ରଣଜୀ ଟ୍ରଫି: ଗୋବିନ୍ଦଙ୍କ ଶତକ ଦେଲା ଅଗ୍ରଣୀ

ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଦାୟିତ୍ବପୂର୍ଣ୍ଣ ଶତକ ବଳରେ ଓଡ଼ିଶା ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ପ୍ରଥମ ପାଳି ଅଗ୍ରଣୀ ନେଇଛି। କିନ୍ତୁ ଏହି ଆଧାରରେ ସମ୍ପୂର୍ଣ୍ଣ ୩ ପଏଣ୍ଟ୍ ପକେଟସ୍ଥ ପାଇଁ ଦଳ ନିଶ୍ଚିତ ହୋଇପାରିନାହିଁ।

dgjgjjgjg

ଭୁବନେଶ୍ବର: ଅଧିନାୟକ ଗୋବିନ୍ଦ ପୋଦ୍ଦାରଙ୍କ ଦାୟିତ୍ବପୂର୍ଣ୍ଣ ଶତକ ବଳରେ ଓଡ଼ିଶା ରଣଜୀ ଟ୍ରଫିରେ ଜମ୍ମୁ କାଶ୍ମୀର ବିପକ୍ଷରେ ପ୍ରଥମ ପାଳି ଅଗ୍ରଣୀ ନେଇଛି। କିନ୍ତୁ ଏହି ଆଧାରରେ ସମ୍ପୂର୍ଣ୍ଣ ୩ ପଏଣ୍ଟ୍ ପକେଟସ୍ଥ ପାଇଁ ଦଳ ନିଶ୍ଚିତ ହୋଇପାରିନାହିଁ। ବାରବାଟୀ ଷ୍ଟାଡିୟମ୍‌ରେ ଚାଲିଥିବା ଏହି ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଜମ୍ମୁ କାଶ୍ମୀର ୨୭୦ ରନ୍‌ କରିଥିଲା। ଏହାର ଜବାବରେ ରବିବାର  ଗୋବିନ୍ଦ ପୋଦ୍ଦାର (୧୩୩* ରନ୍‌, ୨୦୧ ବଲ୍‌, ୧୧ ଚୌକା, ୪ ଛକା)ଙ୍କ ନବମ ‌ପ୍ରଥମ ଶ୍ରେଣୀ ଶତକ ବଳରେ ଓଡ଼ିଶା କଡ଼ା ସଂଘର୍ଷ କରି ୨୭୨ ରନ୍ କରି ସମସ୍ତ ୱିକେଟ୍ ହରାଇଛି। ମାତ୍ର ୨ ରନ୍‌ର ଅଗ୍ରଣୀ ମିଳିଥିଲେ ମଧ୍ୟ ମ୍ୟାଚ୍‌ ଡ୍ର’ ରଖିପାରିଲେ ଓଡ଼ିଶା ୩ ପଏଣ୍ଟ୍ ନେବ। କିନ୍ତୁ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଜମ୍ମୁ ଓ କାଶ୍ମୀର ୪ ୱିକେଟ୍‌ ବିନିମୟରେ ୧୯୫ ରନ୍ ସଂଗ୍ରହ କରିଥିବାରୁ ପଞ୍ଚମ ଦିନରେ ପାଳି‌ ଘୋଷଣା କରି ଓଡ଼ିଶାକୁ ଲକ୍ଷ୍ୟ ଦେବାକୁ ଯୋଜନା ରଖିଛି।

ରବିବାର ସକାଳେ ଓଡ଼ିଶା ଏହାର ଅସମାପ୍ତ ପ୍ରଥମ ପାଳିକୁ ୧୯୮/୫ରୁ ଖେଳିଥିଲା। ସକାଳର ଷଷ୍ଠ ଓଭରରେ ଯୁବ ୱିକେଟରକ୍ଷକ ବ୍ୟାଟର୍ ଆଶୀର୍ବାଦ ସ୍ବାଇଁଙ୍କୁ ବାମହାତୀ ସ୍ପିନର୍‌ ଅବିଦ ମୁସ୍ତାକ ପରାସ ଡୋଗ୍ରାଙ୍କ ହାତରେ କ୍ୟାଚ୍‌ କରାଇ ନେଇଥିଲେ। ଏଥି ସହ ଗୋବିନ୍ଦଙ୍କ ସହ ଖେଳିଥିବା ୧୧୧ ରନ୍‌ ଭାଗୀଦାରି ଭାଙ୍ଗିଯାଇଥିଲା। ଏହା ପରେ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ରାଜେଶ ମହାନ୍ତି, ସୁମିତ ଶର୍ମା ନିୟମିତ ଅନ୍ତରାଳରେ ଆଉଟ୍ ହୋଇଯିବାରୁ ଓଡ଼ିଶା ଅଗ୍ରଣୀ ସୁଯୋଗ ହାତଛଡ଼ା କରିଦେବ ବୋଲି ଆଶଙ୍କା ଦେଖାଦେଇଥିଲା। ଅଭିଜ୍ଞ ମଧ୍ୟକ୍ରମ ବ୍ୟାଟର୍ ଗୋବିନ୍ଦ କିନ୍ତୁ ଚତୁରତାର ସହ ଅଧିକାଂଶ ସମୟ ନିଜ ପାଖରେ ଷ୍ଟ୍ରାଇକ୍ ରଖି ଦଳକୁ ଗୁରୁତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ରାଜେଶ ମହାନ୍ତି (୨୧ ବଲ୍‌ରୁ ୮ ରନ୍)ଙ୍କ ସହ ମିଶି ନବମ ୱିକେଟ୍‌ ପାଇଁ ଯୋଡ଼ିଥିବା ୩୨ ରନ୍ ନିର୍ଣ୍ଣାୟକ ହୋଇଥିଲା। ତଥାପି ଘରୋଇ ଦଳ ୭ ରନ୍ ପଛରେ ଥିବାବେଳେ ରାଜେଶ ଆଉଟ୍ ହୋଇଯିବାରୁ ଗୋବିନ୍ଦ ଏକାକୀ ଦାୟିତ୍ବ ନେଇ ୯ ରନ୍ ଯୋଡ଼ିବାରୁ ଓଡ଼ିଶା ଅଗ୍ରଣୀ ପାଇଯାଇଥିଲା। ଶେଷ ବ୍ୟାଟର୍‌ ସୁମିତ ଶର୍ମା (୦, ୮ ବଲ୍‌) ଖାତା ଖୋଲିପାରି ନଥିଲେ ମଧ୍ୟ ଏହି ଅଗ୍ରଣୀର ଅନ୍ୟତମ ପ୍ରମୁଖ ଭାଗୀଦାର ଥିଲେ।

ପ୍ରଥମ ପାଳି ସୁଯୋଗ ହାତଛଡ଼ା କରିବା ପରେ ଜମ୍ମୁ ଓ କାଶ୍ମୀର ଦ୍ବିତୀୟ ପାଳିରେ ଓଭର ପିଛା ୩ରୁ ଊର୍ଧ୍ବ ହାରରେ ବ୍ୟାଟିଂ କରିଛି। ସୂର୍ଯ୍ୟକାନ୍ତ ପ୍ରଧାନ ତାଙ୍କ ପ୍ରଥମ ଓଭରରେ ଅଭିନବ ପୁରୀ (୦)ଙ୍କୁ ପ୍ୟାଭିଲିଅନ୍ ଫେରାଇ ଦେଇଥିଲେ ମଧ୍ୟ ଶୁଭମ ଖଜୁରିଆ (୪୩) ଓ ଶୁଭମ୍ ପୁନ୍ଦିର୍ (୪୦) ଦ୍ବିତୀୟ ୱିକେଟ୍‌ ପାଇଁ ୮୯ ରନ୍ ଯୋଡ଼ି ଚାପ ହଟାଇ ଦେଇଥିଲେ। ପ୍ରଥମ ପାଳିରେ ଶତକ ହାସଲ କରିଥିବା ଅବଦୁଲ ସମାଦ (୭୦*, ୬୯ ବଲ୍‌, ୪ ଚୌକା, ୫ ଛକା) ଦ୍ରୁତ ଖେଳିବା ସହ ଦଳକୁ ସୁଯୋଗ ଦେଇଛନ୍ତି।

ସଂକ୍ଷିପ୍ତ ସ୍କୋର: ଜମ୍ମୁ ଓ କାଶ୍ମୀର ପ୍ରଥମ ପାଳି: ୨୭୦ (ଅବଦୁଲ୍‌ ସମଦ-୧୨୭, ସୁମିତ ଶର୍ମା-୫/୭୯, ରାଜେଶ ମହାନ୍ତି-୨/୪୭, ସୂର୍ଯ୍ୟକାନ୍ତ ପ୍ରଧାନ-୨/୫୦)। ଓଡ଼ିଶା ପ୍ରଥମ ପାଳି: ୮୭.୫ ଓଭରରେ ୨୭୨/୧୦ (ଗୋବିନ୍ଦ ପୋଦ୍ଦାର-୧୩୩*, ଅନୁରାଗ ଷଡ଼ଙ୍ଗୀ-୩୫, ଆଶୀର୍ବାଦ ସ୍ବାଇଁ-୩୨, ସନ୍ଦୀପ ପଟ୍ଟନାୟକ-୨୬, ଅବିଦ୍‌ ମୁସ୍ତାକ୍‌-୪/୮୪, ଉମର ନାଜିର ମୀର୍‌-୩/୩୩, ସାହିଲ ଲୋଟ୍ରା-୧/୨୫, ଆକ୍ବିବ୍‌ ନବୀ-୧/୪୧)। ଜମ୍ମୁ ଓ କାଶ୍ମୀର ଦ୍ବିତୀୟ ପାଳି: ୫୯ ଓଭରରେ ୧୯୫/୪ (ଅବଦୁଲ ସମାଦ-୭୦*, ଶୁଭମ ଖଜୁରିଆ-୪୩, ୪୦, ସାହିଲ ଲୋଟ୍ରା-୨୧*, କାର୍ତ୍ତିକ ବିଶ୍ବାଳ-୨/୨୫, ସୂର୍ଯ୍ୟକାନ୍ତ ପ୍ରଧାନ-୧/୧୯)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe