ଝାମ୍ପିନେଲା ରାଜସ୍ଥାନ: ମୟଙ୍କ ଶତକ ବେକାର ୨୨୩ କରି ହାରିଲା ପଞ୍ଜାବ

Advertisment
ଝାମ୍ପିନେଲା ରାଜସ୍ଥାନ: ମୟଙ୍କ ଶତକ ବେକାର ୨୨୩ କରି ହାରିଲା ପଞ୍ଜାବ

Hindustan Times

ସାରଜା: ପଶ୍ଚାତଧାବନର ଅବିଶ୍ବସନୀୟ, ଅସାଧାରଣ ଓ ଅନନ୍ୟ ପରାକାଷ୍ଠା ଦେଖାଇ ରାଜସ୍ତାନ ରୟାଲ୍ସ ରବିବାର ଚଳିତ ଆଇପିଏଲ୍‌ର ସବୁଠାରୁ ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛି। ସାରଜା ଷ୍ଟାଡିୟମରେ ଛକା, ଚୌକା ବର୍ଷା କରି କିଙ୍ଗ୍ସ ଏକାଦଶ ପଞ୍ଜାବ ଦେଇଥିବା ୨୨୪ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ୩ ବଲ୍ ପୂର୍ବରୁ ଜିତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ମୟଙ୍କ ଅଗ୍ରୱାଲଙ୍କ ଧୂଆଁଧାର ଶତକ ବଳରେ ପଞ୍ଜାବ ୨ ୱିକେଟ୍ ହରାଇ ୨୨୩ ରନ୍ କରିଥିଲା। ରାଜସ୍ଥାନ ଏହାର ଜବାବରେ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସଞ୍ଜୁ ସାମସନ୍‌ଙ୍କ ୮୫, ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ ୫୦ ଏବଂ ରାହୁଲ ତିୱାତିଆଙ୍କ ୫୩ ରନ୍ ବଳରେ ୧୯.୩ ଓଭରରେ ୬ ୱିକେଟ୍ ବିନିମୟରେ ୨୨୬ ରନ୍ କରି ସ୍ମରଣୀୟ ବିଜୟ ହାସଲ କରିଥିଲା। ସ୍ମିଥ୍-ସାମସନ୍ ବିଜୟ ପାଇଁ ଆଶା ସୃଷ୍ଟି କରିବା ପରେ ସେଲଡନ୍ କର୍ଟେଲଙ୍କ ଗୋଟିଏ ଓଭରରେ ୫ ଛକା ସହ ୩୦ ରନ୍ ଅମଳ କରି ତିୱା‌ତିଆ ହିଁ ମ୍ୟାଚ୍‌ର ମୋଡ଼ ବଦଳାଇ ଦେଇଥିଲେ। ତାଙ୍କ ପାଇଁ ହିଁ ଅସାଧ୍ୟକୁ ସାଧ୍ୟ କରି ରାଜସ୍ଥାନ ୪ ୱିକେଟ୍‌ର ନାଟକୀୟ ବିଜୟ ହାସଲ କରିଥିଲା।

ଏହା ପୂର୍ବରୁ ମୟଙ୍କ (୧୦୬ ରନ୍, ୫୦ ବଲ୍, ୧୦ ଚୌକା, ୭ ଛକା) ସାରଜାରେ ଆଉ ଏକ ମରୁଝଡ଼ ସୃଷ୍ଟି କରିଥିଲେ। ତାଙ୍କ ବିସ୍ଫୋରକ ଶତକ ବଳରେ ପଞ୍ଜାବ ଚଳିତ ଋତୁର ସର୍ବାଧିକ ଦଳଗତ ରନ୍ କରି ନେଇଥିଲା। ମୟଙ୍କ (୪୫ ବଲ୍) ମଧ୍ୟ ୟୁସୁଫ ପଠାନ (୩୭ ବଲ୍)) ଙ୍କ ପରେ ଆଇପିଏଲ୍‌ରେ ଦ୍ବିତୀୟ ଦ୍ରୁତତମ ଭାରତୀୟ ଶତକ ହାସଲକାରୀ ହେବାର କୀର୍ତ୍ତିମାନ କରିଥି‌ଲେ। ରାଜସ୍ଥାନ ଟସ୍ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେବା ପରେ ପଞ୍ଜାବର ପ୍ରାରମ୍ଭିକ ଯୋଡ଼ି କେଏଲ୍ ରାହୁଲ (୬୯ ରନ୍, ୫୪ ବଲ୍, ୭ ଚୌକା, ୧ ଛକା) ଓ ମୟଙ୍କ ପ୍ରଥମ ଓଭରରୁ ହିଁ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ଉଭୟ ପ୍ରତିପକ୍ଷ ବୋଲରଙ୍କୁ ନିର୍ଧୂମ ଛେଚି ପ୍ରଥମ ୱିକେଟ୍‌ରେ ୧୮୩ ରନ୍ ଯୋଡ଼ିଥିଲେ। ଟମ୍ କରନ ଶେଷରେ ମୟଙ୍କ’ଙ୍କୁ ଆଉଟ୍ କରି ଯୋଡ଼ି ଭାଙ୍ଗିଥିଲେ। ତେବେ ଶେଷ ଆଡ଼କୁ ନିକୋଲାସ୍ ପୂରନ ମାତ୍ର ୮ ବଲ୍‌ରୁ ୨୫ ରନ୍ କରିବା ପରେ ରାଜସ୍ଥାନ ନିର୍ଧାରିତ ୨୦ ଓଭରରେ ୨ ୱିକେଟ୍ ହରାଇ ୨୨୩ ରନ୍ କରି ନେଇଥିଲା। ତେବେ ରାଜସ୍ଥାନର ମିଳିତ ପ୍ରୟାସ ମୟଙ୍କ’ଙ୍କ ଶତକକୁ ଫିକା କରି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe