ଉବେର କପ୍‌ରେ ଋତୁପର୍ଣ୍ଣାଙ୍କ ଚମକ: ସ୍ପେନ୍‌କୁ ୩-୨ରେ ହରାଇଲା ଭାରତ

Advertisment
ଉବେର କପ୍‌ରେ ଋତୁପର୍ଣ୍ଣାଙ୍କ ଚମକ: ସ୍ପେନ୍‌କୁ ୩-୨ରେ ହରାଇଲା ଭାରତ

ଆରୁସ (ଡେନ୍‌ମାର୍କ): ଚଳିତ ଉବେର କପ୍‌ ମହିଳା ‌ବ୍ୟାଡ୍‌ମିଣ୍ଟନ ପ୍ରତ‌ିଯୋଗିତାରେ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଗ୍ରୁପ୍-ବି‌ରେ ସ୍ଥାନ ପାଇଥିବା ଭାରତ ରବିବାର ପ୍ରଥମ ‌ମୁକାବିଲାରେ ଶକ୍ତିଶାଳୀ ସ୍ପେନ୍‌କୁ ୩-୨ରେ ହରାଇଥିଲା। ‌ସ୍ଥାନୀୟ ସେରେସ ଏରିନାରେ ଖେଳାଯାଇଥିବା ଏହି ମୁକାବିଲାର ପ୍ରଥମ ମ୍ୟାଚ୍‌ରେ ସାଇନା ନେହୱାଲଙ୍କ ଭେଟ ହୋଇଥିଲା ୫୮ ମାନ୍ୟତାପ୍ରାପ୍ତ କ୍ଲାରା ଅ‌ଜୁରମେନ୍ଦିଙ୍କ ସହ। ହେଲେ ମ୍ୟାଚ୍‌ ଅଧାରେ ହଠାତ୍‌ ତଳିପେଟରେ ଯନ୍ତ୍ରଣା ହେବାରୁ ସାଇନା ଓହରି ଯାଇଥିଲେ।

ଫଳରେ କ୍ଲାରା ବିଜୟୀ ଘୋଷିତ ହୋଇଥିଲେ। ଦ୍ବିତୀୟ ମ୍ୟାଚ୍‌ରେ ମାଳବିକା ବାଂସୋଦ ୨୧-୧୩, ୨୧-୧୫ରେ ୭୧ ମାନ୍ୟତାପ୍ରାପ୍ତ ବିଟ୍ରିଜ କାରାଲେସଙ୍କୁ ହରାଇ ସ୍ଥିତି ୧-୧ କରିଥିଲେ। ତୃତୀୟ ମ୍ୟାଚ୍‌ରେ ତାନିଶା କ୍ରାଷ୍ଟୋ ଓ ଓଡ଼ିଶାର ଋତୁପର୍ଣ୍ଣା ପଣ୍ଡା ଯୋଡ଼ି ୨୧-୧୦, ୨୧-୮ରେ ପୌଲା ଲୋପେଜ ଓ ଲୋରେନା ଉସ୍‌ଲେଙ୍କୁ ପରାସ୍ତ କରିଥିଲେ। ଫଳରେ ୨-୧ରେ ଅଗ୍ରଣୀ ନେଇଥିଲା। ଚତୁର୍ଥ ମ୍ୟାଚ୍‌ରେ ଅଦିତି ଭଟ୍ଟ ୨୧-୧୬, ୨୧-୧୪ରେ ୧୮ ବର୍ଷୀୟ ଆନିଆ ସେତିଏନ୍‌ଙ୍କୁ ହରାଇ ଭାରତକୁ ୩-୧ରେ ଆଗୁଆ ରଖିଥିଲେ। ହେଲେ ପଞ୍ଚମ ମ୍ୟାଚ୍‌ରେ ଭାରତୀୟ ଯୋଡ଼ି ଅଶ୍ବିନୀ ପୋନ୍ନପ୍ପା ଓ ସିକ୍କି ରେଡ୍ଡୀ ୧୮-୨୧, ୨୧-୧୪, ୧୭-୨୧ରେ କ୍ଲାରା ଅଜୁରମେନ୍ଦି ଓ ବିଟ୍ରିଜ କାରାଲେସଙ୍କଠୁ ହାରିଯାଇଥିଲେ। ଫଳରେ ଭାରତର ବିଜୟ ବ୍ୟବଧାନ ୩-୨ରେ ‌ଶେ‌ଷ ହୋଇଥିଲା। ଭାରତ ପରବର୍ତ୍ତୀ ମ୍ୟାଚ୍‌ ୧୨ ତାରିଖରେ ସ୍କଟଲାଣ୍ଡ ଏବଂ ୧୩ରେ ଥାଇଲାଣ୍ଡକୁ ଭେଟିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe