ରିଦ୍ଧିମାନ ସାହାଙ୍କ ବିସ୍ଫୋରଣ ୨୦ ବଲ୍‌ରୁ ୧୦୨

Advertisment
ରିଦ୍ଧିମାନ ସାହାଙ୍କ ବିସ୍ଫୋରଣ ୨୦ ବଲ୍‌ରୁ ୧୦୨

କୋଲ୍‌କାତା: ଭାରତୀୟ କ୍ରିକେଟ୍‌ ଦଳର ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ରିଦ୍ଧିମାନ ସାହା କୋଲ୍‌କାତାର ଏକ ଘରୋଇ ପ୍ରତିଯୋଗିତାରେ ୨୦ ବଲ୍‌ରୁ ୧୦୨ ରନ୍‌ ସଂଗ୍ରହ କରି ଚର୍ଚାକୁ ଆସିଛନ୍ତି। ଜେସି ମୁଖାର୍ଜୀ ଟ୍ରଫି ପ୍ରତିଯୋଗିତାରେ ନିଜ ଦଳ ମୋହନ ବାଗାନ ପକ୍ଷରୁ ଖେଳି ସେ ଏହି କୀର୍ତିମାନ କରିଛନ୍ତି। ପାଳି ଆରମ୍ଭ କରିଥିବା ଏହି ଅଭିଜ୍ଞ ଖେଳାଳି ତାଙ୍କ ପାଳିରେ ୧୪ ଛକା ଏବଂ ୪ ଚୌକା ମାରିଥିଲେ। ଅର୍ଥାତ୍‌ ବାଉଣ୍ଡରୀ ରୂପରେ କେବଳ ୧୦୦ ରନ୍‌ କରିଥିଲା ବେଳେ ଅନ୍ୟ ଦୁଇଟି ବଲ୍‌ରୁ ଗୋଟିଏ ଲେଖାଏଁ ରନ୍‌ ସଂଗ୍ରହ କରିଥିଲେ। ସେ ମଧ୍ୟ ମଧ୍ୟମଗତି ବୋଲର ଅମନ୍‌ ପ୍ରସାଦଙ୍କ ଗୋଟିଏ ଓଭରରେ ୬ ବଲ୍‌କୁ ୬ ଛକା ମାରି ଭୟଙ୍କର ରୂପ ଦେଖାଇଥିଲେ। ରିଦ୍ଧିମାନଙ୍କ ପାଳି ବଳରେ ମୋହନ ବାଗାନ ପ୍ରତିପକ୍ଷ ବିଏନ୍‌ଆର୍‌ ଦଳକୁ ୧୦ ଓ୍ଵିକେଟ୍‌ରେ ହରାଇଥିଲା। ୧୫୧ ରନ୍‌ର ବିଜୟ ଲକ୍ଷ୍ୟକୁ ମୋହନ ବାଗାନ ୭ ଓଭରରେ ସଂଗ୍ରହ କରି ନେଇଥିଲା। ସାହାଙ୍କ ସହିତ ଅଧିନାୟକ ଶୁଭମୟ ଦାସ (୪୩*, ୨୨ ବଲ୍‌) ମଧ୍ୟ ଭଲ ଖେଳିଥିଲେ। ପ୍ରଥମ ବଲ୍‌ରୁ ହିଁ ମୁଁ ବ୍ୟାଟ୍‌ ମଝିରେ ପିଟିବା ନେଇ ବିଶ୍ୱାସ ରଖିଥିଲି, ପରେ ଏହାକୁ ଜାରି ରଖିଥିଲି ବୋଲି ସୀମିତ ଓଭରରେ ପାଳି ଆରମ୍ଭ କରିବାକୁ ପସନ୍ଦ କରୁଥିବା ରିଦ୍ଧିମାନ ପ୍ରକାଶ କରିଥିଲେ। ମୁଁ ଅଲଗା ଅଲଗାା ସଟ୍‌ ଖେଳିବାକୁ ଚେଷ୍ଟା କରିଥିଲି ଏବଂ ସଫଳ ହୋଇଥିଲି। କିନ୍ତୁ ଏ ଶତକ ଏକ କୀର୍ତ୍ତିମାନ କି ନୁହେଁ ମୁଁ ଜାଣିନାହିଁ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ, ଗତବର୍ଷର ଆଇପିଏଲ୍‌ ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ରିଦ୍ଧିମାନଙ୍କୁ ଚଳିତ ବର୍ଷ ୫ କୋଟିରେ କିଣିଛି। ପୂର୍ବରୁ ରିଦ୍ଧିମାନ ଚେନ୍ନାଇ ସୁପର୍‌ କିଙ୍ଗ୍‌ସ, କୋଲ୍‌କାତା ନାଇଟ୍‌ ରାଇଡର୍ସ ଏବଂ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ଖେଳୁଥିଲେ। ଭାରତ ପାଇଁ କେବଳ ଟେଷ୍ଟ୍‍ ଖେଳୁଥିଲେ ମଧ୍ୟ ରିଦ୍ଧିମାନଙ୍କ ଟେ୍ଵଣ୍ଟି-୨୦ ପ୍ରତିନିଧିତ୍ୱ ସଂଖ୍ୟା ୧୬୪ ରହିଛି। ୧୩୦.୭୩ ଷ୍ଟ୍ରାଇକ୍‌ ରେଟ୍‌ରେ ସେ ୨୭୧୮ ରନ୍‌ ସଂଗ୍ରହ କରି ସାରିଛନ୍ତି। ଆଇପିଏଲ୍‌ରେ ସେ ପ୍ରଥମ ତଥା ଏକମାତ୍ର ଖେଳାଳି ଭାବେ ଫାଇନାଲ୍‌ରେ ଶତକ ଜମାଇଛନ୍ତି। ୨୦୧୪ରେ କିନ୍ତୁ କୋଲ୍‌କାତା ନାଇଟ୍‌ ରାଇଡର୍ସ ଠାରୁ ଦୁର୍ଭାଗ୍ୟଜନକ ଭାବେ ତାଙ୍କ ଦଳ ପଞ୍ଜାବ ହାରିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe