ରାମେଶ୍ବର କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ରାମେଶ୍ବର, ସ୍ବୟମ୍‌ଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ

Advertisment
ରାମେଶ୍ବର କପ୍‌ କ୍ରିକେଟ୍‌ ଫାଇନାଲ୍‌ରେ ରାମେଶ୍ବର, ସ୍ବୟମ୍‌ଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ

ଭୁବନେଶ୍ବର, ୮ା୧ (ଇମିସ): ଅମରେନ୍ଦ୍ର ପ୍ରସାଦ ବଳଙ୍କ ସ୍ମୃତିରେ ଆୟୋଜିତ ୧୫ ବର୍ଷରୁ କମ୍‌ ଚତୁର୍ଥ ରାମେଶ୍ବର କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌‌ରେ ପ୍ରଥମ ଦଳ ଭାବେ ରାମେଶ୍ବର-ଏ ପହଞ୍ଚିଯାଇଛି। ସ୍ବୟମ୍‌ ପ୍ରକାଶ ପଣ୍ଡାଙ୍କ ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ବଳରେ ରାମେଶ୍ବର ଶନିବାର ପ୍ରଥମ ସେମିଫାଇନାଲ୍‌ରେ ବିବିସିଏ ଦଳକୁ ୧୬୮ ରନ୍‌ର ବଡ଼ ବ୍ୟବଧାନରେ ପରାସ୍ତ କରିଦେଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାମେଶ୍ବର ନିର୍ଦ୍ଧାରିତ ୪୦ ଓଭରରେ ୬ ୱିକେଟ୍‌ ହରାଇ କରିଥିଲା ୨୧୬ ରନ୍‌। ସ୍ବୟମ୍‌ ପଣ୍ଡା ୮୬ ବଲ୍‌ରୁ ୧୩ ଚୌକା ଓ ୧ ଛକା ସହାୟତାରେ ୭୯ ରନ୍‌ କରିଥିଲେ। ତାଙ୍କ ବ୍ୟତୀତ ଶୁଭାଶିଷ ମଲ୍ଲିକ ୨୬ ବଲ୍‌ରୁ ୨୨ (୪ ଚୌକା) ରନ୍‌ କରଥିଲା ବେଳେ ପ୍ରତିପକ୍ଷର ସାଇ ଶଙ୍କର ସାମଲ ୨ ୱିକେଟ୍‌ ପାଇଥିଲେ। ଜବାବରେ ସ୍ବୟମ୍‌ (୮-୨-୮-୬) ଏବଂ ସୋହମ ପଟ୍ଟନାୟକ (୨-୧-୪-୩)ଙ୍କ ଘାତକ ବୋଲିଂ ନିକଟରେ ତିଷ୍ଠିନପାରି ବିବିସିଏ ୨୬ ଓଭରରେ ମାତ୍ର ୪୮ ରନ୍‌ରେ ହିଁ ସମସ୍ତ ୱିକେଟ୍‌ ହରାଇଥିଲା। ଅର୍ଦ୍ଧଶତକୀୟ ପାଳି ପରେ ୬ ୱିକେଟ୍‌ ଦଖଲ କରିଥିବା ସ୍ବୟମ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ପୂର୍ବତନ ରଣଜୀ ତାରକା ଦୀପକ ମଙ୍ଗରାଜ ଏହି ପୁରସ୍କାର ପ୍ରଦାନ କରିଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ସତ୍ୟବ୍ରତ ମହାପାତ୍ର ଏବଂ ପୂର୍ବତନ ରଣଜୀ ଖେଳାଳି ପ୍ରିୟବ୍ରତ ପ୍ରଧାନ ମ୍ୟାଚ୍‌ ପରିଚାଳନା କରିଥିଲେ। ସାରାଂଶ କୁମାର ସ୍କୋରର୍‌ ରହିଥି‌ଲେ।
ଆସନ୍ତାକାଲି ପୁଲ୍‌-ବି’ରେ ପ୍ରଥମ କ୍ବାର୍ଟର ଫାଇନାଲ୍‌ ମ୍ୟାଚ୍‌ ଗ୍ରିନ୍‌ କ୍ରିକେଟ୍‌ ଏକାଡେମି ଏବଂ ରାମେଶ୍ବର-ବି ଦଳ ମଧ୍ୟରେ ଖେଳାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe