କଟକ: ବାରବାଟୀ ଷ୍ଟାଡିୟମ୍ରେ ଚାଲିଥିବା ଓଡ଼ିଶା-ପୁଡୁଚେରୀ ରଣଜୀ ମ୍ୟାଚ୍ରେ ଓଡ଼ିଶା ସୁବିଧାଜନକ ସ୍ଥିତିରେ ରହିଛି। ପ୍ରଥମ ପାଳିରେ ୩୪ରନ୍ରେ ଅଗ୍ରଣୀ ରହିଥିବା ଓଡ଼ିଶା ରବିବାର ଦ୍ବିତୀୟ ପାଳି ଆରମ୍ଭ କରି ୪୦ ଓଭରରେ ୪ ୱିକେଟ୍ ହରାଇ ଷ୍ଟମ୍ପ୍ସ ପ୍ରତ୍ୟାହାର ସୁଦ୍ଧା ୧୨୨ ରନ୍ କରିଛି। ଗୋବିନ୍ଦ ପୋଦ୍ଦାର ୧୯ ଓ ବିପ୍ଳବ ସାମନ୍ତରାୟ ୫ ରନ୍ କରି ଅପରାଜିତ ରହିଛନ୍ତି। ପୂର୍ବରୁ ଅନୁରାଗ ଷଡ଼ଙ୍ଗୀ ଓ ଅଧିନାୟକ ଶାନ୍ତନୁ ମିଶ୍ର ରକ୍ଷଣାତ୍ମକ ଢଙ୍ଗରେ ପାଳି ଆରମ୍ଭ କରିିଥିଲେ। ତେବେ ଦଳୀୟ ସ୍କୋର୍ ୫୫ ରନ୍ ହୋଇଥିବା ବେଳେ ଅନୁରାଗ ୨୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶାନ୍ତନୁ ୮୪ ବଲ୍ରୁ ୨୮ ରନ୍ କରିଥିଲେ। ସେହିଭଳି ସନ୍ଦୀପ ପଟ୍ଟନାୟକ ୧୬ ଓ ଶୁଭ୍ରାଂଶୁ ସେନାପତି ୧୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ଶୁଭ୍ରାଂଶୁ ଓ ଗୋବିନ୍ଦ ପୋଦ୍ଦାରଙ୍କ ଯୋଡ଼ି ୫୧ଟି ବଲ୍ରୁ ୩୧ ରନ୍ କରିଥିଲେ।
ଓଡ଼ିଶାର ପ୍ରଥମ ପାଳି ସ୍କୋର୍ ୩୨୨ ରନ୍କୁ ପିଛା କରି ପୁଡୁଚେରୀ ଶନିବାର ୪ ୱିକେଟ୍ ବିନିମୟରେ ୧୨୭ ରନ୍ କରିଥିଲା। ରବିବାର ଅରୁଣ କାର୍ତ୍ତିକଙ୍କ ଶତକ (୧୧୦) ସତ୍ତ୍ବେ ସମସ୍ତ ୱିକେଟ୍ ବିନିମୟରେ ୨୮୪ ରନ୍ କରିପାରିଥିଲା। ଫଳରେ ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ଅତିରିକ୍ତ ପଏଣ୍ଟ୍ ଅର୍ଜନ କରିବାରୁ ବଞ୍ଚିତ ହୋଇଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ ଓ ହର୍ଷିତ ରାଠୋଡ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ। ଦେବବ୍ରତ ପ୍ରଧାନ ଓ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ।
Follow Us