ଆର୍‌ସିବିର ହ୍ୟାଟ୍ରିକ୍‌ ବିଜୟ: ମ୍ୟାକ୍ସୱେଲ୍‌, ଏବିଡିଙ୍କ ଆକ୍ରମଣରେ କେକେଆର୍‌ ଧରାଶାୟୀ

Advertisment
ଆର୍‌ସିବିର ହ୍ୟାଟ୍ରିକ୍‌ ବିଜୟ: ମ୍ୟାକ୍ସୱେଲ୍‌, ଏବିଡିଙ୍କ ଆକ୍ରମଣରେ କେକେଆର୍‌ ଧରାଶାୟୀ

ଚେନ୍ନାଇ: ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ର ଦୁଇ ବିଦେଶୀ ଖେଳାଳି ଗ୍ଲେନ୍ ମ୍ୟାକ୍ସୱେଲ୍‌ ଏବଂ ଏବି ଡି’ ଭିଲିୟର୍ସଙ୍କ ତୋଫାନୀ ବ୍ୟାଟିଂରେ କୋଲକାତା ନାଇଟ୍ ରାଇଡର୍ସ ଧୂଳିସାତ୍ ହୋଇଛି। ଅସାଧାରଣ ବ୍ୟାଟ୍ସମ୍ୟାନ୍‌ ଭଳି ଖେଳି ମ୍ୟାକ୍ସୱେଲ୍‌ ଓ ଡି’ ଭିଲିୟର୍ସ କଷ୍ଟକର ଚେପକ୍‌ ପିଚ୍‌ରେ ରୟାଲ ଚାଲେଞ୍ଜର୍ସକୁ ୨୦୪ ରନ୍‌ର ବଡ଼ ସ୍କୋର ପ୍ରଦାନ କରିଥିଲେ। ଏହା ପରେ କୋଲ୍‌କାତା ୧୬୬/୮ରେ ସୀମିତ ରହି ୩୮ ରନ୍‌ରେ ମ୍ୟାଚ୍‌ ହାରିଯାଇଛି। ପ୍ରଥମ ଥର ପାଇଁ ଆର୍‌ସିବି ଲିଗ୍‌ ପ୍ରାରମ୍ଭରେ ହ୍ୟାଟ୍ରିକ୍ ବିଜୟ ସହ ଠିକଣା ପଥରେ ରହିଛି। ଏକମାତ୍ର ଅପରାଜିତ ଦଳ ଭାବେ ବିରାଟ କୋହଲିଙ୍କ ଆର୍‌ସିବି ପଏଣ୍ଟ ଟେବୁଲ୍‌ ଶୀର୍ଷକୁ ଦୃଢ଼ କରିଛି। କେକେଆର୍‌ ତୃତୀୟ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ସହ ଚାପରେ ପଡ଼ିଛି।

ରବିବାର ଅପରାହ୍‌ଣରେ ଚେପକ୍‌ରେ ଟସ୍ ଜିତି ବିରାଟ କୋହଲି ପ୍ରଥମେ ବ୍ୟାଟିଂ ନେଇଥିଲେ। କିନ୍ତୁ ବ୍ୟକ୍ତିଗତ ଭାବେ ମାତ୍ର ୫ ରନ୍‌ କରି ଆଉଟ୍ ହୋଇଯାଇଥିଲେ। ଏହାର ୩ ବଲ୍ ପରେ ରଜତ ପଟିଦାରଙ୍କ ୱିକେଟ୍ ହରାଇ ଆର୍‌ସିବି ୯/୨ରେ ସଂଘର୍ଷ କରିଥିଲା। ତାମିଲନାଡୁର ରହସ୍ୟମୟ ସ୍ପିନର୍‌ ବରୁଣ ଚକ୍ରବର୍ତୀ ଉଭୟଙ୍କ ୱିକେଟ୍‌ ଗୋଟିଏ ଓଭରରେ ନେଇ ଚହଳ ପକାଇଥିଲେ। ଏହି ସମୟରେ ଦେବଦତ୍ତ ପଡିକଲ୍‌ (୨୫ ରନ୍‌, ୨୮ ବଲ୍‌) ସାମୟିକ ଲଢ଼ିଥିଲେ ମଧ୍ୟ ଲମ୍ବା ‌ପାଳି ଖେଳିପାରିନଥିଲେ। ପଡିକଲ୍‌ କିନ୍ତୁ ମ୍ୟାକ୍ସୱେଲଙ୍କ ସହ ମିଶି ତୃତୀୟ ୱିକେଟ୍‌ରେ ୮୬ ରନ୍‌ ଯୋଡ଼ିଥିଲେ। ଏହା ପରେ ମ୍ୟାକ୍ସୱେଲ୍‌-ଏବିଡିଙ୍କ ସୋ’ କେକେଆର୍‌ ବୋଲରଙ୍କୁ ନୟାନ୍ତ କରିଥିଲା।

ଏହି ଯୋଡ଼ି ଆର୍‌ସିବିର ଶେଷ ୭ ଓଭରରୁ ୯୮ ରନ୍ ଯୋଡ଼ି କେକେଆର୍‌ ପାଇଁ କଣ୍ଟା ସାଜିଥିଲେ। ଏଥର ପରିପକ୍ବ ବ୍ୟାଟିଂ କରୁଥିବା ମ୍ୟାକ୍ସୱେଲ୍‌ ୨୮ ବଲ୍‌ରୁ ଏବଂ ବିପଜ୍ଜନକ ଏବିଡି ୨୭ ବଲ୍‌ରୁ ନିଜ ନିଜର ଅର୍ଦ୍ଧଶତକ ପୂର୍ଣ୍ଣ କରିଥିଲେ। ମ୍ୟାକ୍ସୱେଲ୍ ୪୯ ବଲ୍‌ରୁ ୭୮ ଏବଂ ଏବିଡି ୩୪ ବଲ୍‌ରୁ ୭୬* ରନ୍‌ କରିବାରୁ ଆର୍‌ସିବି ୪ ୱିକେଟ୍‌ ବିନିମୟରେ ୨୦୪ ରନ୍‌ କରିଥିଲା। ଉଭୟଙ୍କ ପାଳିରେ ସମାନ ୯ ଲେଖାଏଁ ଚୌକା ଓ ୩ ଲେଖାଏଁ ଛକା ସାମିଲ ଥିଲା।

ଜବାବରେ କୋଲକାତା ପାଇଁ ନୀତୀଶ ରାଣା ଓ ଶୁବମନ ଗିଲ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ବଡ଼ ଭାଗୀଦାରି କରିପାରିନଥିଲେ। ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ କେକେଆର୍‌ ୧୬୬/୮ରେ ସୀମିତ ହୋଇଯାଇଥିଲା। ହର୍ଷଲ ପଟେଲ୍‌ (୪-୦-୧୭-୧) ସବୁଠୁ ମିତବ୍ୟୟୀ ବୋଲିଂ କରିଥିଲେ। ମହମ୍ମଦ ସିରାଜ (୩-୦-୧୭-୦) ମଧ୍ୟ ତାଙ୍କୁ ଠିକ୍ ତାଳ ଦେଇଥିଲେ। କାଇଲ୍‌ ଜାମିସନ୍‌ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ କେକେଆର୍‌ର ସର୍ବାଧିକ କ୍ଷତି (୩-୦-୪୧-୩) ଘଟାଇଥିଲେ। ୟୁଝବେନ୍ଦ୍ର ଚହଲ ମଧ୍ୟ ୨ ୱିକେଟ୍ ଚଟକାଇଥିଲେ। ବିସ୍ଫୋରକ ଅର୍ଦ୍ଧଶତକ ପାଇଁ ଏବିଡି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe