ସଚିନଙ୍କ ସହ ପ୍ରଥମ ଦେଖାକୁ ସ୍ମରଣ କଲେ ୱାକର ‘ସ୍କୁଲ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିଥିବାରୁ ସମସ୍ତେ ସଚିନଙ୍କ ଚର୍ଚ୍ଚା କରୁଥିଲେ’

ସଚିନଙ୍କୁ ଆଉଟ୍ କରିବାରେ ୱାକର ପ୍ରଥମ

ସଚିନଙ୍କ ସହ ପ୍ରଥମ ଦେଖାକୁ ସ୍ମରଣ କଲେ ୱାକର ‘ସ୍କୁଲ କ୍ରିକେଟ୍‌ରେ ତ୍ରିଶତକ ହାସଲ କରିଥିବାରୁ ସମସ୍ତେ ସଚିନଙ୍କ ଚର୍ଚ୍ଚା କରୁଥିଲେ’

Jansatta

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ତଥା ପ୍ରଶିକ୍ଷକ ୱାକର ୟୁନିସ୍ ଓ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୧୯୮୯ ମସିହା ଭାରତ-ପାକିସ୍ତାନ ଶୃଙ୍ଖଳାରେ ଏକାଠି ଟେଷ୍ଟ୍ ପଦାର୍ପଣ କରିଥିଲେ। ନିଜ ସମୟରେ ବିଶ୍ବ କ୍ରିକେଟ୍‌ର ଅନ୍ୟତମ ଦୁର୍ଦ୍ଧର୍ଷ ବୋଲରର ମାନ୍ୟତା ଲାଭ କରିଥିବା ୱାକର ସେତେବେଳେ କିଶୋର ସଚିନଙ୍କୁ ଭେଟିବାର ଉତ୍ସୁକତା ଓ ‌କୌତୁହଳକୁ ସ୍ମରଣ କରିଛନ୍ତି। ଘରୋଇ କ୍ରିକେଟ୍‌ରେ ସଚିନ କରିଥିବା ରନ୍ ବର୍ଷାର କାହାଣୀ ଶୁଣି ସେ ଏବଂ ତାଙ୍କ ସାଥୀ ଖେଳାଳିମାନେ କିଭଳି ଚକିତ ହୋଇଯାଇଥିଲେ, ସେ କଥା ମନେ ପକାଇଛନ୍ତି। ‘‘ସଚିନଙ୍କ କଥା ମୁଁ କନିଷ୍ଠ କ୍ରିକେଟ୍ ବେଳୁ ଶୁଣି ଆସୁଥିଲି। ଭାରତୀୟ ୧୯ ବର୍ଷରୁ କମ୍ ଦଳର ସମସ୍ତ ସଦସ୍ୟ ତାଙ୍କୁ ନିୟମିତ ପ୍ରଶଂସା କରୁଥିଲେ। ବିଦ୍ୟାଳୟ ସ୍ତରରେ ତ୍ରିଶତକ ହାସଲ କରିଥିବା ଛୋଟ ପିଲା ବୋଲି କହୁଥିଲେ। ବିଦ୍ୟାଳୟ ସ୍ତରରେ ଶତକ ହାସଲ କରିବା ବଡ଼ କଥା। କିଏ ସେହି ପିଲା ଯିଏ ତ୍ରିଶତକ ହାସଲ କରୁଛି। ଏକଥା ଜାଣିବାକୁ ଆମେ ସମସ୍ତେ ବ୍ୟଗ୍ର ଥିଲୁ। ପ୍ରଥମ ଦେଖାରେ କିନ୍ତୁ ଆଗକୁ ସେହି ଛୋଟ ପିଲାଟି ଯେ ଦିନେ ମହାନ ସଚିନ ତେନ୍ଦୁଲକର ହେବ ବୋଲି ମୁଁ ଭାବି ନଥିଲି। କ୍ରିକେଟ୍ ପଡ଼ିଆ ଭିତରେ ଓ ବାହାରେ ସଚିନ ବିଗତ ବର୍ଷଗୁଡ଼ିକରେ ଯାହା କରିଛନ୍ତି କିମ୍ବା ଯାହା ହାସଲ କରିଛନ୍ତି, ତାହା ଅତ୍ୟନ୍ତ ଚମତ୍କାର ଓ ପ୍ରେରଣାଦାୟୀ। ସେହି ସମୟରେ କିନ୍ତୁ ମୋର ହୃଦୟଙ୍ଗମ ହୋଇ ନଥିଲା ଯେ ଆଗକୁ ଯାଇ ସେ ଜଣେ କିଂବଦନ୍ତିରେ ପରିଣତ ହେବେ। ସଚିନଙ୍କ କଠିନ ପରିଶ୍ରମର ଫଳ କିନ୍ତୁ ତାଙ୍କୁ ମିଳିଥିଲା। ଏହି ଶୃଙ୍ଖଳାରେ ସଚିନ ଓ ୱାକରଙ୍କ ସହ ପାକିସ୍ତାନର ସାହିଦ ସଇଦ ଓ ଭାରତର ସଲିଲ ଆଙ୍କୋଲା ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ପଦାର୍ପଣ କରିଥିଲେ। ହେଲେ ସଚିନ ଓ ୱାକରଙ୍କ ଭଳି ଏମାନେ ସଫଳତାର ସ୍ବାଦ ଚାଖି ପାରିନଥିଲେ। ସଚିନ ଓ ୱାକରଙ୍କ ମଧ୍ୟରେ ହୋଇଥିବା କେତେକ ବ୍ୟାଟ୍-ବଲ୍ ଲଢ଼େଇକୁ କିନ୍ତୁ ଆଜି ବି କ୍ରିକେଟ୍ ପ୍ରେମୀ ମନେ ରଖିଛନ୍ତି।

ସଚିନଙ୍କୁ ଆଉଟ୍ କରିବାରେ ୱାକର ପ୍ରଥମ
୧୯୮୯ ମସିହାର ଭାରତ-ପାକିସ୍ତାନ ଶୃଙ୍ଖଳା ଖେଳିବାକୁ ସଚିନ ମାତ୍ର ୧୬ ବର୍ଷ ବୟସରେ ପାକିସ୍ତାନ ଗସ୍ତ କରିଥିଲେ। ସେହି ଶୃଙ୍ଖଳାରେ ତାଙ୍କୁ ପ୍ରଥମ ଥର ପାଇଁ ଅନ୍ୟତମ ପଦାର୍ପଣକାରୀ ୱାକର ୟୁନିସ ହିଁ ଆଉଟ୍ କରିଥିଲେ। ନିଜ ପ୍ରଥମ ଟେଷ୍ଟ୍ ପାଳିରେ ସଚିନ ମାତ୍ର ୧୫ ରନ୍ କରିଥିଲେ। ଏହା ପରେ ସେ ୫୯, ୪, ୪୧ ଓ ୩୫ ରନ୍ କରିବା ସହ ଶୃଙ୍ଖଳାର ଶେଷ ପାଳିରେ ୫୭ ରନ୍‌ର ଲଢ଼ୁଆ ପାଳି ଖେଳିଥିଲେ। ଏହି ପାଳି ଖେଳିଲା ବେଳେ ୱାକରଙ୍କ ଏକ ବାଉଁସର ମାଡ଼ରେ ତାଙ୍କ ନାକ ଫାଟି ଯାଇଥିଲା। ଏହି ବିଷୟ ମନେ ପକାଇ ୱାକର କହିଛନ୍ତି ଯେ ପ୍ରଥମ ଟେଷ୍ଟ୍‌ କରାଚିରେ ଖେଳା ଯାଇଥିଲା। ଏଥିରେ ସଚିନଙ୍କୁ ମୁଁ ସଅଳ ଆଉଟ୍ କରି ଦେଇଥିଲି। ମୁଁ ଭାବୁଛି ସେ ୧୫ ରନ୍ କରିଥିଲେ। ସେହି ୧୫ ରନ୍ ଭିତରେ ସଚିନ ଦୁଇଟି ଚମତ୍କାର ଅନ୍ ଡ୍ରାଇଭ୍ ସଟ୍ ଖେଳିଥିଲେ। ସେହି ଶୃଙ୍ଖଳାର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକରେ ସେ ଅବଶ୍ୟ ସେମିତି କିଛି ଆଖି ଦୃଶିଆ ସଟ୍ ଖେଳି ନଥିଲେ। ହେଲେ ସିଆଲକୋଟଠାର ସବୁଜ ୱିକେଟ୍‌ରେ ହାସଲ କରିଥିବା ଅର୍ଧଶତକ ଦେଖିଲା ଭଳି ଥିଲା। ଆମେ ଶୃଙ୍ଖଳାର ଫଳାଫଳ ମିଳୁ ବୋଲି ଚାହୁଁଥିଲୁ। ସେଥିପାଇଁ ସିଆଲକୋଟ୍‌ରେ ଘାସୁଆ ଓ ସବୁଜ ୱିକେଟ୍ ପ୍ରସ୍ତୁତ କରିଥିଲୁ। ୧୬ ବର୍ଷୀୟ ବାଳକ ଭାବେ କେବେ କେବେ ସଚିନ ଛୁଆଟିଏ ଭଳି ଦେଖା ଯାଉଥିଲେ। ହେଲେ ତାଙ୍କ ଏକାଗ୍ରତା ସମସ୍ତଙ୍କୁ ବେଶ୍ ପ୍ରଭାବିତ କରିଥିଲା। ମୋର ମନେ ଅଛି ବାଉଁସର ବାଜିଲା ବେଳକୁ ନଭଜ୍ୟୋତ ସିଂହ ସିଦ୍ଧୁଙ୍କ ସହ ସଚିନ ବ୍ୟାଟିଂ କରୁଥିଲେ। ବାଉଁସର ବାଜିବାର ମାତ୍ର ପାଞ୍ଚ ମିନିଟ୍ ପରେ ସେ ପୁନର୍ବାର ଖେଳିବାକୁ ପ୍ରସ୍ତୁତ ହୋଇ ଯାଇଥିଲେ। ସେହି ମ୍ୟାଚ୍‌ରେ ସଚିନ ହାସଲ କରିଥିବା ଅର୍ଧଶତକ ତାଙ୍କ ସ୍ତରକୁ ଦର୍ଶାଇଥିଲା। ଆମେ ସେତେବେଳକୁ ଜାଣି ସାରିଥିଲୁ, ଆଗକୁ ଯାଇ ଏହି ପିଲା ଢେର କିଛି ବର୍ଷ ପାଇଁ ବିଶ୍ବ କ୍ରିକେଟ୍‌ରେ ରାଜୁତି କରିବ ବୋଲି। ସୂଚନାଯୋଗ୍ୟ ଯେ ଏହି ଗସ୍ତରେ ଭାରତ ଚାରିଟି ଟେଷ୍ଟ୍ ଖେଳିଥିଲା। ଚାରିଟି ଯାକ ମ୍ୟାଚ୍ ଅମୀମାଂସିତ ରହିଥିଲା। ଏଣୁ ଶୃଙ୍ଖଳାର ଫଳାଫଳ ମିଳି ନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe