ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ: ଭାରତ ୧୯୮; ଏକା ପନ୍ତ୍‌ ୧୦୦*

Advertisment
ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଟେଷ୍ଟ: ଭାରତ ୧୯୮; ଏକା ପନ୍ତ୍‌ ୧୦୦*

କେପ୍‌ଟାଉନ୍‌ : ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଟେ‌ଷ୍ଟ୍‌ର ଦ୍ବିତୀୟ ପାଳିରେ ଭାରତ ୧୯୮ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଛି। ହେଲେ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ଏକା ଶେଷ ପର୍ଯ୍ୟନ୍ତ ଲଢ଼ି ଅପରାଜିତ ୧୦୦ ରନ୍‌ କରିବା ଉଲ୍ଲେଖନୀୟ ଥିଲା। ଗୋଟିଏ ପଟେ ୱିକେଟ୍‌ ପତନ ଧାରା ଜାରି ରହିଥିଲା ବେଳେ ପନ୍ତ୍‌ କିନ୍ତୁ ଆକ୍ରମଣାତ୍ମକ ଢଙ୍ଗରେ ଶତକ ପୂରଣ କରିଥିଲେ। ସେ ୧୩୯ ବଲ୍‌ରେ ଠିକ୍‌ ୧୦୦ ରନ୍‌ କରି କ୍ରିଜ୍‌ରେ ଥିଲା ବେଳେ ଯଶ୍‌ପ୍ରୀତ୍‌ ବୁମ୍‌ରାଙ୍କ ୱିକେଟ୍‌ ପତନ ସହ ଭାରତ ପାଳି ଶେଷ ହୋଇଯାଇଥିଲା। ହେଲେ ପନ୍ତ୍‌ଙ୍କ ବୀରତ୍ବପୂର୍ଣ୍ଣ ପାଳି ସମସ୍ତଙ୍କ ନଜରରେ ରହିଥିଲା। ଭ୍ରମଣକାରୀ ଦଳର ଅନ୍ୟ ସମସ୍ତ ବ୍ୟାଟର୍‌ ଘରୋଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲରଙ୍କ ଆଗରେ ୱିକେଟ୍‌ ବଞ୍ଚାଇବା ପାଇଁ ସଂଘର୍ଷ କରୁଥିଲା ବେଳେ ପନ୍ତ୍‌ ୭୧.୯୪ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ତାଙ୍କ ଶକତୀୟ ପାଳିରେ ୬ ‌ଚୌକା ଓ ୪ ଛକା ସାମିଲ ଥିଲା।

publive-image

ଗତ ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପାଳି ଖେଳି ଭାରତକୁ ଟେ‌ଷ୍ଟ୍‌ ବିଜୟ ଭେଟିଦେବା ପରେ କେପ୍‌ଟାଉନ୍‌ରେ ଶତକ ପନ୍ତ୍‌ଙ୍କ ପାଇଁ ଆଉ ଏକ ସ୍ମରଣୀୟ ପ୍ରଦର୍ଶନ ଥିଲା। ପନ୍ତ୍‌ ଏପର୍ଯ୍ୟନ୍ତ ଭାରତ ପାଇଁ ୨୮ ଟେଷ୍ଟ୍‌ ଖେଳିଥିଲା ବେଳେ ମୋଟ ୧୭୩୫ ରନ୍‌ କରିସାରିଛନ୍ତି। ‌ସେଥିରେ ୪ ଶତକ ଏବଂ ୭ ଅର୍ଦ୍ଧଶତକ ସାମିଲ ରହିଛି। ଏସିଆ ବାହାରେ ମଧ୍ୟ ଜଣେ ୱିକେଟ୍‌ରକ୍ଷକ ଭାବେ ଟେଷ୍ଟ୍‌ରେ ଶତକ ହାସଲ କରିବାରେ ପନ୍ତ୍‌ ଚତୁର୍ଥ ଭାରତୀୟ ହୋଇଛନ୍ତି। ବିଜୟ ମଞ୍ଜରେକର, ଅଜୟ ରାତ୍ରା ଓ ରିଦ୍ଧିମାନ ସାହା ଥରେ ଲେଖାଏଁ ଶତକ ଜମାଇଥିଲା ବେଳେ ପନ୍ତ୍‌ କିନ୍ତୁ ୪ ବର୍ଷ ଭିତରେ ତିନି ଥର ଏହି ସଫଳତା ହାତେଇଛନ୍ତି।

ଅନ୍ୟପକ୍ଷରେ ସ୍ବୀକୃତିପ୍ରାପ୍ତ ଏସୀୟ ୱିକେଟ୍‌ରକ୍ଷକ ଭାବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ଶତକ ହାସଲରେ ପନ୍ତ୍‌ ପ୍ରଥମ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe