Photograph: (en.wikipedia.org)
ଭୁବନେଶ୍ବର: ବ୍ୟାଟିଂରେ ଫ୍ଲପ୍ ହେବା ପରେ ବୋଲିଂରେ ବି ନିଷ୍ଫଳ ହୋଇଛି ଓଡ଼ିଶା ରଣଜୀ ଦଳ। କାନପୁରଠାରେ ଚାଲିଥିବା ଉତ୍ତରପ୍ରଦେଶ ବିପକ୍ଷ ଦ୍ବିତୀୟ ରାଉଣ୍ଡ୍ ମୁକାବିଲାରେ ଓଡ଼ିଶା ବ୍ୟାକ୍ଫୁଟ୍କୁ ଚାଲିଯାଇଛି। ଶୁଭ୍ରାଂଶୁ ସେନାପତିଙ୍କ ଦଳର ପ୍ରଥମ ପାଳି ୨୪୩ ରନ୍ ଜବାବରେ ଘରୋଇ ଉତ୍ତରପ୍ରଦେଶ ଦ୍ବିତୀୟ ଦିନ ସୁଦ୍ଧା ୩ ୱିକେଟ୍ ବିନିମୟରେ ୨୬୨ ରନ୍ ସଂଗ୍ରହ କରିଛି। ହାତରେ ୭ ୱିକେଟ୍ ଥାଇ କରଣ ଶର୍ମାଙ୍କ ଦଳ ୧୯ ରନ୍ରେ ଆଗୁଆ ରହିଛି। ଅନ୍ୟୂନ ୩ ପଏଣ୍ଟ୍ ପକେଟସ୍ଥ କରିବାକୁ ମଧ୍ୟ ନିଶ୍ଚିତ କରିଛି ଘରୋଇ ଦଳ।
ରବିବାର ଉତ୍ତରପ୍ରଦେଶ ପୂର୍ବ ଦିନର ସ୍କୋର ୧୭/୦ରୁ ଖେଳ ଆରମ୍ଭ କରିଥିଲା। ପଦାର୍ପଣ କରିଥିବା ଓଡ଼ିଶାର ସମ୍ବିତ ବରାଳ ଶନିବାର ବ୍ୟାଟିଂ କମାଲ୍ (୫୯*) କରିଥିବା ବେଳେ ରବିବାର ବୋଲିଂରେ ବି ଛାପ ଛାଡ଼ିଥିଲେ। ସକାଳେ ଲଗାତାର ଓଭରରେ ସେ ଅଭିଷେକ ଗୋସ୍ବାମୀ (୨୪) ଏବଂ ୱିକେଟରକ୍ଷକ ବ୍ୟାଟର୍ ଆରୢନ୍ ଜୁୟାଲ (୦)ଙ୍କୁ ବୋଲ୍ଡ କରି ଦେଇଥିଲେ। ଫଳରେ ଉତ୍ତରପ୍ରଦେଶ ୪୫/୨ରେ ପହଞ୍ଚିଯାଇଥିଲା। ଅନ୍ୟତମ ଓପନର୍ ମାଧବ କୌଶିକଙ୍କ ସହ ଯୋଗ ଦେଇ ଅଧିନାୟକ କରଣ ଶର୍ମା ତୃତୀୟ ୱିକେଟ୍ ଲାଗି ୭୧ ରନ୍ ଯୋଡ଼ିବାରୁ ଉତ୍ତରପ୍ରଦେଶ ପାଳି ଆଗକୁ ବଢ଼ିଥିଲା। ମଧ୍ୟାହ୍ନ ଭୋଜନ ପରେ ସମ୍ବିତ ଉତ୍ତରପ୍ରଦେଶକୁ ଆଉ ଏକ ଝଟ୍କା ଦେଇଥିଲେ। କୌଶିକ (୬୭)ଙ୍କୁ ଲେଗ୍ ବିଫୋର ୱିକେଟ୍ କରାଇ ବ୍ୟକ୍ତିଗତ ତୃତୀୟ ୱିକେଟ୍ ସହ ପଦାର୍ପଣକୁ ସ୍ମରଣୀୟ କରିଥିଲେ। ତେବେ ଏହି ସମୟରେ ଏକାଠି ହୋଇଥିବା କରଣ ଶର୍ମା (୮୩*, ୧୯୯ ବଲ୍, ୯ ଚୌକା) ଏବଂ ଆରାଧ୍ୟା ଯାଦବ (୮୦*, ୧୫୧ ବଲ୍, ୯ ଚୌକା, ୨ ଛକା) ଅତୁଟ ଚତୁର୍ଥ ୱିକେଟ୍ ପାଇଁ ୧୪୬* ରନ୍ ଯୋଡ଼ି ଓଡ଼ିଶା ବୋଲରଙ୍କୁ ନୟାନ୍ତ କରିଛନ୍ତି।
ସଂକ୍ଷିପ୍ତ ସ୍କୋର: ଓଡ଼ିଶା ପ୍ରଥମ ପାଳି: ୭୭.୧ ଓଭରରେ ୨୪୩/୧୦ ( ଗୋବିନ୍ଦ ପୋଦ୍ଦାର-୬୪, ସମ୍ବିତ ବରାଳ-୫୯*, ସନ୍ଦୀପ ପଟ୍ଟନାୟକ-୫୩, ରାଜେଶ ମହାନ୍ତି-୪୮, ଶିବମ ଶର୍ମା-୩/୬୫, ଶିବମ ମାଭି-୨/୪୬, ପ୍ରଶାନ୍ତ ବୀର-୨/୧, ବିପ୍ରଜ ନିଗମ-୨/୩୯, କୁନାଲ ତ୍ୟାଗୀ-୧/୨୯)। ଉତ୍ତରପ୍ରଦେଶ ପ୍ରଥମ ପାଳି: ୮୬ ଓଭରରେ ୨୬୨/୩ (କରଣ ଶର୍ମା-୮୩*, ଆରାଧ୍ୟା ଯାଦବ-୮୦*, ମାଧବ କୌଶିକ ୬୭, ଅଭିଷେକ ଗୋସ୍ବାମୀ-୨୪, ସମ୍ବିତ ବରାଳ-୧୩-୨-୩୫-୩)।
Follow Us