The Business Standard
ଦୋହା: ଚଳିତ ଫିଫା ବିଶ୍ବକପ୍ ନକ୍ ଆଉଟ୍ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି ଆଫ୍ରିକୀୟ ଦେଶ ଘାନା। ସୋମବାର ଏଜୁକେସନ ସିଟି ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍-ଏଚ୍ର ଏହି ମ୍ୟାଚ୍ରେ ୬୧ ମାନ୍ୟତାପ୍ରାପ୍ତ ଘାନା ୩-୨ ଗୋଲ୍ରେ ବିଶ୍ବ ମାନ୍ୟତାର ୨୮ତମ ସ୍ଥାନରେ ଥିବା ଏସୀୟ ଦେଶ ଦକ୍ଷିଣ କୋରିଆକୁ ପରାସ୍ତ କରିଦେଇଛି। ଏହି ବିଜୟରୁ ଘାନା ୩ ପଏଣ୍ଟ୍ କରାୟତ୍ତ କରିଛି। ପୂର୍ବରୁ ଏହି ଦଳ ପର୍ତ୍ତୁଗାଲ୍ଠୁ ହାରିଯାଇଥିଲା। ଦକ୍ଷିଣ କୋରିଆ ନିଜର ପ୍ରଥମ ମ୍ୟାଚ୍ରେ ଉରୁଗୁଏ ସହ ଗୋଲ୍ ଶୂନ୍ୟ ଅମୀମାଂସିତ ରଖିଥିଲା।
ମ୍ୟାଚ୍ର ୨୪ତମ ମିନିଟ୍ରେ ମହମ୍ମଦ ସାଲିସୁଙ୍କ ଗୋଲ୍ରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା ଘାନା। ଜୋର୍ଡାନ ଆୟେଉଙ୍କ କ୍ରସ୍ ପାସ୍କୁ ସାଲିସୁ ବାମ ଗୋଡ଼ରେ ଦକ୍ଷିଣ କୋରିଆ ଗୋଲ୍ପୋଷ୍ଟ୍କୁ ପଠାଇ ଦଳକୁ ଏହି ସଫଳତା ଦେଇଥିଲେ। ଏହାର ୧୦ ମିନିଟ୍ ପରେ ଆୟେଉଙ୍କ ଆଉ ଏକ ପାସ୍କୁ ପେନାଲ୍ଟି ଏରିଆ ମଧ୍ୟରେ ମହମ୍ମଦ କୁଡୁସ ଚମତ୍କାର ହେଡର୍ରେ ଗୋଲ୍ କରି ଘାନାକୁ ୨-୦ରେ ଆଗୁଆ ରଖିଥିଲେ। ଏଥିସହ ଘାନା ନିଜ ପକ୍ଷରେ ପ୍ରଥମାର୍ଦ୍ଧକୁ ୨-୦ରେ ରଖିଥିଲା। ପ୍ରଥମାର୍ଦ୍ଧରେ ୨ ଗୋଲ୍ରେ ଆଗୁଆ ରହିବା ବିଶ୍ବକପ୍ରେ ଘାନା ପାଇଁ ପ୍ରଥମ ଘଟଣା ହୋଇଥିଲା। ଦ୍ବିତୀୟାର୍ଦ୍ଧରେ ରଣନୀତି ବଦଳାଇ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା ଦକ୍ଷିଣ କୋରିଆ। ଘାନା ଗୋଲ୍ ପୋଷ୍ଟ୍କୁ ଘନଘନ ଆକ୍ରମଣ କରିବା ସହ ୫୮ତମ ମିନିଟ୍ରେ ଗୋଟିଏ ଗୋଲ୍ ଶୁଝି ଦେଇଥିଲା। ଚମତ୍କାର ହେଡର୍ ଦ୍ବାରା ଚୋ ଗୁଏ-ସୁଙ୍ଗ (୫୮ ମିନିଟ୍) କୋରିଆ ପାଇଁ ପ୍ରଥମ ଗୋଲ୍ କରିଥିଲେ।
ବଦଳ ଖେଳାଳି ଲି କାଙ୍ଗଙ୍କ ଲୋ କ୍ରସ୍ ପାସ୍ରେ ଏହି ଗୋଲ୍ କରିଥିଲେ ଗୁଏ-ସୁଙ୍ଗ। ଏହାର ୩ ମିନିଟ୍ ପରେ ଗୁଏ-ସୁଙ୍ଗ (୬୧ ମିନିଟ୍) ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ସହ ସ୍ଥିତି ବରାବର କରିଥିଲେ। ଏହି ଗୋଲ୍ରେ କିମ୍ ଜୁନ୍-ସୁନ୍ଙ୍କ ସହଯୋଗ ରହିଥିଲା। ଏହି ବରାବର ବେଶୀ ସମୟ ରହିନଥିଲା। ୬୮ତମ ମିନିଟ୍ରେ କୁଡ଼ୁସ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ଦେଇ ଦଳକୁ ପୁଣି ଥରେ ଆଗୁଆ କରିଥିଲେ। ମେନ୍ସାଙ୍କ ଏକ କ୍ରସ୍ ସଟ୍ ବକ୍ସ ଭିତରକୁ ଆସିଥିଲା ବେଳେ ୱିଲିୟମ୍ସ ଭୁଲ୍ କରିବାରୁ ଏହା ଖସି କୁଡୁସ ପାଖରେ ପହଞ୍ଚିଥିଲା। କୁଡ଼ୁସ କୌଣସି ଭୁଲ୍ ନକରି ୧୨ ୟାର୍ଡରୁ ଗୋଲ୍ ପୋଷ୍ଟକୁ ପଠାଇ ଦଳକୁ ବିଜୟ ଅଭିମୁଖେ ନେଇଥିଲେ।
Follow Us