ରଏ ରୋମାଞ୍ଚ

ଅଷ୍ଟ୍ରେଲିଆକୁ ଦାବିଲା ଇଂଲଣ୍ଡ

ରଏ ରୋମାଞ୍ଚ

England's Jason Roy celebrates reaching his 50 during the Fourth Royal London One Day International at the Kia Oval, London.

ମେଲବର୍ନ: ଟେଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ଆଗରେ ସଂପୂର୍ଣ୍ଣ ଆତ୍ମସମର୍ପଣ କରିଥିବା ଇଂଲଣ୍ଡ ସୀମିତ ଓଭର ମୁକାବିଲା ବେଳକୁ ଅଚାନକ ବଳୁଆ ହୋଇ ଯାଇଛି।  ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ (୧୦୭ ରନ୍‌, ୧୧୯ ବଲ୍‌, ୧୦ ଚୌକା, ୩ ଛକା) ଙ୍କ ଶତକ ସତ୍ତ୍ୱେ ପାଞ୍ଚ ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲାକୁ ୫ ଓ୍ଵିକେଟ୍‌ରେ ଜିତି ନେଇ ୧-୦ରେ ଆଗୁଆ ହୋଇ ଯାଇଛି। ଫିଞ୍ଚଙ୍କ ଶତକକୁ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଜାସନ ରଏ (୧୮୦ ରନ୍‌, ୧୫୧ ବଲ୍‌, ୧୬ ଚୌକା, ୫ ଛକା) ପୂରା ଫିକା କରି ଦେଇଛନ୍ତି। କୀର୍ତ୍ତିମାନଭରା ଶତକ ହାସଲ କରି ରଏ ଇଂଲଣ୍ଡକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ। ୯୨ ବଲ୍‌ରୁ ଶତକ ହାସଲ କରିବା ପରେ ଅଧିକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିବା ରଏ ନିଜ ଟେଷ୍ଟ ଅଧିନାୟକ ଜୋ ରୁଟ୍‌ (୯୧*)ଙ୍କ ସହ ମିଶି ଦ୍ୱିଶତକୀୟ ଭାଗୀଦାରି କରି ଇଂଲଣ୍ଡକୁ ୭ ବଲ୍‌ ପୂର୍ବରୁ ବିଜୟୀ କରାଇଥିଲେ।  ରଏ ନିଜ ଚିତ୍ତାକର୍ଷକ ପାଳି ମଧ୍ୟରେ ଚାରିଟି କୀର୍ତ୍ତିମାନ ବି କରିଥିଲେ। ୧୮୦ ରନ୍‌ କରି ସେ ଗୋଟିଏ ପାଳିରେ ଇଂଲଣ୍ଡର ସର୍ବାଧିକ ବ୍ୟକ୍ତିଗତ ଦିନିକିଆ ରନ୍‌ ସଂଗ୍ରହକାରୀ ହୋଇଥିଲେ। ସେହିଭଳି ମେଲବର୍ନ କ୍ରିକେଟ୍‌ ପଡ଼ିଆର ଏହା ମଧ୍ୟ ସର୍ବାଧିକ ବ୍ୟକ୍ତିଗତ ରନ୍‌ ଥିଲା। ଏହା ବ୍ୟତିତ ପଛରେ ବ୍ୟାଟିଂ କରିବାରେ ଅଷ୍ଟ୍ରେଲିଆରେ ଭ୍ରମଣକାରୀ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଶ୍ରେଷ୍ଠ ପାଳି ଖେଳିବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ପଛୁଆ ବ୍ୟାଟିଂ କରି ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିବାର କୀର୍ତ୍ତିମାନ ସେ କରି ନେଇଥିଲେ। ରବିବାର ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି  ଫିଞ୍ଚଙ୍କ ଶତକ ସହ  ମିଚେଲ ମାର୍ସ (୫୦) ଓ ମାର୍କସ୍‌ ଷ୍ଟୋଇନିସ୍‌ (୬୦)ଙ୍କ ଅର୍ଧଶତକ ବଳରେ  ନିର୍ଧାରିତ ୫୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୩୦୪ ରନ୍‌ କରିଥିଲା।  ୩୦୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଇଂଲଣ୍ଡ ୬୦ ରନରେ ୨ ଓ୍ଵିକେଟ୍‌ ହରାଇଥିଲା। ତେବେ ରଏ-ରୁଟ୍‌ ତୃତୀୟ ଓ୍ଵିକେଟରେ ୨୨୧ ରନ୍‌ ଯୋଡ଼ି ଇଂଲଣ୍ଡକୁ ଶେଷରେ ସହଜ ବିଜୟ ଉପହାର ଦେଇଥିଲେ। ରଏଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ୫୦ ଓଭରରେ ୩୦୪/୮ (ଆରୋନ ଫିଞ୍ଚ ୧୦୭, ମାର୍କସ ଷ୍ଟୋଇନିସ ୬୦, ମିଚେଲ ମାର୍ସ ୫୦, ଲିୟମ ପ୍ଲଙ୍କେଟ ୩/୭୧)। ଇଂଲଣ୍ଡ ୪୮.୫ ଓଭରରେ ୩୦୮ (ଜାସନ ରଏ ୧୮୦, ଜୋ ରୁଟ୍‌ ୯୧*, ମିଚେଲ ଷ୍ଟାର୍କ ୨/୭୧, ପ୍ୟାଟ୍‌ କମିନ୍ସ ୨/୬୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe