myKhel
ମୁମ୍ବାଇ: ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୨୪ ରନ୍ରେ ପରାସ୍ତ କରି ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍ ପଏଣ୍ଟ୍ ତାଲିକାର ଦ୍ବିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ତା ସହ ପ୍ରଥମ ଦୁଇ ସ୍ଥାନରେ ନିଜ ଲିଗ୍ ଅଭିଯାନ ଶେଷ କରିବା ଆଶାକୁ ଉଜ୍ଜୀବିତ ରଖିଛି। ରବିବାର ରାଜସ୍ଥାନ ରୟାଲ୍ସ ନବାଗତ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ୧୭୯ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା। ଲକ୍ଷ୍ନୌ କିନ୍ତୁ ୨୯ ରନ୍ରେ ୩ ୱିକେଟ୍ ହରାଇ ପାୱାର ପ୍ଲେ ଭିତରେ ହିଁ ଘୋର ସଙ୍କଟରେ ପଡ଼ିଥିଲା। ଅର୍ଦ୍ଧଶତକ ହାସଲକାରୀ ଦୀପକ ହୁଦାଙ୍କ ସହ ପରବର୍ତ୍ତୀ ବ୍ୟାଟ୍ସମ୍ୟାନ୍ମାନେ ବିଜୟ ଲକ୍ଷ୍ୟର ନିକଟତର ହେବା ଲାଗି ଭରପୂର ପ୍ରୟାସ କରିଥିଲେ ମଧ୍ୟ ରାଜସ୍ଥାନ ବୋଲର ଠିକଣା ସମୟରେ ୱିକେଟ୍ ଝାଡ଼ି ଏହା କରିବାକୁ ଦେଇ ନଥିଲେ। ଶେଷରେ ଲକ୍ଷ୍ନୌ ୮ ୱିକେଟ୍ ବିନିମୟରେ ୧୫୪ ରନ୍ରେ ଅଟକି ଯାଇଥିଲା। ରାଜସ୍ଥାନର ଦୁଇ ଅଭିଜ୍ଞ ଦ୍ରୁତ ବୋଲର ପ୍ରସିଦ୍ଧକ୍ରିଷ୍ଣା ଏବଂ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଟ୍ରେଣ୍ଟ ବୋଲ୍ଟଙ୍କ ସହ ଓବେଦ ମ୍ୟାକୟ ୬ ୱିକେଟ୍ ବାଣ୍ଟି ନେଇ ନିଜ ଦଳକୁ ତ୍ରୟୋଦଶ ମ୍ୟାଚ୍ରୁ ଅଷ୍ଟମ ବିଜୟ ଉପହାର ଦେଇଥିଲେ।
ରବିବାର ରାଜସ୍ଥାନ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା। ଲିଗ୍ର ଅଗ୍ରଣୀ ରନ୍ ସ୍କୋରର ଜୋସ୍ ବଟଲର (୨) ବିଫଳ ହୋଇଥିଲେ। ତା ସହ ରାଜସ୍ଥାନ ପାଳିରେ ଗୋଟିଏ ହେଲେ ବି ଅର୍ଦ୍ଧଶତକ ଦେଖିବାକୁ ମିଳି ନଥିଲା। ତଥାପି ଅନ୍ୟତମ ଓପନର ଯଶସ୍ବୀ ଜୟସ୍ବାଲଙ୍କ ୪୧, ଅଧିନାୟକ ସଞ୍ଜୁ ସାମସନଙ୍କ ୩୨, ଦେବିଦତ୍ତ ପଡ଼ିକଲଙ୍କ ୩୯, ଏବଂ ଆର ଅଶ୍ବିନ ତଥା ଟ୍ରେଣ୍ଟ ବୋଲ୍ଟଙ୍କ ବିଳମ୍ବିତ ବିସ୍କୋରଣ ବଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରି ନେଇଥିଲା। ସେପଟେ ନବାଗତ ଦଳ ଲକ୍ଷ୍ନୌ ବ୍ୟାଟର୍ଙ୍କୁ ସୁହାଉଥିବା ପିଚ୍ରେ ରାଜସ୍ଥାନର ରନ୍ ଗତିକୁ ରୋକିବା ଲାଗି ୮ଜଣ ବୋଲରଙ୍କୁ ଉପଯୋଗ କରିଥିଲା।
Follow Us