ସିଲି ପଏଣ୍ଟ୍‌: ରାକ୍ଷୀଙ୍କ କ୍ରିକେଟ୍‌ର ଅବତାର

Advertisment
 ସିଲି ପଏଣ୍ଟ୍‌: ରାକ୍ଷୀଙ୍କ କ୍ରିକେଟ୍‌ର ଅବତାର

ମୁମ୍ବାଇ: ଅଭିନେତ୍ରୀ ତଥା ବିବାଦ ରାଣୀ ରାକ୍ଷୀ ସାଓ୍ଵନ୍ତ କ୍ରିକେଟ୍‌ ପଡ଼ିଆକୁ ଓହ୍ଲାଇବେ। ଶୁଣିବାକୁ ଟିକେ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହି ଖବର ପୂରା ସତ। ଅସଲ କଥା ହେଲା ଟେଲିଭିଜନ ଅଭିନେତା ଏବଂ ଅଭିନେତ୍ରୀଙ୍କୁ ନେଇ ଆୟୋଜିତ ହେଉଥିବା ବକ୍ସ କ୍ରିକେଟ୍‌ ଲିଗ୍‌ ବା ବିସିଏଲ୍‌ରେ ରାକ୍ଷୀ ଯୋଗ ଦେଇଛନ୍ତି। ଏହି ଟେ୍ଵଣ୍ଟି-୨୦ ଲିଗ୍‌ରେ ସେ ଗୋଆ କିଲର୍ସ ଦଳ ପକ୍ଷରୁ ଖେଳିବେ। ବୁଧବାର ଏଥିନେଇ ଏକ ଫଟୋସୁଟ୍‌ ଆୟୋଜିତ ହୋଇଥିଲା। ଏଥିରେ ରାକ୍ଷୀ ଯେଭଳି ଭାବେ ଅଙ୍ଗ ଭଙ୍ଗୀ କରି ଫଟୋ ପୋଜ୍‌ ଦେଇଥିଲେ ତାକୁ ଦେଖି ଫଟୋ ଗ୍ରାଫର ମଧ୍ୟ ତାଜୁବ ହୋଇ ଯାଇଥିଲେ। ଅଭିନୟରେ ସେତେଟା କମାଲ ଦେଖାଇ ପାରି ନଥିବା ରାକ୍ଷୀ ଦେଖାଯାଉ କ୍ରିକେଟ୍‌ରେ କ’ଣ କରୁଛନ୍ତି। ବକ୍ସ କ୍ରିକେଟ୍‌ ଲିଗ୍‌ରେ ୧୦ ଦଳ ଅଂଶ ଗ୍ରହଣ କରୁଥିଲା ବେଳେ ଏହି ଦଳର ମାଲିକ ଟେଲିଭିଜନ ସିରିଏଲ୍‌ ଜଗତ ସହ ଜଡ଼ିତ। ଏହା ଏକ ଇନଡୋର ପ୍ରତିଯୋଗିତା ହୋଇଥିଲେ ମଧ୍ୟ ବେଶ୍‌ ଲୋକପ୍ରିୟତା ହାସଲ କରିଛି।

ଚାକିରି କରିବ ପୁଲିସ

publive-image

ଚଣ୍ଡିଗଡ: ମାଛ ଖାଇବ ଇଲିସି, ଚାକିରି କରିବ ପୁଲିସ। ଲାଗୁଛି ଏହି କଥାକୁ ଭାରତୀୟ ମହିଳା କ୍ରିକେଟ୍‌ ଦଳର ନୂଆ ନାୟିକା ହରମନପ୍ରୀତ ସିଂହ ଭଲ ଭାବରେ ବୁଝି ସାରିଛନ୍ତି। ସେଥିପାଇଁ ତ  ରେଳବାଇ ଚାକରି ଛାଡ଼ି ସେ ଏବେ ପଞ୍ଜାବ ପୁଲିସରେ ଯୋଗଦେବାକୁ ସଜବାଜ ହେଉଛନ୍ତି। କ୍ରିକେଟ୍‌ ପଡ଼ିଆରେ ବଡ଼ ବଡ଼ ସଟ୍‌ ଖେଳିବା ପାଇଁ ପରିଚିତ ହରମନପ୍ରୀତଙ୍କୁ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଖାକି ପୋଷାକରେ ଦେଖିବାକୁ ପାଇବେ। ମାର୍ଚ ପହିଲାରେ ୨୨ ବର୍ଷୀୟା ହରମନପ୍ରୀତ ପଞ୍ଜାବ ପୁଲିସରେ ଡିଏସ୍‌ପି ଭାବେ ଯୋଗଦେବେ।  ଇଂଲଣ୍ଡରେ ଆୟୋଜିତ ୨୦୧୭ ବିଶ୍ୱକପରେ ଭଲ ପ୍ରଦର୍ଶନ କରିବା ପରେ ହରମନପ୍ରୀତଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଡିଏସପି ଚାକିରି ଉପହାର ଦେଇଥିଲେ। ଅମରିନ୍ଦରଙ୍କ ପ୍ରସ୍ତାବକୁ ହରମନପ୍ରୀତ  ବି ସାଦରରେ ଗ୍ରହଣ କରି ନେଇଥିଲେ। ହେଲେ ପଶ୍ଚିମ ରେଳବାଇ  ସହ ୫ ବର୍ଷୀୟା ଚୁକ୍ତି କରିଥିବାରୁ ଚାକରି ବଦଳାଇବା ତାଙ୍କ ପାଇଁ ଆଦୌ ସହଜ ନଥିଲା। ଏହି ଚୁକ୍ତି ହିଁ ହରମନପ୍ରୀତଙ୍କ ଡିଏସପି ହେବା ବାଟରେ ବଡ଼ ପ୍ରତିବନ୍ଧକ ଭାବେ ଉଭା ହୋଇଥିଲା। ତେବେ ଅମରିନ୍ଦରଙ୍କ ଅନୁରୋଧ ପରେ ରେଳବାଇ ଚୁକ୍ତି ବାତିଲ କରି ତାଙ୍କୁ ପଞ୍ଜାବ ପୁଲିସରେ ଯୋଗଦେବାକୁ ଅନୁମତି ଦେଇଥିଲା। ଡିଏସ୍‌ପି ପଦ ଲାଗି ହରମନପ୍ରୀତଙ୍କ ଡାକ୍ତରୀ ପରୀକ୍ଷା ଶେଷ ହୋଇ ସାରିଛି। ତାଙ୍କୁ ଆନୁଷ୍ଠାନିକ ଭାବେ ପୁଲିସ ବଳରେ ନେବାକୁ ପଞ୍ଜାବ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe