Republic World
କୋଲକାତା : ‘‘ପୁର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଆପଣମାନେ ବିଶେଷ ଚିନ୍ତିତ ହୁଅନ୍ତୁ ନାହିଁ। ଚାପକୁ କେମିତି ପରିଚାଳନା କରାଯାଏ, ତାହା ସେ ଭଲ ଭାବରେ ଜାଣିଛନ୍ତି। ସତକଥା କହିବାକୁ ଗଲେ ଆପଣମାନେ (ଗଣମାଧ୍ୟମ ପ୍ରତିନିଧି) କିଛି ଦିନ ଚୁପ୍ ରହିଗଲେ, ସବୁକିଛି ଠିକ୍ ହୋଇଯିବ।’’
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଅବ୍ୟବହିତ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୋହଲିଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭାରତୀୟ ସୀମିତ ଓଭର ଦଳର ନୂଆ ପୂର୍ଣ୍ଣକାଳୀନ ଅଧିନାୟକ ରୋହିତ ଶର୍ମା ଏଭଳି ମନ୍ତବ୍ୟ ଦେଇଛନ୍ତି। କୋହଲିଙ୍କୁ ଦୃଢ଼ ସମର୍ଥନ କରି ହିଟ୍ ମ୍ୟାନ୍ ଭାବେ ପରିଚିତ ରୋହିତ ଆହୁରି କହିଛନ୍ତି ଯେ ମୁଁ ଯେତିକି ଦେଖିଛି ଏବଂ ଜାଣିଛି କୋହଲି ଏବେ ମାନସିକ ସ୍ତରରେ ବେଶ୍ ସୁଦୃଢ଼ ଅଛନ୍ତି। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସେ ଭାରତୀୟ ଦଳ ସହ ଅଛନ୍ତି। କେତେ ବେଳେ କ’ଣ କରିବାକୁ ହୁଏ, ତାହା ଭଲ ଭାବରେ ଜାଣିଛନ୍ତି। ଏହା ପୂର୍ବରୁ ବ୍ୟାଟିଂ ପ୍ରଶିକ୍ଷକ ବିକ୍ରମ ରାଠୋର ମଧ୍ୟ କୋହଲିଙ୍କୁ ନେଇ ବେଶ୍ ଉତ୍ସାହଜନକ କଥା କହିଥିଲେ। ଏପରିକି କୋହଲି ଖରାପ ଫର୍ମ ଦେଇ ଗତି କରୁଥିବା ଖବରରେ ସତ୍ୟତା ନଥିବା ବୋଲି ଦାବି କରିଥିଲେ। ‘‘ସେ ନେଟ୍ସରେ ବହୁତ ଭଲ ବ୍ୟାଟିଂ କରୁଛନ୍ତି। ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ତାଙ୍କଠାରୁ ଆମେ ନିକଟ ଭବିଷ୍ୟତରେ ଏକ ବଡ଼ ପାଳି ଆଶା କରୁଛି। ମୁଁ ସ୍ଥିର ନିଶ୍ଚିତ ଯେ ଆଗାମୀ କିଛି ପାଳିରେ ସେ ରନ୍ ବର୍ଷା କରିବେ।’’ ବୋଲି କହିଥିଲେ ରାଠୋର।
ଇଣ୍ଡିଜ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଉପରେ ମତ ଦେବାକୁ ଯାଇ ରୋହିତ ମାତ୍ରାଧିକ ପରୀକ୍ଷା ନିରୀକ୍ଷା ସମ୍ଭାବନାକୁ ଏଡ଼ାଇ ଯାଇଥିଲେ। ଏପରିକି ବିଶ୍ବକପ୍ରେ ବ୍ୟାଟିଂ ଓ ବୋଲିଂ ସ୍ଥାନ ବିଷୟରେ ସମସ୍ତଙ୍କୁ ଜଣାଇ ଦିଆଯାଇଛି। ଖେଳାଳିମାନେ ସେହି ଅନୁସାରେ ବ୍ୟକ୍ତିଗତ ସ୍ତରରେ ପ୍ରସ୍ତୁତି କରିବେ ବୋଲି ଏହି ଅବସରରେ ସ୍ପଷ୍ଟ କରି ଦେଇଥିଲେ ରୋହିତ।
Follow Us