ରଣଜୀ ଟ୍ରଫି: ଆଜିଠୁ ଓଡ଼ିଶା-ମହାରାଷ୍ଟ୍ର ମୁକାବିଲା

Advertisment

ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଏବେ ପଏଣ୍ଟ ପାଇଁ ଭୋକିଲା ଅଛି। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ‌ହୋଇଥିବାରୁ ଓଡ଼ିଶା ଖେଳାଳିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି।

ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଏବେ ପଏଣ୍ଟ ପାଇଁ ଭୋକିଲା ଅଛି। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ‌ହୋଇଥିବାରୁ ଓଡ଼ିଶା ଖେଳାଳିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି।

dadgadagadg

ଭୁବନେଶ୍ବର: ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଏବେ ପଏଣ୍ଟ ପାଇଁ ଭୋକିଲା ଅଛି। ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜିତ ‌ହୋଇଥିବାରୁ ଓଡ଼ିଶା ଖେଳାଳିଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡୁଛି। ତେଣୁ ବୁଧବାରଠାରୁ ମହାରାଷ୍ଟ୍ର ବିପକ୍ଷରେ ବାରବାଟୀ ଷ୍ଟାଡିୟମ୍‌ରୁ ଓଡ଼ିଶା ଅନ୍ୟୂନ ୩ ପଏଣ୍ଟ୍ ହାତେଇବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି। ଜମ୍ମୁ କଶ୍ମୀର ବିପକ୍ଷ ମ୍ୟାଚ୍‌ରେ ଯେଉଁଭଳି ପିଚ୍‌ ଥିଲା, ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ ପାଇଁ ମଧ୍ୟ ସମାନ ଧରଣର ପିଚ୍‌ ରଖାଯାଇଛି। ତେଣୁ ଦିନର ପ୍ରଥମ ଭାଗଗୁଡ଼ିକରେ ରୋମାଞ୍ଚ ଦେଖିବାକୁ ମିଳିବ। କିନ୍ତୁ ପରବର୍ତ୍ତୀ ସମୟରେ ବୋଲର୍‌ଙ୍କୁ ଅନେକ ଝାଳ ବୁହାଇବାକୁ ପଡ଼ିପାରେ। ତେଣୁ ପ୍ରାରମ୍ଭିକ ସଫଳତା ପାଇବା ପାଇଁ ଓଡ଼ିଶା ଏହି ମ୍ୟାଚ୍‌ରେ ୪ ଦ୍ରୁତ ବୋଲର୍‌ଙ୍କୁ ନେଇ ଖେଳିବାକୁ ଯୋଜନା ରଖିଛି। ପୂର୍ବ ମ୍ୟାଚ୍‌ରେ ଖେଳିଥିବା ୩ ଦ୍ରୁତ ବୋଲର୍‌ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ସୁନୀଲ ରାଉଳଙ୍କ ସହିତ ତରଣୀ ସା’ଙ୍କୁ ଏକ ପ୍ରକାର ସୁଯୋଗ ମିଳିବା ସମ୍ଭାବନା ରହିଛି। ଯଦି ଏପରି ହୁଏ, ତେବେ ତାପସ ଦାସଙ୍କୁ ପଦାର୍ପଣ ଲାଗି ଅପେକ୍ଷା କରିବାକୁ ପଡ଼ିପାରେ। ସେହିପରି ଅନୁରାଗ ଷଡ଼ଙ୍ଗୀ ଓ ବିପ୍ଳବ ସାମନ୍ତରାୟଙ୍କୁ ବାଦ୍‌ ଦିଆଯାଇଥିବାରୁ ୱିକେଟ୍‌ରକ୍ଷକ ବ୍ୟାଟର୍‌ ରାଜେଶ ଧୂପର ଏହି ମ୍ୟାଚ୍‌ରେ ପ୍ରତ୍ୟାବର୍ତ୍ତନ କରିବା ମଧ୍ୟ ଏକପ୍ରକାର ସ୍ପଷ୍ଟ ହୋଇଛି। ମୁମ୍ବାଇ ବିପକ୍ଷରେ ପାଳି ଆରମ୍ଭ କରିଥିବା ସ୍ବସ୍ତିକ ସାମଲଙ୍କ ବ୍ୟାଟିଂ ସ୍ଥାନରେ ପରିବର୍ତ୍ତନ କରାଯିବା ସମ୍ଭାବନା ନାହିଁ। ଶାନ୍ତନୁ ମିଶ୍ରଙ୍କ ସହିତ ପାଳି ଆରମ୍ଭ ଦାୟିତ୍ବ ସ୍ବସ୍ତିକଙ୍କ କାନ୍ଧରେ ରହିବ। ଏପରି ହେଲେ ଧୂପରଙ୍କୁ ମଧ୍ୟକ୍ରମ ଦାୟିତ୍ବରେ ରହିବେ। ଯୁବ ୱିକେଟ୍‌ରକ୍ଷକ ବ୍ୟାଟର୍‌ ଆଶୀର୍ବାଦ ସ୍ବାଇଁ ସ୍ଥିର ପ୍ରଦର୍ଶନ ଦେଇ ଆସୁଥିବାରୁ ତାଙ୍କୁ ମଧ୍ୟ ଦଳରୁ ବାଦ୍‌ ଦିଆଯାଇ ନପାରେ। ବି‌ଶେଷକରି ବ୍ୟାଟିଂକୁ ଅଧିକ ଦୃଢ଼ କରିବା ପାଇଁ ଧ୍ୟାନ ଦିଆଯାଉଥିବା ବେଳେ ବୋଲର୍‌ମାନଙ୍କଠୁ ଶୃଙ୍ଖଳିତ ପ୍ରଦର୍ଶନର ଆଶା ରଖିଛି ଦଳ। 

କେବଳ ଏତିକି ନୁହେଁ ମହାରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ରେ ସୂର୍ଯ୍ୟକାନ୍ତଙ୍କ ଉପରେ ମଧ୍ୟ ବିଶେଷ ଧ୍ୟାନ ରହିବ। ବସନ୍ତ ମହାନ୍ତିଙ୍କ ପରେ ଓଡ଼ିଶା ବୋଲିଂର ନେତୃତ୍ବ ନେଉଥିବା ସୂର୍ଯ୍ୟକାନ୍ତ ଏବେ ୨୦୦ ପ୍ରଥମ ଶ୍ରେଣୀ ୱିକେଟ୍‌ ମାଇଲ୍‌ଖୁଣ୍ଟଠୁ ଆଉ ଅଳ୍ପ ଦୂରରେ ଅଛନ୍ତି। ୬୧ ମ୍ୟାଚ୍‌ରୁ ସେ ୧୯୬ ୱିକେଟ୍‌ ନେଇଛନ୍ତି। ମୁମ୍ବାଇ ବିପକ୍ଷରେ ବିପ୍ଳବ ସାମନ୍ତରାୟ ୨ ୱିକେଟ୍‌ ନେଇ ୧୦୦ ୱିକେଟ୍‌ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଥିଲା ବେଳେ ଏବେ ସୂର୍ଯ୍ୟଙ୍କ ପାଖରେ ଘରୋଇ ପଡ଼ିଆରେ ନୂଆ ମାଇଲ୍‌ଖୁଣ୍ଟରେ ପହଞ୍ଚିବାକୁ ସୁଯୋଗ ରହିଛି। ତାଙ୍କ ପୂର୍ବରୁ ୫ ଜଣ ଓଡ଼ିଆ ଖେଳାଳି ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟର୍‌ ପ୍ରଜ୍ଞାନ ଓଝା (୪୨୪) ଶୀର୍ଷରେ ଥିବା ବେଳେ ଦେବାଶିଷ ମହାନ୍ତି (୪୧୭), ବସନ୍ତ ମହାନ୍ତି (୪୦୩), କୁଳମଣି ପରିଡ଼ା (୩୨୦) ଓ ସ୍ପିନର ସଂଜୟ ଶତପଥୀ (୨୦୮) ପ୍ରଥମ ୫ଜଣଙ୍କ ମଧ୍ୟରେ ଅଛନ୍ତି। ସୂର୍ଯ୍ୟକାନ୍ତ ୨୦୦ ୱିକେଟ୍‌ ନେଇପାରିଲେ ଷଷ୍ଠ ଦ୍ରୁତ ବୋଲର ହୋଇଯିବେ। ଏମାନଙ୍କ ମଧ୍ୟରେ ପ୍ରଜ୍ଞାନ ଓଝା ଓ କୁଳମଣି ପରିଡ଼ା ଓଡ଼ିଶା ପାଇଁ ବରିଷ୍ଠସ୍ତରୀୟ କ୍ରିକେଟ୍‌ ଖେଳିନାହାନ୍ତି। ହାଇଦ୍ରାବାଦ ଓ ବେଙ୍ଗଲ ପାଇଁ ପ୍ରଜ୍ଞାନ ଏବଂ ରେଳବାଇ ପାଇଁ କୁଳମଣି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଛନ୍ତି। ଏମାନଙ୍କ ବ୍ୟତୀତ ସୁଶୀଲ କୁମାର (୧୭୫), ରଂଜୀବ ବିଶ୍ବାଳ (୧୫୩), ସଂଜୟ ରାଉଳ (୧୩୩), ଧୀରାଜ ସିଂହ (୧୧୯), ରାଜେଶ ମହାନ୍ତି (୧୧୦), ହରମୋହନ ପ୍ରହରାଜ (୧୦୮), ଏନ୍‌ଏନ୍‌ ସ୍ବାମୀ (୧୦୬), ଦୀପକ ବେହେରା (୧୦୨), ବିପ୍ଳବ ସାମନ୍ତରାୟ (୧୦୧), ସୌରଜିତ ମହାପାତ୍ର (୧୦୦) ଅନ୍ୟୂନ ୧୦୦ ୱିକେଟ୍‌ କ୍ଲବ୍‌ରେ ସାମିଲ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe