ଡେରାଡୁନରେ ରସିଦ ରୋମାଞ୍ଚ: ବାଂଲାଦେଶକୁ ହରାଇଲା ଆଫଗାନିସ୍ତାନ

Advertisment
ଆଫଗାନିସ୍ତାନ ସହ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ, ତାତିଲେ ରସିଦ

ଡେରାଡୁନ: ଆଇପିଏଲ୍‌ ଭଳି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ଆଫଗାନିସ୍ତାନର ୧୯ ବର୍ଷୀୟ ସ୍ପିନର ରସିଦ ଖାନଙ୍କ ଯାଦୁ ଦେଖିବାକୁ ମିଳିଛି। ଡେରାଡୁନରେ ନିଜ ସର୍ବପ୍ରଥମ ଘରୋଇ ଶୃଙ୍ଖଳା ଖେଳୁଥିବା ଆଫଗାନିସ୍ତାନ ରସିଦଙ୍କ ଶାଣିତ ବୋଲିଂ ବଳରେ ହିଁ ଅପେକ୍ଷାକୃତ ଶକ୍ତିଶାଳୀ ଓ ଅଭିଜ୍ଞ ବାଂଲାଦେଶକୁ ୪୫ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଦେଇଛି। ଘରୋଇ ମାହୋଲ ଭଲ ନଥିବାରୁ ଭାରତକୁ ଯୁଦ୍ଧ ବିଧ୍ୱସ୍ତ ଆଫଗାନିସ୍ତାନ ନିଜ ଦ୍ୱିତୀୟ ଘର କରିଛି। ସେହି କ୍ରମରେ ଡେରାଡୁନରେ ବାଂଲାଦେଶ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ଖେଳୁଛି। ଯାହାର ପ୍ରଥମ ମୁକାବିଲା ରବିବାର ରାତିରେ ଖେଳା ଯାଇଥିଲା। ଆଡ଼ମ୍ବରପୂର୍ଣ୍ଣ ହେଲେ ଅପେକ୍ଷାକୃତ ବିଶୃଙ୍ଖଳିତ ପରିବେଶରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ମହମ୍ମଦ ସେହଜାଦ ସର୍ବାଧିକ ୪୦ ରନ୍‌ କରିଥିଲା ବେଳେ ସାମିଉଲ୍ଲା ସେନଓ୍ଵାରି ୩୬ ରନ୍‌ କରିଥିଲେ। ଏହା ପରେ ଆଫଗାନିସ୍ତାନ ନିଜ ବୋଲିଂ ବଳ ଦେଖାଇଥିଲା। ରସିଦ ଏବଂ ଅନ୍ୟତମ ଯୁବ ସ୍ପିନର ମୁଜିବୁର ରେହମାନ ନିଜ ନିଜ ପ୍ରଥମ ବଲରେ ଓ୍ଵିକେଟ୍‌ ନେଇ ବାଂଲାଦେଶକୁ ଘାଇଲା କରି ଦେଇଥିଲେ। ଉଭୟ ମିଳିତ ଭାବେ ମାତ୍ର ୩୩ ରନ୍‌ ଦେଇ ୪ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ସେହିଭଳି ବାମହାତୀ ଦ୍ରୁତ ବୋଲର ସପୁର ଜର୍ଦାନ ମଧ୍ୟ ୩ ଓ୍ଵିକେଟ୍‌ ନେଇ ବାଂଲାଦେଶକୁ ପୂରା ଚକିତ କରି ଦେଇଥିଲେ। ଅଭିଜ୍ଞ ମହମ୍ମଦ ନବି ବ୍ୟାଟ୍‌ରେ କିଛି କରି ପାରି ନଥିଲେ ମଧ୍ୟ ଦୁଇ ଜଣ ବାଂଲା ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ବାଂଲାଦେଶର ବିପର୍ଯ୍ୟୟ ଘଟାଇଥିଲେ। ରସିଦ ଓ ମୁଜିବୁର କିନ୍ତୁ ଆଫଗାନିସ୍ତାନକୁ ଐତିହାସିକ ବିଜୟ ଉପହାର ଦେଇଥିଲେ। ଏକତରଫା ବିଜୟ ସହ ଏହି ଦଳ ମଧ୍ୟ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇ ଯାଇଥିଲା। ଏହି ଶୃଙ୍ଖଳା ପରେ ଆଫଗାନିସ୍ତାନ ବେଙ୍ଗାଲୁରୁଠାରେ ଚଳିତ ମାସ ୧୪ ତାରିଖରୁ ଭାରତ ବିପକ୍ଷରେ ନିଜ ସର୍ବପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe