ନୂଆଦିଲ୍ଲୀ: କ୍ରୀଡ଼ାର କ୍ରମଶଃ ରାଜନୀତୀକରଣ ହେଉଛି। ଶାସକଠାରୁ ବିରୋଧୀଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହାକୁ ହାତ ବାରିସି କରି ରାଜନୈତିକ ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଏହା ଏକ ଦୁଃଖଦ କଥା। ବିପଜ୍ଜନକ ଧାରା। କ୍ରୀଡ଼ାର ନିରପେକ୍ଷ ପରିଚାଳନା ପରିବର୍ତ୍ତେ କ୍ରୀଡ଼ାବିତ୍ଙ୍କୁ ମାଧ୍ୟମ କରି ରାଜନୈତିକ ଫାଇଦା ଉଠାଇବାର ଯେଉଁ ଧାରା ନିକଟ ଅତୀତରେ ଆରମ୍ଭ ହୋଇଛି, ସେଥିନେଇ ଚିନ୍ତା ପ୍ରକଟ କରିଛନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ୨୦୦୪ ଏଥେନ୍ସ ଅଲିମ୍ପିକ୍ସ ରୌପ୍ୟ ପଦକ (ବନ୍ଧୁକ ଚାଳନା, ଡବଲ୍ ଟ୍ରାପ୍) ବିଜେତା ରାଜ୍ୟବର୍ଦ୍ଧନ ସିଂହ ରାଠୋର।
ରାଜସ୍ଥାନର ରାଜଧାନୀ ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କୁସ୍ତିରେ ଦେଖା ଦେଇଥିବା ଅପ୍ରତ୍ୟାଶିତ ସ୍ଥିତିକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି। ଏହା କରି ରାଠୋର ନିକଟରେ କଂଗ୍ରେସରେ ଯୋଗଦେଇଥିବା ଦୁଇ ତାରକା ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ଓ ବଜରଙ୍ଗ ପୁନିଆଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। କ୍ରୀଡ଼ାବିତ୍ମାନେ ରାଜନୀତି କରିବାରେ କୌଣସି ଅସୁବିଧା ନଥିଲେ ମଧ୍ୟ ଭିନେଶ ଓ ବଜରଙ୍ଗ ଯେଭଳି ଭାବେ ଏବଂ ଯେଉଁ ପରିସ୍ଥିତିରେ କଂଗ୍ରେସରେ ଯୋଗଦେଇ ହରିୟାଣା ବିଧାନସଭା ନିର୍ବାଚନରେ ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି, ତାକୁ ରାଠୋର ପରୋକ୍ଷରେ ସମାଲୋଚନା କରିଛନ୍ତି। ସେ ଆହୁରି କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କର ରାଜନୀତିରେ ଯୋଗଦେବାର ଅଧିକାର ଅଛି। ହେଲେ ଏଥିଲାଗି ଅନ୍ୟଏକ କ୍ଷେତ୍ର ଯେଭଳି କଳଙ୍କିତ ନ ହୁଏ, ସେ ଦିଗରେ ବିଶେଷ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ମୁଁ ଭାବୁଛି, କୁସ୍ତି ଏମିତି ଏକ ଖେଳ ଯେଉଁଥିରେ ଆମର ବହୁତ ଖେଳାଳି ଅଲିମ୍ପିକ୍ସରେ ଅଂଶଗ୍ରହଣ କରନ୍ତି ଏବଂ ଅନେକ ପଦକ ମଧ୍ୟ ଜିତନ୍ତି। ଏଥର ଯଦି କୁସ୍ତିରେ ବିବାଦୀୟ ପରିସ୍ଥିତି ସୃଷ୍ଟି କରାଯାଇ ନଥା’ନ୍ତା, ତାହେଲେ ଆମେ ପ୍ୟାରିସ୍ ଅଲିମ୍ପିକ୍ସରେ ନିଶ୍ଚିତ ଅଧିକ ପଦକ ଜିତି ପାରିଥା’ନ୍ତେ। ଅନ୍ୟପକ୍ଷରେ ହରିୟାଣାର ଜୁଲାନା ଆସନରୁ ଲଢ଼ିବା ଲାଗି କଂଗ୍ରେସ ଟିକେଟ୍ ପାଇଥିବା ଭିନେଶ ରବିବାରଠାରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ଆସନରୁ ନିଶ୍ଚିତ ବିଜୟ ଲାଭ କରିବେ ବୋଲି ଦୃଢ଼ ଆଶା ପୋଷଣ କରିଛନ୍ତି ସେ। ଲୋକମାନେ ଦେଉଥିବା ଭଲପାଇବା ଓ ସମର୍ଥନ ଲାଗି ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ବଜରଙ୍ଗ କେଉଁଠାରୁ ନିର୍ବାଚନ ଲଢ଼ିବେ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କଂଗ୍ରେସ ପାଇଁ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ ଯେ ଭିନେଶ ପ୍ରଥମ ଭାରତୀୟ ମହିଳା ଭାବେ ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ଫାଇନାଲ୍ରେ ପ୍ରବେଶ କରିଥିଲେ। ତେବେ ଫାଇନାଲ୍ର ଠିକ୍ ପୂର୍ବରୁ ମାତ୍ର ୧୦୦ ଗ୍ରାମ୍ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ। ଏହା ପୂର୍ବରୁ ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ସଭାପତି ବ୍ରିଜ ଭୂଷଣ ସିଂହ ସରଣଙ୍କ ବିରୋଧରେ ଧାରଣା ଦେଇ ଚର୍ଚ୍ଚାକୁ ଆସିଥିଲେ। ଏପରିକି ସରଣ ଛୋଟଛୋଟ ପିଲାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣି ତାଙ୍କ ବିରୋଧରେ ଅଦାଲତର ଦ୍ବାରସ୍ଥ ମଧ୍ୟ ହୋଇଥିଲେ। ଏହି କାରଣ ପାଇଁ ସରଣ ତାଙ୍କ ପଦ ହରାଇଥିଲେ। କୁସ୍ତି ମହାସଂଘର ସାନି ନିର୍ବାଚନ ମଧ୍ୟ ହୋଇଥିଲା। ଭିନେଶ ପ୍ୟାରିସ୍ ଅଲିମ୍ପିକ୍ସର ଠିକ୍ ପରେ ପରେ କଂଗ୍ରେସରେ ଯୋଗଦେବା ପରେ ସରଣ ମଧ୍ୟ ତାଙ୍କୁ କଟାକ୍ଷ କରିଛନ୍ତି। ଭିନେଶ ତାଙ୍କ ବିରୋଧରେ ଧାରଣା ଦେବା ଓ ବିକ୍ଷୋଭ ପ୍ରଦର୍ଶନ କରିବା ଏକ ରାଜନୈତିକ ଷଡ଼୍ଯନ୍ତ୍ର ଥିଲା। ଏହାର ମୂଳଦୁଆ ଦୁଇବର୍ଷ ପୂର୍ବରୁ ପଡ଼ିଥିଲା। ଏଥିରେ କଂଗ୍ରେସ ନେତାଙ୍କ ପ୍ରଚ୍ଛନ୍ନ ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି ସରଣ। ଭିନେଶ କିନ୍ତୁ ତାଙ୍କର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେହିଭଳି ବିଜେପି ଛଡ଼ା ସେମାନଙ୍କ ଆନ୍ଦୋଳନକୁ ଅନ୍ୟ ସମସ୍ତ ଦଳ ସମର୍ଥନ କରିଥିଲେ। ଏଣୁ ସେମାନେ ବିଜେପି ବିରୋଧରେ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବଜରଙ୍ଗ କହିଛନ୍ତି। ରାଜ୍ୟବର୍ଦ୍ଧନ ଉଭୟଙ୍କୁ ଖୋଲା ସମାଲୋଚନା କରିବା ପରେ ଏହାକୁ ନେଇ ଆଗକୁ ରାଜନୀତି ବେଶ୍ ସରଗରମ ହେବାର ସମ୍ଭାବନା ବଢ଼ିଛି।
Follow Us