ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମାଲିକ ସଂଜୀବ ଗୋଏଙ୍କା ଅଧିନାୟକ କେଏଲ୍ ରାହୁଲଙ୍କୁ ଅପମାନିତ କରୁଥିବାର ଭିଡିଓ ପଦାକୁ ଆସିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ରାହୁଲଙ୍କ ପ୍ରଶଂସକ ଏଥିଲାଗି ଗୋଏଙ୍କାଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏପରିକି ତୁରନ୍ତ ଏହି ଦଳ ଛାଡ଼ିବାକୁ ତାଙ୍କୁ ଆହ୍ବାନ କରିଥିଲେ। ଗୋଏଙ୍କାଙ୍କ ବ୍ୟବହାର ତାଙ୍କୁ ବ୍ୟଥିତ କରିଥିଲା ବୋଲି ରାହୁଲ ବି ଅନେକ ଥର ପରୋକ୍ଷରେ ସଙ୍କେତ ଦେଇଥିଲେ। ଏବେ ଆଗାମୀ ଆଇପିଏଲ୍ ଋତୁ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଛାଡ଼ି ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍ସିବି)ରେ ଯୋଗଦେବାର ଆଭାସ ଦେଇଛନ୍ତି ସେ। ଆର୍ସିବିରେ ଯୋଗଦେବାର ସମ୍ଭାବନା ଉପରେ ଜଣେ ପ୍ରଶଂସକ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଆଶାବାଦୀ ଅଛି ବୋଲି କହିଛନ୍ତି।
ଏହା କହି ଆର୍ସିବିରେ ଯୋଗଦେବା ନେଇ ଯେ ସେ କଥାବାର୍ତ୍ତା ଆରମ୍ଭ କରି ଦେଇଛନ୍ତି, ସେ ସଙ୍କେତ ଦେଇଛନ୍ତି ରାହୁଲ। ସୂଚନାଯୋଗ୍ୟ ଯେ ପ୍ରତିଭାବାନ ଡାହାଣହାତୀ ବ୍ୟାଟର୍ ରାହୁଲ ତାଙ୍କ ଆଇପିଏଲ୍ ଯାତ୍ରା ୨୦୧୩ ମସିହାରେ ଆର୍ସିବିରୁ ହିଁ ଆରମ୍ଭ କରିଥିଲେ। ହେଲେ ୨୦୧୪ ଓ ୨୦୧୫ ଋତୁରେ ସନ୍ରାଇଜର୍ସ ହାଇବ୍ରାଦକୁ ଚାଲି ଯାଇଥିଲେ।ଳ୨୦୧୬ରେ ସେ ପୁଣି ଥରେ ଆର୍ସିବିକୁ ଫେରିଥିଲେ। ତେବେ ଆହତ ହୋଇ ୨୦୧୭ ଋତୁ ଖେଳି ପାରି ନଥିଲେ। ଆର୍ସିବି ତାଙ୍କୁ ୨୦୧୮ରେ ଛାଡ଼ିବା ପରେ ସେ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ ପଞ୍ଜାବ କିଙ୍ଗ୍ସର ପ୍ରତିନିଧିତ୍ବ କରିଥିଲେ। ୨୦୨୨ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ନେତୃତ୍ବ ନେଇ ଲଗାତାର ଦୁଇ ଥର ଏହି ଦଳକୁ ପ୍ଲେ ଅଫ୍ରେ ପହଞ୍ଚାଇଥିଲେ। ହେଲେ ଉଭୟ ଥର ଦଳ ପ୍ଲେ ଅଫ୍ ଆଗକୁ ବଢ଼ି ପାରି ନଥିଲା। ଚଳିତବର୍ଷ ଆହୁରି ଖରାପ କରି ସପ୍ତମ ସ୍ଥାନକୁ ଖସି ଆସିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
Follow Us