ରସ୍‌ ଟେଲରଙ୍କ ଆନ୍ତର୍ଜାତିକ ଅବସର

Advertisment
ରସ୍‌ ଟେଲରଙ୍କ ଆନ୍ତର୍ଜାତିକ ଅବସର

ଖ୍ରିଷ୍ଟଚର୍ଚ୍ଚ: ପୁରୁଖା ବ୍ୟାଟ୍‌ସମ୍ୟାନ୍‌ ରସ୍‌ ଟେଲର ଗୁରୁବାର ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ୍‌ର ଘରୋଇ ଋତୁ ଶେଷରେ ହିଁ ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅପସରି ଯିବେ ବୋଲି ସୂଚାଇ ଦେଇଛନ୍ତି। ୨୦୦୬ ମାର୍ଚ୍ଚ ମାସରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ନାପିଅର୍‌ ଦିନିକିଆ ମ୍ୟାଚ୍‌ରୁ ଆନ୍ତର୍ଜାତିକ ଯାତ୍ରା ଆରମ୍ଭ କରିଥିବା ଟେଲର ୧୫ ବର୍ଷ ଧରି ଦେଶ ପାଇଁ ଖେଳିଆସିଥିଲେ। ହେଲେ ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଘରୋଇ ଟେ‌ଷ୍ଟ୍‌ ଶୃଙ୍ଖଳା ତାଙ୍କ ଆନ୍ତର୍ଜାତିକ ଜୀବନର ଶେଷ ହେବ ବୋଲି ସ୍ପଷ୍ଟ କରିଛନ୍ତି। ବାଂଲାଦେଶ ବିପକ୍ଷ ହଗ୍‌ଲେ ଓଭାଲ (ଖ୍ରିଷ୍ଟଚର୍ଚ୍ଚ)ଠାରେ ସେ ଶେଷ ଟେଷ୍ଟ୍‌ ଖେଳି‌ବେ। ଏହା ହିଁ ହେବ ତାଙ୍କ ଲମ୍ବା କ୍ରିକେଟ୍‌ କ୍ୟାରିୟରର ୧୧୨ତମ ଟେଷ୍ଟ୍‌। ଆଉ ଏଥିସହିତ ସେ ଜଣେ ନ୍ୟୁଜିଲାଣ୍ଡ୍‌ କ୍ରିକେଟର୍‌ ଭାବେ ସର୍ବାଧିକ ଟେଷ୍ଟ୍‌ ଖେଳିବାରେ ଡାନିଏଲ୍‌ ଭିଟୋରିଙ୍କ ସମକକ୍ଷ ରହିବେ। ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ଶୃଙ୍ଖଳା ଖେଳିବେନି ଏବଂ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍‌ ବିପକ୍ଷ ୬ ଦିନିକିଆ ମ୍ୟାଚ୍‌ରୁ ମଧ୍ୟ ଓହରିଯାଇଛନ୍ତି।

କ୍ରିକେଟ୍‌ର ତିନିଟିଯାକ ଫର୍ମାଟ୍‌ (ଟେଷ୍ଟ୍‌, ଦିନିକିଆ ଓ ଟି-୨୦)ରେ ୧୦୦ ମ୍ୟାଚ୍‌ ଖେଳିବାରେ ପ୍ରଥମ ଆନ୍ତର୍ଜାତିକ ଖେଳାଳି ବିବେଚିତ ହୋଇଥିବା ଟେଲରଙ୍କ ନାମରେ ଯଥେଷ୍ଟ ନ୍ୟୁଜିଲାଣ୍ଡ୍‌ କୀର୍ତ୍ତିମାନ ରହିଛି। ସେ ମୋଟ ୪୪୫ ଆନ୍ତର୍ଜାତିକ ମ୍ୟାଚ୍‌ ‌ଖେଳିଥିଲା ବେଳେ ୪୦ ଶତକ ଏବଂ ୯୩ ଅର୍ଦ୍ଧଶତକ ସହିତ ୧୮,୦୭୦ ରନ୍‌ କରିଛନ୍ତି। ଯାହାକି ଯେକୌଣସି ନ୍ୟୁଜିଲାଣ୍ଡ୍‌ କ୍ରିକେଟର୍‌ଙ୍କ ତୁଳନାରେ ସର୍ବୋଚ୍ଚ। ଚଳିତ ବର୍ଷ ପ୍ରାରମ୍ଭରେ ସାଉଥମ୍ପ୍‌ଟନ୍‌ରେ ଭାରତ ବିପକ୍ଷ ପ୍ରଥମ ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ବିଜୟସୂଚକ ରନ୍‌ ସଂଗ୍ରହ କରିବା ତାଙ୍କ ପାଇଁ ସ୍ମରଣୀୟ ରହିବ ବୋଲି କହିଛନ୍ତି ଟେଲର। ଦେଶ ପାଇଁ ୧୫ ବର୍ଷ ଧରି ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ଗୁରୁବାର ଅବସର ଘୋଷଣା କରିବା ବେଳେ ମନ୍ତବ୍ୟ ରଖିଥିଲେ ଟେଲର। ପୁଣି ବିଶ୍ବ କ୍ରିକେଟ୍‌ର ଅଧିକାଂଶ ମହାନ୍‌ଙ୍କ ସହିତ ଏବଂ ବିପକ୍ଷରେ ଖେଳିବା ବାସ୍ତବରେ ଗୌରବର କଥା। ସାରା ବିଶ୍ବରେ କ୍ରିକେଟ୍‌ ଜରିଆରେ ସୃଷ୍ଟି କରିପାରିଥିବା ବନ୍ଧୁତା ଏବଂ ସଂଖ୍ୟାଧିକ ସ୍ମୃତି ସବୁବେଳେ ମନେ ରହିବ ବୋଲି କହିଥିଲେ ୩୭ ବର୍ଷ ବୟସ୍କ ଟେଲର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe