ସୁନ୍ଦରସ୍ୱାସ୍ଥ୍ୟର ସଚ୍ଚା ଗୁୁରୁକୁଳ

Advertisment

ଅର୍ଧଶତାବ୍ଦୀର କ୍ରୀଡ଼ା ଅନୁଷ୍ଠାନ:ରୟାଲ୍‌ ଫିଜିକାଲ୍‌ ଆସୋସିଏସନ

ଅର୍ଧଶତାବ୍ଦୀର କ୍ରୀଡ଼ା ଅନୁଷ୍ଠାନ:ରୟାଲ୍‌ ଫିଜିକାଲ୍‌ ଆସୋସିଏସନ

ସୁନ୍ଦରସ୍ୱାସ୍ଥ୍ୟର ସଚ୍ଚା ଗୁୁରୁକୁଳ

ଭୁବନେଶ୍ୱର: ଓଡ଼ିଶାରେ ସୁନ୍ଦରସ୍ୱାସ୍ଥ୍ୟ ରଖିଛି ସଫଳତାର ଲମ୍ବା ଇତିହାସ। ମିଷ୍ଟର୍‌ ଇଣ୍ଡିଆ ହେଉ କି ମସଲ୍‌ମ୍ୟାନ୍‌ ଅଫ୍‌ ଇଣ୍ଡିଆ। ଏକାଧିକ ଓଡ଼ିଆ ପୁଅ ଏଭଳି ଜାତୀୟ ମୁକୁଟ ଅର୍ଜନ କରି ବଢ଼ାଇଛନ୍ତି ଓଡ଼ିଶାର ଗୌରବ। ରାଜ୍ୟରେ ଯେତେବେଳେ କ୍ରୀଡ଼ା ବିଭାଗ ଜନ୍ମ ହୋଇ ନ ଥିଲା ସେବେଠାରୁ ହିଁ ଏହି ଧାରା ଲମ୍ବି ଆସିଛି। ଏଭଳି ସଫଳତାର ମୂଳପୀଠ ତଥା ଆଦ୍ୟ ଗୁରୁକୁଳ ହେଉଛି ରାଜଧାନୀ ଭୁବନେଶ୍ୱରର ସର୍ବପୁରାତନ ଶାରୀରିକ ତାଲିମ ଅନୁଷ୍ଠାନ ‘ରୟାଲ୍‌ ଫିଜିକାଲ୍‌ ଆସୋସିଏସନ’। ଅର୍ଧଶତାବ୍ଦୀ ଇତିହାସର ଜୀବନ୍ତ ସାକ୍ଷୀ ପାଲଟିଛି। ନିରଂତର ପ୍ରତିଭା ପ୍ରଶିକ୍ଷଣରେ ବ୍ୟସ୍ତ ରହିଛି ଏହି ଘରୋଇ ସଂଘ। ସୁନ୍ଦରସ୍ୱାସ୍ଥ୍ୟ କ୍ରୀଡ଼ାବିତ୍‌ଙ୍କ ଏହି ଖାସ୍‌ ଓ ସଚ୍ଚା ଗୁରୁକୁଳ ବିନା ସରକାରୀ ସହାୟତାରେ ବି ପଛରେ ପଡ଼ିଯାଇ ନାହିଁ। ବଡ଼ ଦୁର୍ଦିନରେ ଥିଲେ ବି ଏହାର ପ୍ରତିଷ୍ଠାତା ସୁରେନ୍ଦ୍ରନାଥ ଗୌଡ଼ ହାର ମାନି ନାହାନ୍ତି।
ଷାଠିଏ ଦଶକ ମଧ୍ୟଭାଗରେ ଖେଳ ଓ ଖେଳାଳିଙ୍କ ଆଦର ନ ଥିଲା କି ସୁଯୋଗ ନ ଥିଲା। ରାଜ୍ୟର ପୁରୁଣା ରାଜଧାନୀ କଟକ ହିଁ ଥିଲା ଖେଳ ଓ ଖେଳାଳିଙ୍କ ଏକମାତ୍ର ପ୍ରାଣକେନ୍ଦ୍ର। ସୁନ୍ଦରସ୍ୱାସ୍ଥ୍ୟରେ ରୁଚି ରଖୁଥିବା ରାଜଧାନୀର କିଛି ଯୁବକ କଟକ ଯାଉଥିଲେ ଏହି ଖେଳ ଶିଖିବାକୁ ଏବଂ ନିଜ ଶରୀରକୁ ସୁନ୍ଦର ଓ ସୁଠାମ କରିବାକୁ। ଏମାନଙ୍କ ଭିତରେ ଅନ୍ୟତମ ଥିଲେ ସୁରେନ୍ଦ୍ରନାଥ ଗୌଡ଼। ଖେଳ ଜୀବନରେ ନ୍ୟାସନାଲ୍‌ ଫିଜିକାଲ୍‌ ଏଫିସିଏଣ୍ଟ୍‌ ଟେଷ୍ଟରେ ଥ୍ରୀ ଷ୍ଟାର୍‌ କୃତିତ୍ୱ ପାଇଥିବା ଶ୍ରୀ ଗୌଡ଼ ପରବର୍ତୀ ସମୟରେ ରାଜଧାନୀରେ ୧୯୬୪ ମସିହାରେ ୟୁନିଟ୍‌-୮ ଅଞ୍ଚଳରେ ପ୍ରତିଷ୍ଠା କରିଥିଲେ ରୟାଲ୍‌ ଫିଜିକାଲ୍‌ ଆସୋସିଏସନ୍‌। ସେବେଠାରୁ ଏକ ଛୋଟିଆ ଘରେ ଏବେ ବି ଚାଲିଛି ଏହି ସଂଘ। ସମୟ ତୁଳନାରେ ଏହାର ଅଗ୍ରଗତି ହୋଇନାହିଁ। କିନ୍ତୁ ନୈତିକ ଦାୟିତ୍ୱ ଏବଂ ମୂଲ୍ୟବୋଧ ଉପରେ ଆଧାରିତ ଏହି ସଂଘ ସୁନ୍ଦରସ୍ୱାସ୍ଥ୍ୟ ଖେଳାଳି ଗଢ଼ିବାରୁ ବିରତ ହୋଇନାହିଁ। ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂହ ଭୋଇ ଏହିଠାରୁ ତାଲିମ ନେଇ ମିଷ୍ଟର ଇଣ୍ଡିଆ ଉପାଧି ପାଇଥିଲେ। ଜିତେନ୍ଦ୍ର ପ୍ରସାଦ ମହାପାତ୍ର, ବାବୁଲି ସ୍ୱାଇଁ, ପ୍ରସନ୍ନ ମହାସୁଆର ପ୍ରମୁଖ ମଧ୍ୟ ଏହିଠାରୁ ଆଗକୁ ବଢ଼ିଥିଲେ। ବର୍ତମାନ ରୟାଲ୍‌ ଫିଜିକାଲ୍‌ ଆସୋସିଏସନ୍‌ରେ ୧୫୦ରୁ ଊର୍ଧ୍ୱ ଯୁବକ ସକାଳେ ଓ ସଂଧ୍ୟାରେ ଅଭ୍ୟାସ କରୁଛନ୍ତି। ରାଜଧାନୀରେ ଏବେ ୧୭୮ ବିଭିନ୍ନ ଜିମ୍ନାସିୟମ୍‌, ଫିଟ୍‌ନେସ୍‌ କେନ୍ଦ୍ର ଗଢ଼ିଉଠିଥିଲେ ମଧ୍ୟ ଏହି ସଂଘର ଅଧିକାଂଶ ପିଲା ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସଫଳତା ପାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe