ମୁମ୍ବାଇ: ଆଇପିଏଲ୍ ପ୍ଲେଅଫ୍ରୁ ବାଦ୍ ପଡ଼ିବା ସତ୍ତ୍ବେ ଭାରତର ଟ୍ବେଣ୍ଟି-୨୦ ବିଶ୍ବକପ୍ ଦଳରେ ମୁମ୍ବାଇ ଇଣ୍ଡିଆନ୍ସର ୪ ଜଣ ସ୍ଥାନ ପାଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ସହିତ, ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦିକ ପାଣ୍ଡ୍ୟା, ସୂର୍ଯ୍ୟକୁମାର ୟାଦବ ଓ ଯଶପ୍ରୀତ୍ ବୁମ୍ରା ଭାରତୀୟ ଦଳରେ ସାମିଲ ହୋଇଛନ୍ତି। କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଘୋଷଣା ବେଳଠୁ ରୋହିତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ ଫାଟକୁ ନେଇ ଡ୍ରେସିଂ ରୁମ୍ ମଧ୍ୟ ଦୁଇଭାଗ ହୋଇଯାଇଥିବା ଖବର ଆସିଥିଲା। ଆଇପିଏଲ୍ରେ ମଧ୍ୟ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ପ୍ରଦର୍ଶନ ଆଦୌ ଉତ୍ସାହଜନକ ନୁହେଁ। ଏହାସତ୍ତ୍ବେ ସେ ବିଶ୍ବକପ୍ ଦଳରେ ସ୍ଥାନ ପାଇଥିଲେ। ଏବେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୋହିତ ଓ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସହ ଆଉ କିଛି ସଦସ୍ୟ ବିଶ୍ବକପ୍ ଦଳ ଚୟନ ବେଳେ ପାଣ୍ଡ୍ୟାଙ୍କ ନାମକୁ ବିରୋଧ କରିଥିଲେ।
‘ଦୈନିକ ଜାଗରଣ’ରେ ପ୍ରକାଶିତ ଏହି ରିପୋର୍ଟରେ ଉଲ୍ଲେଖ ହୋଇଛି ଯେ, ଏମାନେ ପାଣ୍ଡ୍ୟାଙ୍କୁ ୧୫ ଜଣିଆ ଦଳରେ ନେବାକୁ ଚାହୁ ନଥିଲେ। ପାଣ୍ଡ୍ୟାଙ୍କୁ ନେଇ ଚୟନ ସମିତି ବୈଠକରେ ଅନେକ ଗରମାଗରମ ପରିବେଶ ସୃଷ୍ଟି ହୋଇଥିଲା। ଶେଷରେ ଅତ୍ୟଧିକ ଚାପ ପଡ଼ିବାରୁ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରାଯାଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରିକି ବିଶ୍ବକପ୍ ପରେ ରୋହିତ ଟ୍ବେଣ୍ଟି-୨୦ ଫର୍ମାଟ୍ରୁ ସନ୍ୟାସ ନେଇପାରନ୍ତି ବୋଲି କୁହାଯାଇଛି।
ସୂଚନାଯୋଗ୍ୟ, ଦଳ ଘୋଷଣା ବିଷୟରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ରୋହିତ ଓ ଅଗରକରଙ୍କୁ ଖରାପ ଫର୍ମ ସତ୍ତ୍ବେ ପାଣ୍ଡ୍ୟାଙ୍କୁ କିପରି ଚୟନ କରାଗଲା ବୋଲି ପ୍ରଶ୍ନ କରାଯାଇଥିଲା, ସେଥିରେ ସେମାନେ ଦଳର ଆବଶ୍ୟକତା ଦୃଷ୍ଟିରୁ ପ୍ରତିଭାବାନ୍ ଖେଳାଳିଙ୍କ ଭିତରୁ ତାଙ୍କର ବିକଳ୍ପ ଭାବେ କାହାରିକୁ ଦେଖିପାରି ନଥିଲେ। ତେଣୁ ପାଣ୍ଡ୍ୟାଙ୍କୁ ବିଶ୍ବକପ୍ ଦଳରେ ସାମିଲ କରାଯାଇଥିବା ଉଭୟ ଅଧିନାୟକ ଓ ମୁଖ୍ୟ ଚୟନକର୍ତ୍ତା କହିଥିଲେ। ପାଣ୍ଡ୍ୟା ଆସିବାରୁ ରୋହିତ, ସୂର୍ଯ୍ୟ ପଳାଇଲେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଭିତରେ ପାଣ୍ଡ୍ୟା ଓ ରୋହିତଙ୍କୁ ନେଇ ଫାଟ ହୋଇଯାଇଥିବା ଚର୍ଚ୍ଚା ଜୋର୍ ଧରିଥିଲା ବେଳେ ଆଉ ଏକ ଘଟଣା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି। ଉପରୋକ୍ତ ଦୈନିକ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଚଳିତ ଆଇପିଏଲ୍ରେ ନେଟ୍ସରେ ଅଭ୍ୟାସ ବେଳେ ମଧ୍ୟ ପାଣ୍ଡ୍ୟା ଓ ରୋହିତ କେବେ ବି ଏକାଠି ହେଉ ନାହାନ୍ତି। କେକେଆର୍ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋହିତ ନେଟ୍ସରେ ବ୍ୟାଟିଂ କରୁଥିବା ଦେଖାଯାଇଥିଲା। ହାର୍ଦିକ ପାଖାପାଖି କେଉଁଠି ବି ନଥିଲେ। ଅନ୍ୟ ଏକ ଚିତ୍ରରେ ସୂର୍ଯ୍ୟକୁମାର ୟାଦବ ଓ ତିଲକ ବର୍ମାଙ୍କ ସହ ରୋହିତ ଏକାଠି କିଛି ଆଲୋଚନା କରୁଥିଲେ। ପାଣ୍ଡ୍ୟା ନେଟ୍ସକୁ ଆସିବା ମାତ୍ରେ ରୋହିତ, ସୂର୍ଯ୍ୟ ଓ ତିଲକ ପଡ଼ିଆର ଅନ୍ୟପଟକୁ ଚାଲିଯାଇଥିଲେ।
Follow Us