ରାଣା-ରାହୁଲଙ୍କ ଧମାଲ୍, ହାଇଦ୍ରାବାଦକୁ ହରାଇଲା କୋଲ୍‌କାତା‌

ଆଫଗାନ ଯୋଡ଼ିଙ୍କୁ ଯୁଗଳ

ରାଣା-ରାହୁଲଙ୍କ ଧମାଲ୍, ହାଇଦ୍ରାବାଦକୁ ହରାଇଲା କୋଲ୍‌କାତା‌

image credit : @StarSportsIndia

ଚେନ୍ନାଇ: ଆଇପିଏଲ୍-୨୦୨୧ର ତୃତୀୟ ମ୍ୟାଚ୍‌ରେ ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ କୋଲକାତା ନାଇଟ୍ ରାଇଡର୍ସ ୧୦ ରନ୍‌ରେ ହରାଇ ଦେଇଛି। ହାଇଦ୍ରାବାଦ ସମ୍ମୁଖରେ ୧୮୮ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ମନୀଷ ପାଣ୍ଡେ (୬୧*, ୪୪ ବଲ୍‌, ୨‌ ଚୌକା, ୩ ଛକା) ଏବଂ ଜନି ବେୟାରଷ୍ଟୋ (୫୫, ୪୦ ବଲ୍, ୫‌‌ ଚୌକା, ୩ ଛକା) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇ ପାରିନଥିଲେ। ଡେଭିଡ୍‌ ୱାର୍ନରଙ୍କ ଦଳ ୧୭୭/୫ରେ ସୀମିତ ରହିଯାଇଥିଲା। ପୂର୍ବରୁ ଦୁଇ ଭାରତୀୟ ଘରୋଇ କ୍ରିକେଟର୍‌ ନୀତୀଶ ରାଣା ଏବଂ ରାହୁଲ ତ୍ରିପାଠୀଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ କୋଲକାତା ନାଇଟ୍ ରାଇଡର୍ସ ୧୮୭ ରନ୍‌ର ଲଢ଼ୁଆ ସ୍କୋର୍‌ ଛିଡ଼ା କରିଥିଲା। ନୀତୀଶ ତାଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ରାଣା-ରାହୁଲଙ୍କ ଧମାଲ୍‌
ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ରବିବାର ଡେଭିଡ୍‌ ୱାର୍ଣ୍ଣର ଟସ୍ ଜିତିବା ମାତ୍ରେ ସ୍ବାଭାବିକ ଭାବେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ଭୁବନେଶ୍ବର କୁମାରଙ୍କ ପ୍ରଥମ ବଲ୍‌କୁ ଚୌକା ମାରି ନୀତୀଶ ରାଣା କିନ୍ତୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରି ଦେଇଥିଲେ। ‌ଅପେକ୍ଷାକୃତ ସତର୍କ ହୋଇ ଖେଳୁଥିବା ଯୁବ ତାରକା ଶୁବମନ ଗିଲ୍ ୧୩ ବଲ୍‌ରୁ ୧୫ ରନ୍‌ କରି ପାୱାର ପ୍ଲେ ଶେଷ ବଲ୍‌ରେ ରସିଦ୍‌ ଖାନ୍‌ଙ୍କ ଦ୍ବାରା ବୋଲ୍ଡ ହୋଇଯାଇଥିଲେ। ତଥାପି ପାୱାର ପ୍ଲେ ୬ ଓଭର ଭିତରେ କେକେଆର୍‌ ୫୩ ରନ୍‌ ସଂଗ୍ରହ କରିନେଇଥିଲା। ଏହ‌ା ପରେ ନୀତୀଶ (୮୦, ୫୬ ବଲ୍‌, ୯ ଚୌକା, ୪ ଛକା) ଏବଂ ରାହୁଲ ତ୍ରିପାଠୀ (୫୩, ୨୯ ବଲ୍‌, ୫‌‌ ଚୌକା, ୨ ଛକା)ଙ୍କ ମଧ୍ୟରେ ହୋଇଥିବା ୯୩ ରନ୍‌ ଭାଗୀଦାରି ପାଇଁ କେକେଆର୍‌ ବଡ଼ ସ୍କୋର୍‌ ମୁହାଁ ହୋଇଥିଲା। ରାହୁଲ ମାତ୍ର ୨୮ ବଲ୍‌ରୁ ୫୦ ରନ୍‌ ପୂର୍ଣ୍ଣ କରିଥିଲେ। କିନ୍ତୁ ପରବର୍ତୀ ବଲ୍‌ରେ ନଟରାଜନଙ୍କ ବୋଲିଂରେ ୱିକେଟ୍‌ରକ୍ଷକ ଋଦ୍ଧିମାନ ସାହାଙ୍କ ‌ଗ୍ଲୋଭ୍‌ସରେ ଧରାପଡ଼ିଥିଲେ। ମଧ୍ୟକ୍ରମରେ ୧୫ ବଲ୍‌ ଭିତରେ ୧୪ ରନ୍‌ରେ ୪ ୱିକେଟ୍ ହରାଇ କୋଲକାତା ସମ୍ଭାବ୍ୟ ୨୦୦ ଆଡ଼କୁ ଯିବା ସ‌ୁଯୋଗ ହରାଇଥିଲା। ତଥାପି ପୂର୍ବତନ ଅଧିନାୟକ ଦୀନେଶ କାର୍ତିକ (୨୨*, ୯ ବଲ୍‌, ୨ ଚୌକା, ୧ ଛକା) ଛୋଟିଆ କିନ୍ତୁ ମନୋରଂଜନଭରା ପାଳି ଖେଳି ଦଳକୁ ୧୮୭ ରନ୍‌ର ଲଢ଼ୁଆ ସ୍କୋର୍‌ ପ୍ରଦାନ କରିଥିଲେ। ଆନ୍ଦ୍ରେ ରସେଲ୍ (୫) ଏବଂ ଅଧିନାୟକ ଇଅନ୍ ମୋର୍ଗାନ୍‌ (୨) ବିଫଳ ହୋଇଥିଲେ।

ଆଫଗାନ ଯୋଡ଼ିଙ୍କୁ ଯୁଗଳ
ହାଇଦ୍ରାବାଦର ଦୁଇ ଆଫଗାନୀ ସ୍ପିନର୍‌ ରସିଦ୍‌ ଖାନ୍‌ ଓ ମହମ୍ମଦ ନବି କୋଲକାତାକୁ ରୋକିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଦଳର ସବୁଠୁ ମିତବ୍ୟୟୀ ଓ ସଫଳ ବୋଲର ମଧ୍ୟ ରହିଥିଲେ। ଉଭୟ ମିଳିତ ଭାବେ ପକାଇଥିବା ୮ ଓଭରରେ ୫୬ ରନ୍‌ ବିନିମୟରେ ୪ ୱିକେଟ୍‌ ନେଇଥିଲେ। ରସିଦ୍‌ (୪-୦-୨୪-୨) ଏବଂ ନବି (୪-୦-୩୨-୨)ଙ୍କୁ ଠିକଣା ସମର୍ଥନ ଦେଇ ଭୁବି ଓ ନଟରାଜନ ମଧ୍ୟ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ଗୋଟିଏ ଓଭରରେ ନୀତୀଶ ଓ ମୋର୍ଗାନ୍‌ଙ୍କୁ ନବି ଆଉଟ୍ କରିବା ସବୁଠାରୁ ନିର୍ଣ୍ଣାୟକ ହୋଇଥିଲା। ଗିଲ୍‌ ଓ ରସେଲଙ୍କ ୱିକେଟ୍ ନେଇଥିଲେ ରସିଦ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe