ରୋଜ୍‌ ବାଉଲ୍‌ ଟେଷ୍ଟ୍‌: ଦ୍ବିତୀୟ ଦିବସରେ ବି ବର୍ଷା ବାଧକ, ରିଜ୍‌ୱାନ୍‌ଙ୍କ ଅର୍ଧଶତକ; ପାକିସ୍ତାନ ୨୨୩/୯

Advertisment
ରୋଜ୍‌ ବାଉଲ୍‌ ଟେଷ୍ଟ୍‌: ଦ୍ବିତୀୟ ଦିବସରେ ବି ବର୍ଷା ବାଧକ, ରିଜ୍‌ୱାନ୍‌ଙ୍କ ଅର୍ଧଶତକ; ପାକିସ୍ତାନ ୨୨୩/୯

Outlook India

ସାଉଥମ୍ପଟନ୍ : ଗୁରୁବାରଠାରୁ ସ୍ଥାନୀୟ ରୋଜ୍‌ ବାଉଲ୍‌ଠାରେ ଆରମ୍ଭ ହୋଇଥିବା ଇଂଲଣ୍ଡ-ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ଦିବସରେ ମଧ୍ୟ ବର୍ଷା ବାଧକ ଜାରି ରହିଛି। ବର୍ଷା ଯୋଗୁଁ ପ୍ରଥମ ଦିବସରେ ମାତ୍ର ୪୪.୫ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଦ୍ବିତୀୟ ଦିବସରେ ମଧ୍ୟ ବର୍ଷା ଓ ଆଲୋକ ଅଭାବ ପାଇଁ ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଥିଲା। ତେବେ ଆଉ ୪୧ ଓଭର ଖେଳ ସମ୍ଭବ ହୋଇଥିଲା ବେଳେ ଆଲୋକ ଅଭାବ ପାଇଁ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଭ୍ରମଣକାରୀ ପାକିସ୍ତାନ ୯ ୱିକେଟ୍‌ ବିନିମୟରେ ୨୨୩ ରନ୍‌ କରିଛି। ଦ୍ବିତୀୟ ଦିବସରେ ପ୍ରଥମ ଦିନର ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍‌ଙ୍କ ମଧ୍ୟରୁ ବାବର ଆଜମ୍‌ (୪୭) ଅର୍ଧଶତକଠାରୁ ୩ ରନ୍ ଦୂରରେ ଆଉଟ୍‌ ହୋଇଯାଇଥିଲା ବେଳେ ମହମ୍ମଦ ରିଜ୍‌ୱାନ୍‌ (୬୦) ଅର୍ଧଶତକ ପୂରଣ କରି ଏକାକୀ ଲଢ଼େଇ ଜାରି ରଖିଛନ୍ତି। ରିଜ୍‌ୱାନ୍‌ଙ୍କର ଏହା ଅଷ୍ଟମ ଟେଷ୍ଟ୍‌ରୁ ଦ୍ବିତୀୟ ଅର୍ଧଶତକ। ଅନ୍ୟମାନଙ୍କ ମଧ୍ୟରେ ୟାସିର୍‌ ସାହା (୫), ସାହିନ ସାହା ଆଫିଦି (୦) ଏବଂ ମହମ୍ମଦ ଆବାସ୍‌ (୨) ପାଭିଲିୟନ୍‌ ଫେରିଯାଇଛନ୍ତି। ଇଂଲଣ୍ଡ ପକ୍ଷରୁ ଦୁଇ ପ୍ରାରମ୍ଭିକ ଦ୍ରୁତ ବୋଲର ଜେମ୍‌ସ ଆଣ୍ଡରସନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ୩ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥି ସହିତ ଆଣ୍ଡରସନ୍‌ ମଧ୍ୟ ତାଙ୍କ ୬୦୦ ମାଇଲଖୁଣ୍ଟ ଦିଗରେ ଅଗ୍ରସର ହୋଇଛନ୍ତି। ତାଙ୍କ ମୋଟ ୱିକେଟ୍‌ ସଂଖ୍ୟା ୫୯୩ରେ ପହଞ୍ଚିଛି।

ଗୁରୁବାର ପ୍ରଥମ ଦିବସ ଷ୍ଟମ୍ପ୍‌ସ ବେଳକୁ ୧୨୬/୫ କରିଥିବା ପାକିସ୍ତାନ ଶୁକ୍ରବାର ଦ୍ବିତୀୟ ଦିବସରେ ୧୫୫/୫ରେ ମଧ୍ୟାହ୍ନ ବିରତିକୁ ଯାଇଥିଲା। ଅବଶ୍ୟ ବର୍ଷା ଯୋଗୁଁ ଶୁକ୍ରବାର ପ୍ରଥମ ସେସନ୍‌ରେ ୧୬ ଓଭର ଖେଳ ହୋଇଥିଲା ବେଳେ ବାବର ଆଜମ୍‌ ଓ ମହମ୍ମଦ ରିଜ୍‌ୱାନ୍‌ କୌଣସି କ୍ଷତି ଘଟିବାକୁ ନଦେଇ ୨୯ ରନ୍‌ ଯୋଡ଼ିଥିଲେ। ହେଲେ ମଧ୍ୟାହ୍ନ ବିରତି ପରେ ଏବଂ ଚା’ପାନ ବିରତି ମଧ୍ୟରେ ଦଳ ଆଉ ୨୩.୩ ଓଭର ଖେଳି ୩ ୱିକେଟ୍‌ ହରାଇଥିଲା। ବାବର ପୂର୍ବଦିନ ସ୍କୋର୍‌ରେ ୨୨ ରନ୍‌ ଯୋଡ଼ି ଆଉଟ୍‌ ହୋଇଥିଲେ। ଫଳରେ ପାକିସ୍ତାନ ୨୧୫/୮ରେ ଚା’ ବିରତିକୁ ଯାଇଥିଲା। ଏହାପରେ ଆଉମାତ୍ର ୧.୩ ଓଭର ସମ୍ଭବ ହୋଇଥିଲା ବେଳେ ଆଲୋକ ଅଭାବ କାରଣରୁ ମ୍ୟାଚ୍‌ ବନ୍ଦ ରହିଥିଲା। ସେତେବେଳକୁ ପାକିସ୍ତାନ ସ୍କୋର୍‌ ୨୨୩/୯ ହୋଇଥିଲା। ପ୍ରଥମ ଦିନ ୪ ରନ୍‌ କରିଥିବା ରିଜ୍‌ୱାନ୍‌ (୬୦) ଶେଷ ବ୍ୟାଟ୍‌ସମ୍ୟାନ୍‌ ନସିମ୍‌ ସାହା (୧)ଙ୍କୁ ସାଥୀ କରି ସ୍କୋର୍‌ ବଢ଼ାଇବା ପ୍ରୟାସ ଚଳାଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ପ୍ରଥମ ପାଳି ୮୬ ଓଭରରେ ୨୨୩/୯ (ଆବିଦ୍‌ ଅଲ୍ଲୀ-୬୦, ମହମ୍ମଦ ରିଜ୍‌ୱାନ୍‌-୬୯*, ବାବର ଆଜମ୍‌-୪୭, ଜେମ୍‌ସ ଆଣ୍ଡରସନ୍‌-୨/୪୮, ଷ୍ଟୁଆର୍ଟ ବ୍ରଡ୍‌-୩/୫୬, ସାମ୍‌ କରନ୍-୧/୪୪, କ୍ରିସ୍‌ ୱକ୍ସ-୧/୫୫।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe