ମତୁଆଲା କଲେ ରଣବୀର, ରହମାନ

Advertisment
ମତୁଆଲା କଲେ ରଣବୀର, ରହମାନ

ଅହମଦାବାଦ: ଆଇପିଏଲ୍ ଫାଇନାଲ୍ ରବିବାର ରାତି ୮ଟାରୁ ଆରମ୍ଭ ହୋଇଥିଲେ ମଧ୍ୟ ସଂଧ୍ୟା ୬ଟାରୁ ମୋଟେରାର ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ ଏକ ଲକ୍ଷରୁ ଅଧିକ ଦର୍ଶକଙ୍କ ଉପସ୍ଥିତି ପାଇଁ ଏକପ୍ରକାର ଜୀବନ୍ତ ହୋଇଉଠିଥିଲା। ଇନ୍ଦ୍ରଧନୁର ସପ୍ତରଙ୍ଗର ଭ୍ରମ ସୃଷ୍ଟି କରୁଥିବା ଲେଜର ସୋ’ ଏବଂ ଦର୍ଶକଙ୍କ ଲଗାତାର କରତାଳି ଭିତରେ ଉପସ୍ଥାପକ ରବି ଶାସ୍ତ୍ରୀ ପଡ଼ିଆ ମଝିରେ ସ୍ଥାପିତ ହୋଇଥିବା ମଞ୍ଚ ଉପରକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସଂପାଦକ ଜୟ ଶାହ ଏବଂ ଅନ୍ୟ ଅଧିକାରୀଙ୍କୁ ଆମନ୍ତ୍ରଣ କରିଥିଲେ। ଏହା ପରେ ଅଭିନେତା ରଣବୀର ସିଂହ ଏବଂ ଓସ୍କାର ପୁରସ୍କାର ବିଜୟୀ ସଂଗୀତ ନିର୍ଦ୍ଦେଶକ ଏଆର ରହମାନ ନିଜ ମନ୍ତ୍ରମୁଗ୍ଧକର ଡାନ୍ସ ନମ୍ବର ଏବଂ ସଂଗୀତରେ ଦର୍ଶକଙ୍କୁ ମତୁଆଲା କରି ଦେଇଥିଲେ। ରଙ୍ଗବେରଙ୍ଗ ଲେଜର ଲାଇଟ୍ ଏବଂ ଆଖି ଝଲସେଇ ଦେଲାଭଳି ଆତସବାଜି ଭିତରେ ରଣବୀର ନିଜ ହିଟ୍ ନମ୍ବରରେ ନୃତ୍ୟ ପରିବେଷଣ କରିବା ସହ ପ୍ରତିଟି ଦର୍ଶକ ତାଙ୍କ ସହ ମଧ୍ୟ ତାଙ୍କ ସହ ଝୁମି ଉଠିଥିଲେ। ରଣବୀର ନିଜ ଭାଇ ଭାଇ, ତୁନେ ମାରି ଘଣ୍ଟି, ତତଡ଼ ତତଡ଼ ଗୀତରେ ମଞ୍ଚ ଉପରେ ୫୦ରୁ ଅଧିକ ସହଯୋଗୀ ନୃତ୍ୟଶିଳ୍ପୀଙ୍କ ଆଗରେ ନାଚୁଥିଲା ବେଳେ ଗ୍ୟାଲେରିରେ ଥିବା ଦର୍ଶକ ବି ଏହାର ତାଳେ ତାଳେ ନାଚି ଉଠିଥିଲେ।

publive-image Hindustan Times

ରହମାନଙ୍କ ଗ୍ରୁପ୍ ମା ତୁଝେ ସଲାମ, ଜୟ ହୋ ଏବଂ ରଙ୍ଗଦେ ବସନ୍ତି ଗୀତରେ ସଂଗୀତ ପରିବେଷଣ କଲା ବେଳେ ପୂରା ମୋଟେରା ଯେମିତି କମ୍ପି ଉଠିଥିଲା। ଦର୍ଶକ ଗ୍ୟାଲେରିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଅଭିନେତା ଅକ୍ଷୟ କୁମାର, ମାନୁସୀ ଚିଲର, ବିସିସିଆଇର ବରିଷ୍ଠ ଉପସଭାପତି ରାଜୀବ ଶୁକ୍ଳାଙ୍କ ଭଳି ମାଣ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତି ରବିବାର ସଂଧ୍ୟାରେ ୪୦ ମିନିଟ୍ ଧରି ଚାଲିଥିବା ଏହି ରଙ୍ଗାରଙ୍ଗ ସମାପନ ଉତ୍ସବକୁ ଅଧିକ ମନୋହର କରିଥିଲା। ଉତ୍ସବର ଶେଷ ଆଡ଼କୁ ରଣବୀର ଷ୍ଟାଡିୟମ୍ ଭିତରେ ଦୌଡ଼ି ଦୌଡ଼ି ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିବା ସହ ରହମାନଙ୍କ ସହ ମଞ୍ଚରେ ଯୋଗଦେଇ ସମସ୍ତଙ୍କ ମନ ଜିତି ନେଇଥିଲେ। ସ୍ବାଧୀନତାର ୭୫ ବର୍ଷ ସହ ଆଇପିଏଲ୍ ୧୫ ବର୍ଷ ପୂରଣ କରିବା ଏହି ଉତ୍ସବର ମୂଳ ମନ୍ତ୍ର ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe