India TV News
ଶାରଜା: ଆଜି ଆଇପିଏଲ୍ର ୯ମ ମ୍ୟାଚରେ କିଙ୍ଗ୍ସ ଇଲେଭେନ୍ ପଂଜାବକୁ ୪ ୱିକେଟରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ । ୨୨୪ ରନ୍ର ବିଶାଲ ଲକ୍ଷ୍ୟକୁ ପିଛା କରି ୧୯.୩ ଓଭରରେ ୬ ୱିକେଟ ହରାଇ ୨୨୬ ରନ୍ କରିବାରେ ସକ୍ଷମ ହୋଇଛି ରାଜସ୍ଥାନ ରୟାଲ୍ସ । ପ୍ରଥମରୁ ରାଜସ୍ଥାନ ରୟାଲ୍ସର ଲଢୁଆ ବ୍ୟାଟିଂ ଦେଖିବାକୁ ମିଳିଥିଲା । ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ସେ ମାତ୍ର ୪୨ ବଲ ଖେଳି ୪ଟି ଚୌକା ଓ ୭ଟି ଛକା ସହାୟତାରେ ୮୫ ରନ୍ କରିଥିଲେ । ଅନ୍ୟପଟେ ଷ୍ଟିଭେନ୍ ସ୍ମିଥ୍ ୨୭ ବଲ ଖେଳି ୫୦ ରନ୍ କରିଥିବା ବେଳ ରାହୁଲ ତେୱତିଆ ଗୋଟିଏ ଓଭରରେ ୫ଟି ଛକା ମାରି ୩୧ ବଲରେ ୫୩ ରନ୍ କରି ରାଜସ୍ଥାନ ରୟାଲ୍ସକୁ ଚମକପ୍ରଦ ବିଜୟ ପ୍ରଦାନ କରିଛନ୍ତି । ପଂଜାବ ପକ୍ଷରୁ ମହମ୍ମଦ ଶାମି ୩ଟି ୱିକେଟ ନେଇଥିବା ବେଳେ ଶେଲଡନ୍ କୋଟ୍ରେଲ୍, ଜେମ୍ସ ନିଶାମ ଓ ମୁରୁଗାନ୍ ଅଶ୍ୱିନ୍ ଗୋଟେ ଲେଖାଏଁ ୱିକେଟ ନେଇଛନ୍ତି । ଏହି ବିଜୟ ସହ ରାଜସ୍ଥାନ ରୟାଲ୍ସ ୪ ପଏଣ୍ଟ ହାସଲ କରି ଟେବୁଲ ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛି ।
ପୂର୍ବରୁ ଟସ୍ ଜିଣି ରାଜସ୍ଥାନ ରୟାଲ୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ମିଳିବା ପରେ ପଂଜାବ ଟିମ୍ର ଅଧିନାୟକ ଲୋକେଶ ରାହୁଲ ୬୯ ରନ୍ ( ୫୪ ବଲ, ୭ ଚୌକା ଓ ୧ ଛକ୍କା) ଓ ମୟଙ୍କ ଅଗ୍ରଓ୍ଵାଲ ୫୦ଟି ବଲ ଖେଳି ବିସ୍ଫୋରକ ୧୦ଟି ଚୌକା ଓ ୭ଟି ଛକା ସହାୟତାରେ ୧୦୬ ରନ୍ କରିଥିଲେ । ଉଭୟ ଓପନର ଦଳର ପ୍ରଥମ ଓ୍ଵିକେଟରେ ୧୮୩ ରନ୍ ଯୋଡ଼ିଥିଲେ, ଯାହାକି ଚଳିତ ଆଇପିଏଲ୍ରେ ନୂଆ ରେକର୍ଡ। ଟମ୍ କୁରାନ୍ଙ୍କ ବଲ ସଂଜୁ ସାମ୍ସନ୍ଙ୍କୁ କ୍ୟାଚ୍ ଦେଇ ମୟଙ୍କ ଆଉଟ୍ ହୋଇ ପାଭଲିଅନ୍କୁ ଫେରିଯିବା ପରେ ତାଙ୍କ ସ୍ଥାନ ପୂରଣ କରିବାକୁ ଗ୍ଲେନ ମ୍ୟାକ୍ସୱେଲ ପଡ଼ିଆକୁ ଆସିଥିଲେ। ସେ ୯ଟି ବଲ ଖେଳି ଅପରାଜିତ ୧୩ ରନ୍ କରିଥିଲେ। ଦଳର ଅନ୍ୟ ବ୍ୟାଟ୍ସମ୍ୟାନ ନିକୋଲାସ ପୂରନଙ୍କ ବ୍ୟାଟରୁ ଅପରାଜିତ ୨୫ ରନ୍ ମିଳିଥିଲା। ଲୋକେଶ ରାହୁଲଙ୍କୁ ଅଙ୍କିତ ରାଜପୁତଙ୍କ ବଲରେ ଶ୍ରେୟସ ଗୋପାଳଙ୍କ ଦ୍ୱାରା ଆଉଟ୍ ହେବାକୁ ପଡ଼ିଥିଲା।
Follow Us