ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ କ୍ରିକେଟ୍, ଲାରାଙ୍କୁ ହରାଇଲେ ସଚିନ

Advertisment
ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ କ୍ରିକେଟ୍, ଲାରାଙ୍କୁ ହରାଇଲେ ସଚିନ

https://www.news18.com/

ମୁମ୍ବାଇ: କିଂବଦନ୍ତିଙ୍କ ଲଢ଼େଇରେ ମାଷ୍ଟର ବ୍ଲା‌ଷ୍ଟର ସଚିନ ତେନ୍ଦୁଲକର ବାଜି ମାରି ନେଇଛନ୍ତି। ସଚିନ ଓ ୱେଷ୍ଟଇଣ୍ଡିଜ୍‌ର ମହାନ ଖେଳାଳି ବ୍ରାଏନ ଲାରାଙ୍କ ଲଢ଼େଇକୁ ଦେଖିବାକୁ ଦର୍ଶକ ଚାତକ ଭଳି ଚାହିଁ ରହିଥିଲେ। ଶନିବାର ସେମାନଙ୍କର ସେହି ଦୀଘଦିନର ଇଚ୍ଛା ପୂରଣ ହୋଇଛି। ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମରେ ଖେଳା ଯାଇଥିବା ଉଭୟଙ୍କ ପ୍ରତୀକ୍ଷିତ ମହାଲଢ଼େଇରେ ସଚିନଙ୍କ ଦଳ ‘ଇଣ୍ଡିଆ ଲିଜେଣ୍ଡ୍ସ’ ଲାରାଙ୍କ ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସକୁ ୧୦ ବଲ୍ ପୂର୍ବରୁ ୭ ୱିକେଟ୍‌ରେ ପରାସ୍ତ କରିଛି। ସୁଯୋଗ ଥିଲା ଅବସରପ୍ରାପ୍ତ କ୍ରିକେଟ୍ ତାରକାଙ୍କୁ ନେଇ ଆରମ୍ଭ ହୋଇଥିବା ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ କ୍ରିକେଟ୍। ଏହାର ପ୍ରଥମ ମୁକାବିଲାକୁ ସହଜରେ ଜିତି ଇଣ୍ଡିଆ ଲିଜେଣ୍ଡ୍ସ ଚମତ୍କାର ଶୈଳୀରେ ଅଭିଯାନ ଆରମ୍ଭ କରିଛି। ସଚିନ ନିଜ ଶେଷ ମ୍ୟାଚ୍ ଖେଳିଥିବା ୱାଙ୍ଖଡେକୁ ଫେରି ପୁଣି ଥରେ ବିଜୟର ସ୍ବାଦ ଚାଖିଛନ୍ତି। ରବିବାର ସିରିଜ୍‌ର ଦ୍ବିତୀୟ ମୁକାବିଲାରେ ଶ୍ରୀଲଙ୍କା ଲିଜେଣ୍ଡ୍ସକୁ ଅଷ୍ଟ୍ରେଲିଆ ଲିଜେଣ୍ଡ୍ସ ଭେଟିବ।

ପୁଣି ସଚିନ-ସେହବାଗ ଯାଦୁ
ଭାରତ ପକ୍ଷରୁ ପାଳି ଆରମ୍ଭ କଲା ବେଳେ ସଚିନ ଓ ସେହବାଗ ଯୋଡ଼ି ପ୍ରତିପକ୍ଷ ବୋଲରଙ୍କ ମନରେ ଭୟ ସୃଷ୍ଟି କରୁଥିଲେ। ଶନିବାର ବି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା। ଉଭୟ ସେହି ପୁରୁଣା ଯାଦୁ ଦେଖାଇ ପାଳି ଆରମ୍ଭରୁ ଭିନ୍ନ ଭିନ୍ନ ପ୍ରକାର ସଟ୍ ଖେଳି ଦର୍ଶକଙ୍କୁ ବିମୋହିତ କରିଥିଲେ। ଉଭୟ ପ୍ରଥମ ୱି‌କେଟ୍‌ରେ ୮୩ ରନ୍ ଯୋଡ଼ି ଭାରତ ଲିଜେଣ୍ଡ୍ସ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ସଚିନ ୩୬ ରନ୍ (୨୯ ବଲ୍, ୭ ଚୌକା) କରି ସୁଲେବାନ ବେନଙ୍କ ଦ୍ବାରା ଆଉଟ୍ ହୋଇଥିଲେ। ହେଲେ ସେହବାଗ (୭୪* ରନ୍, ୫୭ ବଲ୍) ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତାଙ୍କ ବିସ୍ଫୋରକ ରୂପ ଜାରି ରଖିଥିଲେ। ସେଥିମଧ୍ୟରେ ସେ ୧୧ଟି ଦର୍ଶନୀୟ ଚୌକା ମାରିଥିଲେ। ସେହବାଗ ହିଁ ଇଣ୍ଡିଆ ଲିଜେଣ୍ଡ୍ସକୁ ସହଜ ବିଜୟ ଉପହାର ଦେଇଥିଲେ। ୱେଷ୍ଟଇଣ୍ଡିଜ୍ ଧାର୍ଯ୍ୟ କରିଥିବା ୧୫୧ ରନ୍‌ର ଲକ୍ଷ୍ୟକୁ ଇଣ୍ଡିଆ ଲିଜେଣ୍ଡ୍ସ ୧୮.୨ ଓଭରରେ ମାତ୍ର ୩ ୱିକେଟ୍ ହରାଇ ହାସଲ କରି ନେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ କୈଫ ୧୪ ଓ ମନପ୍ରୀତ ଗୋନି କୌଣସି ରନ୍ କରି ପାରି ନଥିଲେ।

ଚନ୍ଦରପଲ ଚମକ ଫିକା
ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସ ଏହା ପୂର୍ବରୁ ଶିବ ନାରାୟଣ ଚନ୍ଦରପଲ (୬୧ ରନ୍, ୪୧ ବଲ୍, ୬ ଚୌକା, ୨ ଛକା)ଙ୍କ ଅର୍ଧଶତକ ବଳରେ ନିର୍ଧାରିତ ୨୦ ଓଭରରେ ୮ ୱି‌କେଟ୍ ହରାଇ ୧୫୦ ରନ୍ କରିଥିଲା। ଲାରାଙ୍କ ଖେଳ ‌ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରିଥିଲେ। ସେ ମାତ୍ର ୧୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଅନ୍ୟତମ ଇଣ୍ଡିଜ୍ କିଂବଦନ୍ତି କାର୍ଲ ହୁପର ମାତ୍ର ୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଇଣ୍ଡିଆ ଲିଜେଣ୍ଡ୍ସ ପକ୍ଷରୁ ଜାହିର ଖାନ୍, ମୁନାଫ ପଟେଲ ଓ ପ୍ରଜ୍ଞାନ ଓଝା ଦୁଇଟି ଲେଖାଏଁ ୱିକେଟ୍ କରାୟତ୍ତ କରିଥିଲେ।

ପ୍ରଜ୍ଞାନ ପାଇଲେ ୨ ୱିକେଟ୍
ଅବସର ପରେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ମଧ୍ୟ ପ୍ରଥମ ଥର ପାଇଁ ପଡ଼ିଆ ଭିତରେ ଦେଖିବାକୁ ମିଳିଥିଲା। ଇଣ୍ଡିଆ ଲିଜେଣ୍ଡ୍ସ ଦଳରେ ସାମିଲ ହୋଇ ସେ ଅଧିନାୟକ ସଚିନ ତେନ୍ଦୁଲକରଙ୍କ ଆଶା ଓ ଭରସା ପୂରଣ କରିଥିଲେ। ୪ ଓଭରରେ ୨୭ ରନ୍ ବ୍ୟୟ କରି ପ୍ରଜ୍ଞାନ ୨ ୱିକେଟ୍ ନେଇଥିଲେ। ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡ୍ସର କାର୍ଲ ହୁପର ଓ ଡାଞ୍ଜା ହାୟାତଙ୍କୁ ସେ ଶିକାର କରିଥିଲେ। ସେହବାଗ କିନ୍ତୁ ତାଙ୍କ ବିସ୍ଫୋରକ ପାଳି ପାଇଁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe