ରଣଜୀ ଟ୍ରଫି : ପ୍ରଥମ ଦିନ ୧୩ ୱିକେଟ୍‌ ଝଡ଼ିଲା

Advertisment

ଅକିବଙ୍କ ୫ ୱିକେଟ୍‌ ସଫଳ‌ତା, ଓଡ଼ିଶା ୧୬୧, ଜାମ୍ମୁ କାଶ୍ମୀର ୩୮/୩

ଅକିବଙ୍କ ୫ ୱିକେଟ୍‌ ସଫଳ‌ତା, ଓଡ଼ିଶା ୧୬୧, ଜାମ୍ମୁ କାଶ୍ମୀର ୩୮/୩

ରଣଜୀ ଟ୍ରଫି : ପ୍ରଥମ ଦିନ ୧୩ ୱିକେଟ୍‌ ଝଡ଼ିଲା

କଟକ : ଟାଙ୍ଗୀର ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ଓ ଜମ୍ମୁ କାଶ୍ମୀର ମଧ୍ୟରେ ଷଷ୍ଠ ପର୍ଯ୍ୟାୟ ରଣଜୀ ଟ୍ରଫି ମୁକାବିଲା ରବିବାରଠୁ ଆରମ୍ଭ ହୋଇଛି। ବୋଲରଙ୍କ କବଳିତ ପ୍ରଥମ ଦିନରେ ୧୩ ୱିକେଟ୍‌ ଝଡ଼ିଯାଇଥିଲା ବେଳେ ମୋଟ ୧୯୯ ରନ୍‌ ସଂଗୃହୀତ ହୋଇଛି। ‌ସେଥିମଧ୍ୟରୁ ଘରୋଇ ଦଳ ତା’ ପ୍ରଥମ ପାଳିର ୧୦ ୱିକେଟ୍‌ ୧୬୧ ରନ୍‌ରେ ହରାଇଥିଲା ବେଳେ ଅତିଥି ଦଳ ‌ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୩ ୱିକେଟ୍‌ ହରାଇ ୩୮ ରନ୍‌ କରିଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅହମ୍ମଦ ଓମର ବନ୍ଦେ ୧୨, ସୂର୍ଯ୍ୟାଂଶ ରାଇନା ୫, ଶୁଭମ ପୁନ୍ଦିର ୨ ରନ୍‌ କରି ଆଉଟ ହୋଇଥିଲା ବେଳେ ଶୁଭମ୍‌ ଖଜୁରିଆ ୯* ଓ ପରଭେଜ ରସୁଲ ୧୦* ରନ୍‌ରେ ଅପରାଜିତ ଅଛନ୍ତି। ଓଡ଼ିଶା ପାଇଁ ରାଜେଶ ମହାନ୍ତି, ବସନ୍ତ ମହାନ୍ତି, ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଏଲିଟ୍‌ ଗ୍ରୁପ୍‌ ‘ସି’ର ଏହି ମ୍ୟାଚ୍‌ରେ ଜମ୍ମୁ କାଶ୍ମୀର ଟସ୍‌ ଜିତି ବୋଲିଂ କରିଥିଲା। ଆହତ ‌େଯାଗୁଁ ଦଳଠୁ ଦୂ‌ରେଇ ରହିଥିବା ଅନୁରାଗ ଷଡ଼ଙ୍ଗୀ ଏହି ମ୍ୟାଚ୍‌ରେ ପୁଣି ଥରେ ସୁଯୋଗ ପାଇଥିଲେ। ସେ ଗୋବିନ୍ଦ ପୋଦ୍ଦାରଙ୍କ ବଦଳରେ ଓଡ଼ିଶା ପାଇଁ ପାଳି ଆରମ୍ଭ କରିଥିଲେ। ଶାନ୍ତନୁ ମିଶ୍ରଙ୍କ ସହ ମିଶି ପ୍ରଥମ ୱିକେଟ୍‌ରେ ସେ ଅର୍ଧଶତକୀୟ ଭାଗୀଦାରି (୫୧) କରିବା ପରେ ୨୧ତମ ଓଭରରେ ହିଁ ଯୋଡ଼ି ଭାଙ୍ଗିଥିଲା। ଅନୁରାଗ ୩୩ ରନ୍‌ କରିଥିଲା ବେଳେ ଅକିବ ନବିଙ୍କ ଦ୍ବାରା ବୋଲ୍ଡ ହୋଇଥିଲେ। ପରବର୍ତ୍ତୀ ବଲ୍‌ରେ ଦେବାଶିଷ ସାମନ୍ତରାୟ ଖାତା ଖୋଲିବା ଆଗରୁ ପାଭିଲିଅନ‌ ଫେରିଥିଲେ। ଧୀମା ଖେଳୁଥିବା ଶାନ୍ତନୁ ମଧ୍ୟ ୯୯ ବଲ୍‌ରୁ ୨୧ ରନ୍ କରିଥିଲା ବେଳେ ନିଜ ୱିକେଟ ହରାଇଥିଲେ। ଏହାପରେ ରାଜେଶ ଧୂପର ୧୧, ବିପ୍ଲବ ସାମନ୍ତରାୟ ୧୬, ସୁଜିତ ଲେଙ୍କା ୫ ରନ୍‌ରେ ଆଉଟ୍‌ ହୋଇଥିଲେ। ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭଲ ଲୟରେ ଖେଳୁଥିବା ଦେଖିବାକୁ ମିଳିଥିଲା। ହେଲେ ଦଳୀୟ ସ୍କୋର୍‌ ୧୫୦ ପାର୍‌ କରାଇବା ପରେ ବ୍ୟକ୍ତିଗତ ୪୨ ରନ୍‌ରେ ଅକିବଙ୍କ ତୃତୀୟ ଶିକାର ହୋଇଥିଲେ। ନିମ୍ନକ୍ରମର ବିଫଳତା ପାଇଁ ଓଡ଼ିଶା ୧୬୧ ରନ୍‌ରେ ସବୁ ୱିକେଟ୍‌ ହରାଇଥିଲା। ତୃତୀୟ ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳୁଥିବା ଅକିବ ନବି ଲଗାତର ଦ୍ବିତୀୟ ୫ ୱିକେଟ ସଫଳତା ହାତେଇଥିଲା ବେଳେ ପରଭେଜ ରସୁଲ ଓ ଓମର ନଜିର ୨ ୱିକେଟ୍‌ ଲେଖାଏଁ ଅକ୍ତିଆର କରିଥିଲେ।

ଚା’ ବିରତି ପରେ ଜମ୍ମୁ କାଶ୍ମୀର ପାଇଁ ଅହମ୍ମଦ ବନ୍ଦେ ଓ ସୂର୍ଯ୍ୟାଂଶ ପାଳି ଆରମ୍ଭ କରିବାକୁ ଆସିଥିଲେ ବି ତୃତୀୟ ଓଭରରେ ବସନ୍ତ ମହାନ୍ତି ପ୍ରାରମ୍ଭିକ ସଫଳତା ଦେଇଥିଲେ। ସୂର୍ଯ୍ୟାଂଶଙ୍କୁ ୫ ରନ୍‌ରେ ବସନ୍ତ ଆଉଟ କରିବା ପରେ ଅହମ୍ମଦଙ୍କୁ ରାଜେଶ ମହାନ୍ତି ଆଉଟ୍‌ କରିଥିଲେ। ଦିନର ଶେଷ ୱିକେଟ ଭା‌େବ ଶୁଭମ୍‌ ସିଂହ ପୁନ୍ଦିରଙ୍କୁ ସୂର୍ଯ୍ୟକାନ୍ତ ଆଉଟ୍‌ କରିବାରୁ ପ୍ରଥମ ଦିନ ଓଡ଼ିଶା ଆଶ୍ବସ୍ତ ହୋଇଛି।

ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୬୪.୩ ଓଭରରେ ୧୬୧ (ଶୁଭ୍ରାଂଶୁ ସେନାପତି ୪୨, ଅନୁରାଗ ଷଡ଼ଙ୍ଗୀ ୩୩, ଶାନ୍ତନୁ ମିଶ୍ର ୨୧, ବିପ୍ଲବ ସାମନ୍ତରାୟ ୧୬, ଅକିବ ନବି ୫/୩୯, ପରଭେଜ ରସୁଲ ୨/୪୧, ଉମର ନଜିର ୨/୩୬)। ଜାମ୍ମୁ କାଶ୍ମୀର ପ୍ରଥମ ପାଳି: ୨୪ ଓଭରରେ ୩୮/୩ (ଅହମ୍ମଦ ଓମର ବନ୍ଦେ ୧୨, ପରଭେଜ ରସୁଲ ୧୦*, ସୂର୍ଯ୍ୟକାନ୍ତ ପ୍ରଧାନ ୧/୬, ର‌ାଜେଶ ମହାନ୍ତି ୧/୧୪, ବସନ୍ତ ମହାନ୍ତି ୧/୧୭ )

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe