ମାନ୍ୟତା ୨୦, ଶୀର୍ଷ ୮ରେ ଫ୍ରାନ୍ସ

Advertisment
ମାନ୍ୟତା ୨୦, ଶୀର୍ଷ ୮ରେ ଫ୍ରାନ୍ସ

ଭୁବନେଶ୍ବର: ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ସୋମବାର ଇଂଲଣ୍ଡ ପରେ ଫ୍ରାନ୍ସ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ପ୍ରଥମ ଦୁଇ କ୍ରସ୍ ଓଭର ମ୍ୟାଚ୍‌ରେ ସୋମବାର ଇଂଲଣ୍ଡ ୨-୦ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ଏବଂ ଫ୍ରାନ୍ସ ୧-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା। ଏଥି ସହିତ ଚଳିତ ବିଶ୍ବକପ୍‌ର ସବୁଠୁ ନିମ୍ନ ମାନ୍ୟତାପ୍ରାପ୍ତ ଦେଶ ଫ୍ରାନ୍ସ ବିଶ୍ବର ଶୀର୍ଷ ୮ ଦଳରେ ସାମିଲ ହୋଇ ଆଉ ପାଦେ ଆଗକୁ ବଢ଼ିଛି। ଶେଷ ଲିଗ୍‌ରେ ଅଲିମ୍ପିକ୍ ବିଜେତା ଆର୍ଜେଣ୍ଟିନାକୁ ମାତ୍‌ ଦେଇଥିବା ଫ୍ରାନ୍ସ ବୁଧବାର ଦ୍ବିତୀୟ କ୍ବାର୍ଟର ଫାଇନାଲରେ ୩ ଥର ବିଜେତା ଅଷ୍ଟ୍ରେଲିଆ ସହିତ ଖେଳିବ। ଅନ୍ୟପକ୍ଷରେ ପ୍ରଥମ ପଦାର୍ପଣରେ ଚମତ୍କାର ଭାବେ ଇଂଲଣ୍ଡ ଓ ଆୟର୍ଲାଣ୍ଡ ସହ ଅମୀମାଂସିତ ରଖିଥିବା ଚୀନ୍‌ର ଅଭିଯାନ ଶେଷ ହୋଇଯାଇଛି।
ସୋମବାରର ଦ୍ବିତୀୟ କ୍ରସ୍ ଓଭର ମ୍ୟାଚ୍ ଯେତିକି ଆକ୍ରମଣାତ୍ମକ ଥିଲା ସେତିକି ରକ୍ଷଣାତ୍ମକ ବି ରହିଥିଲା। ପ୍ରଥମ ଦୁଇ କ୍ବାର୍ଟର ଗୋଲ୍‌ଶୂନ୍ୟ ବିତିଥିଲେ ବି ପରସ୍ପରର ବଳୟ ଭିତରେ ଅନେକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ ନଜରକୁ ଆସିଥିଲା। ଦ୍ବିତୀୟ ମିନିଟରୁ ହିଁ ଚାଇନିଜ୍ ବଳୟ ଭିତରେ ଫରାସୀ ମେଳି ଦେଖିବାକୁ ମିଳିଥିଲା। ଚାଇନା ପ୍ରାଚୀର କିନ୍ତୁ ଭେଦିବା ଫ୍ରେଞ୍ଚ୍ ଖେଳାଳିଙ୍କ ପାଇଁ ଏତେ ସହଜ ହୋଇନଥିଲା। ଫ୍ରାନ୍ସ ଦୁଇ ଦୁଇଟି ପେନାଲଟି କର୍ନର ପାଇଥିଲେ ମଧ୍ୟ ଅଧିନାୟକ ଭିକ୍ଟର ଚାର୍ଲେଟଙ୍କ ଫ୍ଲିକ୍‌କୁ ଚୀନ ଗୋଲି କାଇୟୁ ୱାଙ୍ଗ୍‌ ରୋକି ଦେଇଥିଲେ। ୧୯ତମ ମିନିଟରେ ଚୀନ୍ ପାଇଁ ଡାହାଣ ଫାଙ୍କରୁ ଆକ୍ରମଣ କରିଥିଲେ ମଧ୍ୟ ଗୋଲ୍‌ ମୁହଁରେ ଇ ୱନହୁଇ ବଲ୍‌ରେ ଟଚ୍ ଆଣି ନ ପାରି ବିଫଳ ହୋଇଥିଲେ। ପରବର୍ତୀ ମିନିଟରେ ବଲ୍‌ କିନ୍ତୁ ଚୀନ୍‌ ଗୋଲ୍‌ ମୁହଁରେ ପହଞ୍ଚିଥିଲା। ଯାହାକୁ ମାକ୍ସିମିଲିଏନ୍ ବ୍ରାଣିକି ମଧ୍ୟ ଗୋଲ୍‌ ଦେବାରେ ସଫଳ ରହିନଥିଲେ। ୩୬ତମ ମିନିଟରେ ଗୋଲ୍‌ ପ୍ରତୀକ୍ଷାର ଅନ୍ତ ଘଟିଥିଲା।

ନିଜର ୧୦୦ତମ ମ୍ୟାଚ୍ ଖେଳୁଥିବା ଭିକ୍ଟର ଲକ୍‌ଉଡଙ୍କ ଚମତ୍କାର ଡ୍ରିବଲ୍ ଜରିଆରେ ଚୀନ୍‌ ଡିଫେଣ୍ଡରଙ୍କୁ ଭେଦିଥିଲେ। ଏହା ପରେ ତାଙ୍କ ଡାହାଣ ପାର୍ଶ ପାସ୍‌କୁ ମ୍ୟାକ୍ସିଲିଏନ୍ ବ୍ରାଣିକିଙ୍କ ହିଟ୍‌ରୁ ତିମୋଥି କ୍ଲିମେଣ୍ଟ (୩୬ତମ ମିନିଟ) ଶେଷ ସ୍ପର୍ଶ ଦେଇ ଗୋଲ୍‌ ଭିତରକୁ ପଠାଇଥିଲେ। ତଥାପି ଚୀନ୍‌ ରକ୍ଷଣଭାଗକୁ ଭେଦିବା ଅସମ୍ଭବ ଥିଲା। ଶେଷ ୨ ମିନିଟରେ ୨ଟି ପେନାଲଟି କର୍ନର ଅର୍ଜନ କରି ଚୀନ୍‌ ମଧ୍ୟ ପ୍ରତ୍ୟାବର୍ତନ ପ୍ରୟାସ କରିଥିଲା, ଯାହାକୁ ଉଭୟ ଥର ଫ୍ରାନ୍ସ ଗୋଲ୍‌ରକ୍ଷକ ଆର୍ଥର ଥିଫ୍ରି ରୋକି ଦେଇଥିଲେ। ଫ୍ରାନ୍ସ ୧-୦ରେ ଜିତି ଆଉ ଏକ ଚମତ୍କାର କରିବାର ଆଶାରେ ରହିଲା। ମ୍ୟାଚ୍ ପ୍ରାରମ୍ଭରେ ଆଇଏଏସ୍ ବଲବନ୍ତ ସିଂହ ଏବଂ ଶେଷରେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଅତିଥି ଥିଲେ। ନିଜର ୧୦୦ତମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ୨୬ ବର୍ଷୀୟ ଭିକ୍ଟର ଲକ୍‌ଉଡ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe