India Today
ମାଞ୍ଚେଷ୍ଟର: ସ୍ପିନର ଆଦିଲ ରସିଦ୍ (୪/୩୫)ଙ୍କ କ୍ୟାରିୟର ଶ୍ରେଷ୍ଠ ବୋଲିଂ ସଫଳତା ପରେ ଓପ୍ନର ଜାସନ୍ ରୟ (୬୪ ରନ୍, ୩୬ ବଲ୍, ୧୨ ଚୌକା, ୧ ଛକା)ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଘରୋଇ ଇଂଲଣ୍ଡ ଦଳ ଭ୍ରମଣକାରୀ ପାକିସ୍ତାନ ବିପକ୍ଷରେ ଟି-୨୦ ଶୃଙ୍ଖଳା ଜିତିନେଇଛି। ମଙ୍ଗଳବାର ଖେଳାଯାଇଥିବା ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ରେ ପାକିସ୍ତାନ ୩ ୱିକେଟ୍ରେ ପରାସ୍ତ ହେବାରୁ ଇଂଲଣ୍ଡ ୨-୧ରେ ଶୃଙ୍ଖଳା ବିଜେତା ହୋଇଛି। ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍ୱାନ (୭୬* ରନ୍, ୫୭ ବଲ୍, ୫ ଚୌକା, ୩ ଛକା)ଙ୍କ ଅପରାଜିତ ଦ୍ରୁତ ଅର୍ଦ୍ଧଶତକ ଫିକା ପଡ଼ିଯାଇଥିଲା ବେଳେ ଜାସନ୍ ରୟ ମ୍ୟାଚ୍ର ଏବଂ ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରିଜ୍ୱାନ୍ ଏକାକି ଗୋଟିଏପଟେ ରନ୍ ହାର ବଢ଼ାଇ ଚାଲିଥିଲା ବେଳେ ଅନ୍ୟପଟେ ୱିକେଟ୍ ଝଡ଼ି ଚାଲିଥିଲା। ଅଧିନାୟକ ବାବର ଆଜମ୍ (୧୧), ମକ୍ସୁଦ୍ (୧୩), ଫକର ଜମନ (୨୪) ଓ ହାସନ୍ ଅଲ୍ଲୀ (୧୫*) ଦୁଇ ଅଙ୍କ ଟପିଥିଲା ବେଳେ ପାକିସ୍ତାନ ସ୍କୋର୍ ୧୫୪/୬ ହୋଇଥିଲା। ଆଦିଲ ରସିଦ୍ ୪ ଓ ମୋଇନ୍ ଅଲ୍ଲୀ ଗୋଟିଏ ୱିକେଟ୍ ପାଇଥିଲେ। ଜବାବରେ ଜାସନ୍ ରୟ ଆରମ୍ଭରୁ ପାକ୍ ବୋଲରଙ୍କୁ ପ୍ରହାର କରିଥିଲେ। ୩୦ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିବା ରୟ ସାହିନ ଆଫ୍ରିଦିଙ୍କ ପ୍ରଥମ ଓଭରରେ ୪ ଚୌକା ଏବଂ ଇମାଦ୍ ୱାସିମ୍ଙ୍କୁ ଛକା ମାରି ତାଙ୍କ ଆକ୍ରାମକ ରୂପ ଦେଖାଇଥିଲେ। ତାଙ୍କ ଆଉଟ୍ ପରେ ଦାୱିଦ୍ ମଲାନ (୩୧), ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ଜୋସ୍ ବଟ୍ଟଲର (୨୧) ଏବଂ ଅଧିନାୟକ ଇଅନ୍ ମୋର୍ଗାନ୍ (୨୧) ଦଳକୁ ବିଜୟ ଦିଗରେ ଆଗେଇ ନେଇଥିଲେ। ଶେଷରେ ଇଂଲଣ୍ଡ ଶେଷ ଓଭରର ଚତୁର୍ଥ ବଲ୍ରେ ବିଜୟୀ ହୋଇଥିଲା। ମହମ୍ମଦ ହାଫିଜ୍ (୩/୨୮) ପାକିସ୍ତାନ ପକ୍ଷରୁ ସଫଳ ବୋଲର ରହିଥିଲେ ମଧ୍ୟ ଇଂଲଣ୍ଡ (୧୫୫/୭) ୧୯.୪ ଓଭରରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା।
Follow Us