ଟ୍ବିଟରରୁ ‘ଭାରତୀୟ କ୍ରିକେଟର’ ହଟାଇଲେ ରୋହିତ!

ଟ୍ବିଟରରୁ ‘ଭାରତୀୟ କ୍ରିକେଟର’ ହଟାଇଲେ ରୋହିତ!

Photo: Hindustan Times

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପ୍ରତୀକ୍ଷିତ ଅଷ୍ଟ୍ରେଲିଆ ଗସ୍ତରୁ ଚୟନକର୍ତ୍ତା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କୁ ସଂପୂର୍ଣ୍ଣ ଦୂରେଇ ରଖିବା ନେଇ ସୃଷ୍ଟି ହୋଇଥିବା ବିବାଦ କ୍ରମଶଃ ଘନେଇବାରେ ଲାଗିଛି। ସାଧାରଣ ପ୍ରଶଂସକଙ୍କଠାରୁ ପ୍ରତିଷ୍ଠିତ କ୍ରିକେଟ୍ ପଣ୍ଡିତ ଏବଂ ଭାଷ୍ୟକାରମାନେ ଚୟନକର୍ତ୍ତାଙ୍କ ଏହି ଅପ୍ରତ୍ୟାଶିତ ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରିଛନ୍ତି। ନିଜେ ରୋହିତ ମଧ୍ୟ ଏଥିନେଇ ଘୋର ଅସନ୍ତୁଷ୍ଟ ଓ କ୍ଷୁବ୍ଧ ଥିବାର ସଙ୍କେତ ଦେଇଛନ୍ତି। ବୁଧବାର ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମ ପୃଷ୍ଠାରେ ରଖିଥିବା ବ୍ୟକ୍ତିଗତ ସୂଚନାରୁ ସେ ‘ଭାରତୀୟ କ୍ରିକେଟର’ ହଟାଇ ଦେଇଥିବା ଜଣାପଡ଼ିଛି। ଫଳରେ ଭାରତୀୟ କ୍ରିକେଟ୍ ଦଳରେ ଯେ ସବୁକିଛି ଠିକ୍‌ଠାକ୍‌ ନାହିଁ, ତାହା ସ୍ପଷ୍ଟ ହୋଇଛି।

ପ୍ରଶଂସକମାନେ ତାଙ୍କୁ ଏଥିନେଇ ଦୃଢ଼ ସମର୍ଥନ କରିଛନ୍ତି। ତେବେ ରୋହିତ ତାଙ୍କ ବ୍ୟକ୍ତିଗତ ସୂଚନାରେ କେବେ ବି ‘ଭାରତୀୟ କ୍ରିକେଟର’ ରଖିନଥିଲେ ବୋଲି କିଛି ସମର୍ଥକ ମତ ପ୍ରକାଶ କରିଛନ୍ତି। ଏସବୁ ବାଦବିବାଦ, ତର୍କ ଓ ବିତର୍କ ମଧ୍ୟରେ ରୋହିତ ପତ୍ନୀ ରିତିକା ସଜଦେଙ୍କ ସହ ସାଂଧ୍ୟ ଭ୍ରମଣ କରୁଥିବାର ଫଟୋ ପ୍ରକାଶ କରିଛନ୍ତି। ‌ସେପଟେ ମୁମ୍ବାଇ ଇଣ୍ଡିଆନ୍ସ ଭିଡିଓ ପ୍ରକାଶ କରି ରୋହିତ ଦ୍ରୁତ ଗତିରେ ମ୍ୟାଚ୍ ଫି‌ଟନେସ୍ ପାଇବା ଦିଗରେ ଅଗ୍ରସର ହେଉଛନ୍ତି ବୋଲି ଲେଖିଛି। ତେବେ ବୁଧବାରର ରୟାଲ ଚାଲେଞ୍ଜର୍ସ ବିପକ୍ଷ ମ୍ୟାଚ୍‌ରେ ସେ ଖେଳି ନାହାନ୍ତି। ଫଳରେ ମୁମ୍ବାଇର ଲଗାତାର ତିନିଟି ମ୍ୟାଚ୍‌ରେ ସେ ଅନୁପସ୍ଥିତ ରହିଛନ୍ତି। ଚଳିତ ଆଇପିଏଲ୍‌ରେ ଦୁଇଟି ଅର୍ଧଶତକ ଅର୍ଜନ କରିଥିବା ରୋହିତ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ତାଙ୍କର ମାଂସପେଶୀ ଟାଣି ହୋଇ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe