ଭୁବନେଶ୍ୱର: ରାଜେଶ ମହାନ୍ତିଙ୍କୁ ୨୭ତମ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ଓ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁଙ୍କୁ ୬ଷ୍ଠ ମହିଳା କ୍ରିକେଟର ପୁରସ୍କାର ମିଳିବ। କ୍ରିକେଟ ବର୍ଷ ୨୦୧୮-୧୯ ପାଇଁ ଓଡ଼ିଶା କ୍ରିକେଟ ଦୁନିଆର ସର୍ବ ପୁରାତନ ବାର୍ଷିକ କ୍ରୀଡ଼ା ପୁରସ୍କାର ସହୀଦ ସ୍ପୋଟିଂ-ମାରୁତି ଇଷ୍ଟେଟ୍ ଇଣ୍ଡିଆ ପକ୍ଷରୁ ଏହି ପୁରସ୍କାର ଦିଆଯିବ।
୨୦୧୮-୧୯ ସିଜିନ୍ରେ ଓଡ଼ିଶା ସିନିୟର ଦଳ ପକ୍ଷରୁ ପେସ୍ ବୋଲର ରାଜେଶ ମହାନ୍ତି ପଦାର୍ପଣ କରି ପ୍ରାୟ ସବୁ ପ୍ରତିଯୋଗିତା ଗୁଡ଼ିକରେ ଭଲ ପ୍ରଦର୍ଶନ କରିଥିଲେ। ସେ ରଣଜୀ ମ୍ୟାଚ୍ରେ ୪୦ଟି ଓ୍ଵିକେଟ ଦଖଲ କରିଥିଲେ। ତିନୋଟି ଇନିଂସରେ ୫ ଏବଂ ଗୋଟିଏ ମ୍ୟାଚ୍ରେ ୧୦ ଓ୍ଵିକେଟ୍ ନେବାର ସଫଳତା ପାଇଥିଲେ। ରାଜେଶ ଗତ ସିଜିନ୍ରେ ଭାରତୀୟ ୧୯ ବର୍ଷରୁ କମ ଦଳର ସଦସ୍ୟ ଥାଇ ଏସିଆ କପ୍ରେ ଚାମ୍ପିଅନ୍ ହୋଇଥିଲେ। ତା’ ସହିତ ଏମ୍ଆରଏଫ ପେସ୍ ଫାଉଣ୍ଡେସନ ପାଇଁ ରାଜେଶ ମନୋନୀତ ହୋଇଛନ୍ତି।
ସେହିପରି ପ୍ରିୟଙ୍କା ମଧ୍ୟ ଗତ ସିଜିନ୍ରେ ଖୁବ ସଫଳତା ପାଇଥିଲେ। ଏକ ଦିବସୀୟରେ ଓଡ଼ିଶା ପାଇଁ ୯ଟି ମ୍ୟାଚ୍ରୁ ୧୮ଟି ଓ୍ଵିକେଟ୍ ନେଇ ସଫଳ ବୋଲର ହୋଇଥିଲେ। ଟି-୨୦ରେ ଓଡ଼ିଶା ପାଇଁ ନେଇ ଥିଲେ ୧୭ଟି ଓ୍ଵିକେଟ୍। ଏହି ମୋଟ ସେ ୩୫ଟି ଓ୍ଵିକେଟ ନେଇଥିଲେ।
ଉଭୟ ପ୍ରତିଭାଙ୍କୁ ଚଳିତ ମାସ ୧୯ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏକ ସମାରୋହରେ ପୁରସ୍କାର ଆକାରରେ ୩୧ ହଜାର ଟଙ୍କାର ଚେକ, ବିଶେଷ ପ୍ରଶସ୍ତି ପତ୍ର ଏବଂ ବ୍ଲେଜର ପ୍ରଦାନ କରାଯିବ ବୋଲି ସହୀଦ ସ୍ପୋଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
Follow Us