର (ଉପଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକ୍ବାଡ୍, ସଞ୍ଜୁ ସାମସନ୍, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଦା, ରାହୁଲ ତ୍ରିପାଠୀ, ଦୀ‌ନେଶ କାର୍ତ୍ତିକ (ୱିକେଟ୍ ରକ୍ଷକ), ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଅଭେସ ଖାନ୍, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe