ରୟାଲ୍ସକୁ ରଗଡ଼ିଲା ରୟାଲ୍‌: କୋହଲିଙ୍କ ବିରାଟ କୀର୍ତ୍ତି

Advertisment

ଘରୋଇ ଗ୍ରାଉଣ୍ଡ୍‌ରେ ହାରିବା ଏବଂ ବାହାରେ ଜିତିବା ଏବେ ରୟାଲ୍ ଚ୍ୟା‌ଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅଭ୍ୟାସରେ ପରିଣତ ହୋଇଯାଇଛି। ରବିବାର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅପରାହ୍ଣ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ....

ଘରୋଇ ଗ୍ରାଉଣ୍ଡ୍‌ରେ ହାରିବା ଏବଂ ବାହାରେ ଜିତିବା ଏବେ ରୟାଲ୍ ଚ୍ୟା‌ଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅଭ୍ୟାସରେ ପରିଣତ ହୋଇଯାଇଛି। ରବିବାର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅପରାହ୍ଣ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ....

scsc

Photograph: ( Mint)

ଜୟପୁର: ଘରୋଇ ଗ୍ରାଉଣ୍ଡ୍‌ରେ ହାରିବା ଏବଂ ବାହାରେ ଜିତିବା ଏବେ ରୟାଲ୍ ଚ୍ୟା‌ଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଅଭ୍ୟାସରେ ପରିଣତ ହୋଇଯାଇଛି। ରବିବାର ସବାଇ ମାନସିଂହ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଅପରାହ୍ଣ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏକତରଫା ଭାବେ ଘରୋଇ ରାଜସ୍ଥାନ ରୟାଲ୍ସକୁ ୯ ୱିକେଟ୍‌ରେ ପରାସ୍ତ କରିଛି। ଯୋଜନାହୀନ ଭାବେ ମନ୍ଥର ଖେଳିବା ସ‌ତ୍ତ୍ବେ ରାଜସ୍ଥାନ ରୟାଲ୍ସ ୧୭୩ ରନ୍ ସଂଗ୍ରହ କରିଥିଲା। ଆର୍‌ସିବି ପ୍ରାରମ୍ଭିକ ଯୋଡ଼ି ଫିଲ୍ ସଲ୍ଟ ଓ ବିରାଟ କୋହଲିଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ ବଳରେ ଅଢ଼େଇ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ରଜତ ପଟିଦାରଙ୍କ ଦଳ ଏବେ ୬ ମ୍ୟାଚ୍‌ରୁ ୪ ବିଜୟ ପାଇଥିବା ବେଳେ ଘରୋଇ ଗ୍ରାଉଣ୍ଡ୍‌ ବେଙ୍ଗାଲୁରୁରେ ଖେଳିଥିବା ଉଭୟ ମ୍ୟାଚ୍‌ ହାରିଛି। ଇଡେନ୍ ଗାଡେର୍ନ୍ସରେ କେକେଆର୍‌କୁ, ଚେନ୍ନାଇରେ ସିଏସ୍‌କେକୁ, ୱାଙ୍ଖ୍‌ଡେରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିବା ପରେ ରବିବାର ଜୟପୁରରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଏକ ନିଆରା ଧାରାରେ ରହିଛି। ଅନ୍ୟପକ୍ଷରେ ରାଜସ୍ଥାନ ରୟାଲ୍ସ ଚଳିତ ଋତୁରେ ନିଜ ପ୍ରଥମ ହୋମ୍ ଗ୍ରାଉଣ୍ଡ୍‌ ମୁକାବିଲାକୁ ହାରିଯାଇଛି। ଦୁଇ ପରାଜୟ, ଦୁଇ ବିଜୟ ପରେ ଏବେ ସଂଜୁ ସାମସନଙ୍କ ଦଳ ପୁଣି ଦୁଇ ପରାଜୟ ବରଣ କରିଛି।

ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ରାଜସ୍ଥାନ ରୟାଲ୍ସ ଯଶସ୍ବୀ ଜୟସ୍ବାଲଙ୍କ ୩୫ ବଲ୍ ଅର୍ଦ୍ଧଶତକ (୭୫, ୪୭ ବଲ୍‌, ୧୦ ଚୌକା, ୨ ଛକା) ବଳରେ ୧୭୩ ରନ୍ କରିଥିଲା। ସଂଜୁ ସାମସନ୍ (୧୯ ବଲ୍‌ରୁ ୧୫ ରନ୍) ସଂଘର୍ଷ କରିଥିବାବେଳେ ରିୟାନ୍ ପରାଗ (୨୨ ବଲ୍‌ରୁ ୩୦ ରନ୍) ଏବଂ ଧୃବ ଜୁରେଲ୍ (୨୩ ବଲ୍‌ରୁ ୩୫* ରନ୍) ଶେଷ ଭାଗରେ ଦଳକୁ ସମ୍ମାନଜନକ ସ୍କୋର୍‌ ପ୍ରଦାନ କରିଥିଲେ। ବ୍ୟାଟିଂ ଗଭୀରତା ରଖିଥିବା ଆର୍‌ସିବି କିନ୍ତୁ ପ୍ରଥମ ବଲ୍‌ରୁ ଆକ୍ରମଣ ଆରମ୍ଭ କରି ପାୱାର ପ୍ଲେ ଭିତରେ ତୁଳନାତ୍ମକ ଭାବ ୨୦ ରନ୍‌ ଅଧିକ (୪୫-୬୫) ସଂଗ୍ରହ କରି ବଡ଼ ଫରକ ପକାଇଥିଲା। ଫିଲ୍ ସଲ୍ଟ ୨୮ ବଲ୍‌ରୁ ଏବଂ ବିରାଟ କୋହଲି ୩୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରି ଦଳର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। ସଲ୍ଟ (୩୩ ବଲ୍‌ରୁ ୬୫ ରନ୍)ଙ୍କ ଏକମାତ୍ର ୱିକେଟ୍ ନେଇଥିଲେ ଇମ୍ପାକ୍ଟ ଖେଳାଳି କୁମାର କାର୍ତ୍ତିକେୟ। ବିରାଟ କୋହଲି (୪୫ ବଲ୍‌ରୁ ୬୨* ରନ୍) ଏବଂ ଦେବଦତ୍ତ ପଡ଼ିକଲ (୨୮ ବଲ୍‌ରୁ ୪୦* ରନ୍) ଅତୁଟ ଦ୍ବିତୀୟ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ି ମ୍ୟାଚ୍‌କୁ ଶେ‌ଷ କରିଥିଲେ। ଆକ୍ରମଣାତ୍ମକ ଅର୍ଦ୍ଧଶତକ ପାଇଁ ଇଂଲିସ୍ ବ୍ୟାଟର୍ ଫିଲ୍ ସଲ୍ଟ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସଂକ୍ଷିପ୍ତ ସ୍କୋର: ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୭୩/୪ (ଯଶସ୍ବୀ ଜୟସ୍ବାଲ-୭୫, ଧୃବ ଜୁରେଲ-୩୫, ରିୟାନ୍ ପରାଗ-୩୦, ଜୋସ୍ ହାଜେଲଉଡ୍-୧/୨୬, କ୍ରୁନାଲ୍ ପାଣ୍ଡ୍ୟା-୧/୨୯, ଭୁବନେଶ୍ବର କୁମାର-୧/୩୨, ୟଶ ଦୟାଲ-୧/୩୬)। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୧୭.୩ ଓଭରରେ ୧୭୫/୧ (ଫିଲ୍ ସଲ୍ଟ-୬୫, ବିରାଟ କୋହଲି-୬୨*, ଦେବଦତ୍ତ ପଡ଼ିକଲ-୪୦*, କୁମାର କାର୍ତିକେୟ-୧/୨୫)।

କୋହଲିଙ୍କ ବିରାଟ କୀର୍ତ୍ତି
ରାଜସ୍ଥାନ ରୟାଲ୍ସ ବିପକ୍ଷରେ ରବିବାର ଅପରାଜିତ ଅର୍ଦ୍ଧଶତକ ହାସଲ କରି ଆର୍‌ସିବିକୁ ଜିତାଇଥିବା ବିରାଟ କୋହଲି ଏହି ପାଳି ଅବସରରେ ଏକ ବିରାଟ କୀର୍ତ୍ତିମାନ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ବିରାଟ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ୧୦୦ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିଶ୍ବ କ୍ରିକେଟ୍‌ରେ ମଧ୍ୟ ଏହା ମାତ୍ର ଦ୍ବିତୀୟ ଉଦାହରଣ। ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍ ସଂଗ୍ରହ କରିଥିବା ୩୬ ବର୍ଷୀୟ ବିରାଟ ରବିବାର ୩୯ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲିଙ୍କ ପୂର୍ବରୁ ଅବସରପ୍ରାପ୍ତ ଅଷ୍ଟ୍ରେଲୀୟ ଓପନର୍‌ ଡେଭିଡ୍ ୱାର୍ଣ୍ଣର ତାଙ୍କ ଖେଳ ଜୀବନରେ ଟ୍ବେଣ୍ଟି-୨୦ ଫର୍ମ‌ାଟ୍‌ରେ ମୋଟ ୧୦୮ ଅର୍ଦ୍ଧଶତକ ହାସଲ କରିଥିଲେ। କୋହଲି (୧୦୦*)ଙ୍କ ତଳକୁ ଏବେ ପାକିସ୍ତାନର ବାବର ଆଜମ (୯୦*), ୱେଷ୍ଟଇଣ୍ଡିଜ୍‌ର କ୍ରିସ୍ ଗେଲ୍ (୮୮) ଏବଂ ଇଂଲଣ୍ଡର  ଜୋସ୍ ବଟଲର୍ (୮୬*) ଶୀର୍ଷ ୫ରେ ରହିଛନ୍ତି। କୋହଲିଙ୍କ ତଳକୁ ଭାରତୀୟଙ୍କ ମଧ୍ୟରେ ରୋହିତ ଶର୍ମା (୭୮*) ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe