ରଣଜୀ ଟ୍ରଫି ଫାଇନାଲ୍‌: ସର୍ଫରାଜଙ୍କ ଶତକରେ ମୁମ୍ବାଇ ୩୭୪; ଏମ୍‌ପି ୧୨୩/୧

ରଣଜୀ ଟ୍ରଫି ଫାଇନାଲ୍‌: ସର୍ଫରାଜଙ୍କ ଶତକରେ ମୁମ୍ବାଇ ୩୭୪; ଏମ୍‌ପି ୧୨୩/୧

Times of India

‌ବେଙ୍ଗାଲୁରୁ: ସର୍ଫରାଜ ଖାନ୍‌ଙ୍କ ଦାୟିତ୍ବପୂର୍ଣ୍ଣ ଶତକ କାରଣରୁ ରଣଜୀ ଟ୍ରଫି ଫାଇନାଲ୍‌ରେ ମୁମ୍ବାଇ ପ୍ରଥମ ପାଳିରେ ୩୭୪ ରନ୍‌ର ସମ୍ମାନଜନକ ସ୍କୋର୍‌ କରିଛି। ଏକଦା ୨୪୮ ରନ୍‌ ଭିତରେ ୬ ୱିକେଟ୍ ହରାଇ ମୁମ୍ବାଇ ସଙ୍କଟରେ ପଡ଼ିଥିବା ବେଳେ ସର୍ଫରାଜ ଆକର୍ଷଣୀୟ ଶତକ ସହିତ ନିମ୍ନଭାଗ ବ୍ୟାଟରଙ୍କୁ ସାଥି କରି ଛୋଟ ଛୋଟ ଭାଗୀଦାରି ଗଢ଼ିଥି‌ଲେ। ଯଶସ୍ବୀ ଜୟସ୍ବାଲ (୭୮)ଙ୍କ ଅର୍ଦ୍ଧଶତକ ସତ୍ତ୍ବେ ମୁମ୍ବାଇ ୨୪୮/୫ରେ ପ୍ରଥମ ଦିନ ଶେଷ କରିଥିଲା। ଗୁରୁବାର ସକାଳର ଦ୍ବିତୀୟ ବଲ୍‌ରେ ସାମ୍ସ ମୁଲାନି‌ କୌଣସି ରନ୍‌ ଯୋଡ଼ିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ। ଏହା ପରେ କିନ୍ତୁ ୪ଟି ଛୋଟ ଛୋଟ ଭାଗୀଦାରିରେ ସର୍ଫରାଜ ୧୨୬ ରନ୍‌ ଯୋଡ଼ିଥିଲେ। ବ୍ୟକ୍ତିଗତ ଭାବେ ସେ ଏହା ମଧ୍ୟରୁ ୯୪ ରନ୍‌ର ଅବଦାନ ରଖିଥିଲେ। ୨୪୩ ବଲ୍‌ରୁ ୧୩୪ ରନ୍‌ ସଂଗ୍ରହ କରି ସର୍ଫରାଜ ଶେଷ ବ୍ୟାଟର୍ ଭାବେ ଆଉଟ୍ ହୋଇଥିଲେ। ତାଙ୍କ ପାଳିରେ ୧୩ ଚୌକା ଓ ୨ ଛକା ମଧ୍ୟ ସାମିଲ ଥିଲା। ଏହା ମଧ୍ୟରେ ୱିକେଟରକ୍ଷକ ହାର୍ଦିକ ତାମୋରେ ୨୪, ତନୁଶ କୋଟିଆଁ ୧୫ ରନ୍‌ କରିଥିଲେ। ମଧ୍ୟପ୍ରଦେଶ ପକ୍ଷରୁ ମଧ୍ୟମଗତି ସିମର୍ ଗୌରବ ୟାଦବ ୧୦୬ ରନ୍‌ରେ ୪ ୱିକେଟ୍‌ ନେଇ ସଫଳ ବୋଲର ଥିବାବେଳେ ଅନୁଭବ ଅଗ୍ରୱାଲ ୩, ସାରାଂଶ ଜୈନ ୨, କୁମାର କାର୍ତିକେୟ ୧ ୱିକେଟ୍ ନେଇଥିଲେ।

ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ମଧ୍ୟପ୍ରଦେଶ ୧ ୱିକେଟ୍‌ ବିନିମୟରେ ୧୨୩ ରନ୍ ସଂଗ୍ରହ କରିଛି। ୱିକେଟରକ୍ଷକ ତଥା ପ୍ରାରମ୍ଭିକ ବ୍ୟାଟର୍‌ ହିମାଂଶୁ ମନ୍ତ୍ରୀ ୩୧ ରନ୍‌ କରି ତୁଷାର ଦେଶପାଣ୍ଡେଙ୍କ ଶିକାର ହୋଇଥିଲେ। ଅନ୍ୟତମ ପ୍ରାରମ୍ଭିକ ବ୍ୟାଟର୍‌ ୟାଶ ଦୁବେ (୪୪*) ଏବଂ ଶୁଭମ ଏସ୍ ଶର୍ମା (୪୧*) ଦଳକୁ କିନ୍ତୁ ଦୃଢ଼ ମୂଳଦୁଆ ଦେଇଛନ୍ତି। ହାତରେ ୯ ୱିକେଟ୍ ଥାଇ ମଧ୍ୟପ୍ରଦେଶ ପ୍ରଥମ ପାଳିରେ ୨୫୧ ରନ୍‌ ପଛରେ ରହିଛି।

ଡିଆର୍‌ଏସ୍‌ ପାଇଁ ଅର୍ଥ ନାହିଁ!
ବିସିସିଆଇ ଏହାର ସଦ୍ୟତମ ଆଇପିଏଲ୍‌ ପ୍ରସାରଣ ଅଧିକାରକୁ ୪୮,୩୯୦ କୋଟିରେ ବିକ୍ରି କରି ଖୁବ ରୋଜଗାର କରିଛି। କିନ୍ତୁ ରଣଜୀ ଟ୍ରଫି ଫାଇନାଲ୍‌ରେ ଡିଆର୍‌ଏସ୍ ବ୍ୟବହାର ନକରି ସମାଲୋଚିତ ହୋଇଛି। ଅର୍ଥ ନଥିବାରୁ ଏଭଳି କରାଯାଇଥିବା କୁହାଯାଉଥିଲେ ମଧ୍ୟ ବିସିସିଆଇ ଏହାକୁ ଖଣ୍ଡନ କରିଛି। ଆମେ ଆମ ଅମ୍ପାୟାରଙ୍କ ଉପରେ ବିଶ୍ବାସ ରଖିଛୁ ବୋଲି ବିସିସିଆଇ ସପକ୍ଷରେ ଜଣେ ଅଧିକାରୀ କହିଛନ୍ତି। ଡିଆର୍‌ଏସ୍ ବ୍ୟୟବହୁଳ ବ୍ୟାପାର। ‌ଭାରତର ଦୁଇ ଶ୍ରେ‌ଷ୍ଠ ଅମ୍ପାୟାର୍ (କେଏନ୍ ପଦ୍ମନାଭନ ଓ ବୀରେନ୍ଦର ଶର୍ମା) ଫାଇନାଲ୍ ମ୍ୟାଚ୍‌ ପରିଚାଳନା କରୁଛନ୍ତି। ଫଳାଫଳ ଯାହା ହେଉ ପଛେ ଆପଣ ଯଦି ଫାଇନାଲ୍‌ରେ ଡିଆର୍‌ଏସ୍‌ ବ୍ୟବହାର କରୁଛନ୍ତି ତେବେ ଲିଗ୍‌ ପର୍ଯ୍ୟାୟରେ ମଧ୍ୟ କରିବା ଉଚିତ୍ ବୋଲି ଜଣେ ପୂର୍ବତନ ଭାରତୀୟ ଖେଳାଳି କହିଥିଲେ।

ସୂଚନାଯୋଗ୍ୟ, ମୁମ୍ବାଇର ପ୍ରଥମ ପାଳିରେ ଶତକ ହାସଲ କରିଥିବା ସର୍ଫରାଜ ଖାନ୍‌ ଏମ୍‌ପି ସିମର୍‌ ଗୌରବ ୟାଦବଙ୍କ ଏକ ଏଲ୍‌ବିଡବୁଲ୍ୟ ଆବେଦନରୁ ଜୀବନଦାନ ପାଇଥିବା କଥା ଚର୍ଚ୍ଚାକୁ ଆସିଥିଲା। ସର୍ଫରାଜ ୧୩୪ ରନ୍‌ କରି ମୁମ୍ବାଇ ପାଳିର ତ୍ରାଣକର୍ତ୍ତା ସାଜିଥିବାରୁ ଏହା ଫରକ ପକାଇବା ସମ୍ଭାବନା ରହିଛି। ୨୦୧୮-୧୯ ଋତୁ ରଣଜୀ ଟ୍ରଫି ସେମିଫାଇନାଲ୍‌ରେ ସୌରାଷ୍ଟ୍ରର ଚେତେଶ୍ବର ପୂଜାରା ଦୁଇ ଥର ଏଭଳି ଜୀବନଦାନ ପାଇବା ପରେ କର୍ଣ୍ଣାଟକକୁ ମୂଲ୍ୟ ଦେବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe