Deccan Chronicle
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ତଥା ପୂର୍ବତନ ଅଧିନାୟକ ରବି ଶାସ୍ତ୍ରୀ ଗୁରୁବାର ୫୯ତମ ଜନ୍ମଦିନକୁ ନିରାଡ଼ମ୍ବର ଭାବେ ପାଳନ କରିଛନ୍ତି। ଏହି ଅବସରରେ ଶାସ୍ତ୍ରୀଙ୍କ ନିକଟକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଥିଲା। ବିରାଟ କୋହଲି, ଋଷଭ ପନ୍ତ୍, ଅଜିଙ୍କ୍ୟ ରାହାଣେ ଏବଂ ୱାସିମ୍ ଜାଫର ପ୍ରମୁଖ ସେମାନଙ୍କ ପ୍ରିୟ ‘ରବି ଭାଇ’ଙ୍କୁ ଶୁଭକାମନା ଜଣାଇବାରେ ଅଗ୍ରଣୀ ରହିଥିଲେ। ଭାରତ ପାଇଁ ୨୩୦ ଅନ୍ତର୍ଜାତୀୟ ମ୍ୟାଚ୍ (୮୦ ଟେଷ୍ଟ୍ ଓ ୧୫୦ ଦିନିକିଆ) ଖେଳିଥିବା ଶାସ୍ତ୍ରୀ ଉଭୟ ଫର୍ମାଟରେ ମିଳିତ ଭାବେ ୬,୯୩୮ ରନ୍ ଏବଂ ୨୮୦ ୱିକେଟ୍ ନେଇଥିଲେ। ତେବେ ୧୯୮୫ ମସିହାରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ବେନ୍ସନ୍ ଆଣ୍ଡ୍ ହେଜ୍ସ ବିଶ୍ବ ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନ ବେଶ ଚର୍ଚ୍ଚାରେ ରହିଥିଲା। ଏହି ଦିନିକିଆ ପ୍ରତିଯୋଗିତାରେ ରବି ଶାସ୍ତ୍ରୀ ୧୮୨ ରନ୍ ଓ ୮ ୱିକେଟ୍ ନେଇଥିଲେ। ଭାରତ ବେନ୍ସନ୍ ଆଣ୍ଡ୍ ହେଜସ୍ ବିଶ୍ବକପ୍ ଜିତିଥିଲା ଏବଂ ଏଥି ପାଇଁ ମଧ୍ୟ ଭାରତକୁ ୱିଜଡେନ୍ ‘ଟିମ୍ ଅଫ୍ ସି ସେଞ୍ଚୁରି’ ବିବେଚିତ ହୋଇଥିଲା।
ପାକିସ୍ତାନ ବିପକ୍ଷ ଫାଇନାଲରେ ସେ ଗୋଟିଏ ୱିକେଟ୍ (ତାହିର୍ ନକାଶ) ନେଇଥିଲେ ମଧ୍ୟ ବ୍ୟାଟିଂ ବଳେ ଗୁରୁତ୍ବପୂର୍ଣ୍ଣ ୬୩ ରନ୍ କରିଥିଲେ। ଅପରାଜିତ ରହି ସେ ଭାରତକୁ ୮ ୱିକେଟ୍ରେ ବିଜୟୀ କରାଇଥିଲେ। ୧୯୮୩ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ମଧ୍ୟ ଅନ୍ୟତମ ସଦସ୍ୟ ଥିଲେ ଶାସ୍ତ୍ରୀ। ଶାସ୍ତ୍ରୀ ମଧ୍ୟ ସେ ସମୟରେ ବିଶ୍ବର ଦ୍ବିତୀୟ ଖେଳାଳିଭାବେ କୌଣସି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ କ୍ରିକେଟ୍ରେ ଗୋଟିଏ ଓଭରରେ ୬ ଛକା ମାରିବାର ଗୌରବ ଅର୍ଜନ କରିଥିଲେ। ଶାସ୍ତ୍ରୀଙ୍କ ପୂର୍ବରୁ ଗ୍ୟାରି ସୋବର୍ସ ଏଭଳି କରିପାରିଥିଲେ। ଶାସ୍ତ୍ରୀ ବରୋଦା ବିପକ୍ଷ ରଣଜୀ ମ୍ୟାଚ୍ରେ ମୁମ୍ବାଇ ପାଇଁ ଖେଳୁଥିବା ବେଳେ ଏହି ୬ ଛକା ମାରିଥିଲେ।
ଶାସ୍ତ୍ରୀ ଏବେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ବହୁ ସଫଳତା ଅର୍ଜନ କରି ସାରିଛନ୍ତି। ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ଦୁଇ ଥର ଅଷ୍ଟ୍ରେଲିଆରେ ଐତିହାସିକ ଟେଷ୍ଟ୍ ଶୃଙ୍ଖଳା ବିଜୟ ପାଇସାରିଛି। ବର୍ତମାନ ଭାରତ ମଧ୍ୟ ଟେଷ୍ଟ୍ ମାନ୍ୟତାରେ ଏକ ନମ୍ବର ରହିଛି। ୨୦୧୯ରେ ଭାରତ ବିଶ୍ବକପ୍ ସେମିଫାଇନାଲରୁ ବିଦାୟ ନେଇଥିଲା। ଜୁନ୍ ୧୮ ତାରିଖରୁ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି।
Follow Us