ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ସିରିଜ ହାରିବା ପରେ ବିରାଟ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ପଲ୍ଲୀରୁ ଦିଲ୍ଲୀ ଯାଏଁ ଏହି ଚର୍ଚ୍ଚା ଚାଲିଛି ଯେ ଭାରତୀୟ ଟେଷ୍ଟ ଦଳର ପରବର୍ତ୍ତୀ ଅଧିନାୟକ କିଏ ହେବେ ? ଏ ବିଷୟରେ ଭାରତୀୟ ଦଳର ପୂର୍ବତନ କୋଚ ରବି ଶାସ୍ତ୍ରୀ ନିଜର ମତ ପ୍ରକାଶ କରି କହିଛନ୍ତି, ଜସପ୍ରୀତ ବୁମରାଙ୍କୁ ଅଧିନାୟକ ପଦବୀ ଦିଆଯିବା ଉଚିତ ନୁହେଁ।
ସୋଏବ ଅଖତରଙ୍କ ସହ ଆଲୋଚନା ସମୟରେ ରବି ଶାସ୍ତ୍ରୀ ଜସପ୍ରୀତ ବୁମରାଙ୍କୁ ଅଧିନାୟକ କରାଯିବା ପ୍ରସଙ୍ଗରେ କହିଛନ୍ତି, ନାଁ, ମୁଁ ଏ ବିଷୟରେ କେବେ ଭାବି ହିଁ ନାହିଁ। ଭାରତୀୟ ଦଳରେ ଅଧିନାୟକ ପାଇଁ ଯଥେଷ୍ଟ ବିକଳ୍ପ ଅଛନ୍ତି। ଜଣେ ଦ୍ରୁତ ବୋଲର୍ ପାଇଁ ଭାରତୀୟ ଦଳର ଅଧିନାୟକ ହେବା କଷ୍ଟସାଧ୍ୟ ହେବ। ଅଧିନାୟକତ୍ବ ପାଇଁ ଜଣେ ଦ୍ରୁତ ବୋଲରଙ୍କୁ ଅଲରାଉଣ୍ଡର ହେବା ଦରକାର ଅଥବା ତାଙ୍କୁ ଇଂଲଣ୍ଡର ପ୍ରସିଦ୍ଧ ଦ୍ରୁତ ବୋଲର ତଥା ଅଧିନାୟକ ବବ୍ ଓ୍ଵିଲିସଙ୍କ ପରି ହେବାକୁ ପଡ଼ିବ।
The Sentinelତେଣେ ଜସପ୍ରୀତ୍ ବୁମରା ଅଧିନାୟକ ହେବା ପାଇଁ ପ୍ରସ୍ତୁତ ଅଛନ୍ତି। କାରଣ ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ତାଙ୍କୁ ଟେଷ୍ଟ ଅଧିନାୟକ ହେବା ବିଷୟରେ ପଚରା ଯାଇଥିଲା ସେତେବେଳେ ସେ କହିଥିଲେ, ମୁଁ ପ୍ରତ୍ୟେକ ଆହ୍ଵାନ ପାଇଁ ପ୍ରସ୍ତୁତ ହେଉଛି। ଯଦି ତାଙ୍କୁ ଟେଷ୍ଟ ଦଳର ଅଧିନାୟକ କରି ଦିଆଯାଏ ତେବେ ଏହା ତାଙ୍କ ପାଇଁ ସମ୍ମାନର କଥା ହେବ ବୋଲି ସେ କହିଥିଲେ। ଦକ୍ଷିଣ ଆଫ୍ରିକା ବିରୋଧରେ ଦିନିକିଆ ସିରିଜରେ ଜସପ୍ରୀତ୍ ବୁମରା ଭାରତୀୟ ଦଳର ଉପ-ଅଧିନାୟକ ଥିଲେ।
ବିରାଟ କୋହଲିଙ୍କ ପରେ ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପାଇଁ ୩ ଜଣ ଖେଳାଳିଙ୍କ ନାମ ସାମନାକୁ ଆସୁଛି। କ୍ରିକେଟ ବିଶେଷଜ୍ଞଙ୍କ ଅନୁସାରେ ରୋହିତ ଶର୍ମା, ଲୋକେଶ୍ ରାହୁଲ୍ କିମ୍ବା ଋଷଭ୍ ପନ୍ତଙ୍କୁ ଭାରତୀୟ ଦଳର ଅଧିନାୟକ କରାଯାଇପାରେ। ଏମାନଙ୍କ ମଧ୍ୟରୁ ରୋହିତ ଶର୍ମାଙ୍କ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି। କୁହାଯାଉଛି, ଦିନିକିଆ ପରେ ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ପଦ ଦିଆଯାଇ ପାରେ। ଭାରତୀୟ ଦଳର ଶେଷ ବୋଲର ଅଧିନାୟକ କପିଳ ଦେବ ଥିଲେ। ତେବେ କପିଳ ଦେବ କେବଳ ବୋଲର ନ ଥିଲେ, ସେ ଜଣେ ଉଚ୍ଚକୋଟୀର ଅଲରାଉଣ୍ଡର ମଧ୍ୟ ଥିଲେ।
Follow Us