ସଚିନ୍‌ ନିଜକୁ ତାଲାବନ୍ଦ କରିବା ଘଟଣା ମନେ ପକାଇଲେ ଲକ୍ଷ୍ମଣ

Advertisment
ସଚିନ୍‌ ନିଜକୁ ତାଲାବନ୍ଦ କରିବା ଘଟଣା ମନେ ପକାଇଲେ ଲକ୍ଷ୍ମଣ

Rediff.com

ନୂଆଦିଲ୍ଲୀ : ଆଜକୁ ୨୨ ବର୍ଷ ତଳର ଏକ ଘଟଣାକୁ ମନେ ପକାଇଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ତାରକା ଭିଭିଏସ୍‌ ଲକ୍ଷ୍ମଣ। ୧୯୯୮ ମସିହାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏମ୍‌ଏ ଚିଦମ୍ବରମ ଷ୍ଟାଡିୟମ୍‌ରେ ଟେଷ୍ଟ୍‌ ମ୍ୟାଚ୍‌ ଖେଳାଯାଉଥିଲା। ଏହି ଆକର୍ଷଣୀୟ ଟେଷ୍ଟ୍‌ ମ୍ୟାଚ୍‌ ବେଳେ ପଡ଼ିଆ ଭିତରେ ବିଶେଷକରି କ୍ରିକେଟ୍‌ର ଦୁଇ ରଥୀ ସଚିନ୍‌ ତେନ୍ଦୁଲକର ଓ ସେନ୍‌ ୱର୍ନଙ୍କ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭାରତ ତା'ର ପ୍ରଥମ ପାଳିରେ ୨୫୭ ରନ୍‌ରେ ସମସ୍ତ‌ ହରାଇଥିଲା। ସେଥିରେ ସଚିନ୍‌ଙ୍କ ଅବଦାନ ମାତ୍ର ୪ ରନ୍‌ ଥିଲା। ତେବେ ଚେନ୍ନାଇର ଏହି ଟେଷ୍ଟ୍‌ ପାଇଁ ସଚିନ୍‌ ଖୁବ୍‌ ଭଲ ଭାବେ ପ୍ରସ୍ତୁତି କରିଥିଲେ। ହେଲେ ମାତ୍ର ୪ ରନ୍‌ରେ ପାଭିଲିୟନ୍‌ ଫେରିଯାଇଥିଲେ। ଗୋଟିଏ ଚୌକା ମାରିବା ପରେ ପରବର୍ତୀ ବଲ୍‌କୁ ମିଡ୍‌ଅନ୍‌ ଉପର ଦେଇ ବଡ଼ ସଟ୍‌ ଖେଳିବାକୁ ପ୍ରୟାସ କରିଥିଲେ। ବଲ୍‌ର ଟର୍ନ ବିପକ୍ଷରେ ହିଁ ସେ ସଟ୍‌ ଖେଳିଥିଲେ ଏବଂ ମାର୍କ ଟେଲରଙ୍କ ହାତରେ ଧରା ପଡ଼ିଯାଇଥିଲେ। ଏଥିରେ ସେ ଏତେମାତ୍ରାରେ ବ୍ୟଥିତ ହୋଇପଡ଼ିଥିଲେ ଯେ ପଡ଼ିଆ ଛାଡ଼ିବା ପରେ ନିଜକୁ ଫିଜିଓଙ୍କ କୋଠରୀରେ ତାଲା ପକାଇ ରଖିଥିଲେ ବୋଲି ଲକ୍ଷ୍ମଣ ମନେ ପକାଇ କହିଛନ୍ତି। ସେ ପ୍ରାୟ ଏକ ଘଣ୍ଟା ଧରି ଗୃହାବଦ୍ଧ ରହିବା ପରେ ବାହାରକୁ ବାହାରିଥିଲେ। ଆଉ ଯେତେବେଳେ ବାହାରକୁ ଆସିଲେ, ଆମେ ତାଙ୍କ ଆଖି ଲାଲ ହୋଇଯାଇଥିବା ଦେଖିବାକୁ ପାଇଥିଲୁ। ସେ ଯେପରି ଭାବେ ଆଉଟ୍‌ ହେଲେ ସମ୍ଭବତଃ ସେଥିରେ ଆଦୌ ସନ୍ତୁଷ୍ଟ ନଥିଲେ। ତେଣୁ ସେ ଯେ ଅତ୍ୟନ୍ତ ଭାବପ୍ରବଣ ହୋଇଯାଇଥିଲେ ବୋଲି ମୁଁ ଅନୁଭବ କରିଥିବା ଲକ୍ଷ୍ମଣ କହିଛନ୍ତି।

ଭାରତର ୨୫୭ ରନ୍‌ ଜବାବରେ ଅଷ୍ଟ୍ରେଲିଆ ତା'ର ପ୍ରଥମ ପାଳିରେ ୩୨୮ ରନ୍‌ କରିଥିଲା। ଏଥି ସହିତ ୭୧ ରନ୍‌ର ଅଗ୍ରଣୀ ମଧ୍ୟ ପାଇଥିଲା। ହେଲେ ଦ୍ବିତୀୟ ପାଳିରେ ଭାରତ ଜୋର୍‌ଦାର ପ୍ରତ୍ୟାବର୍ତନ କରିଥିଲା ଏବଂ ୪୧୮/୪ରେ ପାଳି ଘୋଷଣା କରିଦେଇଥିଲା। ମାଷ୍ଟର ବ୍ଲାଷ୍ଟର ସଚିନ୍‌ ଦମ୍‌ଦାର ପାଳି ଖେଳି ୧୫୫ ରନ୍‌ରେ ଅପରାଜିତ ରହିଥିଲେ। ଯେଉଁଥିରେ ସାମିଲ ଥିଲା ୧୪ ଚୌକା ଓ ୪ ଛକା। ସେହି ପାଳିରେ ସେ ଯେପରି ବ୍ୟାଟିଂ କରିଥିଲେ ସେଥିରେ ସବୁ ଅଷ୍ଟ୍ରେଲୀୟ ବୋଲରଙ୍କ ଲୟ ବିଗାଡ଼ି ଦେଇଥିଲେ। ଯାହାର ଫଳସ୍ବରୂପ ୱର୍ନ ଲେଗ୍‌ଷ୍ଟମ୍ପ୍‌ ବାହା‌ରେ ଅଣଖେଳୁଆଡ଼ ବଲ୍‌ ବୋଲିଂ କରୁଥିଲେ ବୋଲି ଲକ୍ଷ୍ମଣ କହିଛନ୍ତି। ୱର୍ନ ଯେତେବେଳେ ଅଣପାରମ୍ପରିକ ଶୈଳୀରେ ବୋଲିଂ କରୁଥିଲେ ସେତେବେଳେ ସଚିନ୍‌ ମି୍‌ଡ୍‌ଅଫ୍‌ ଓ ମିଡ୍‌ଅନ୍‌ ଅଞ୍ଚଳ ଦେଇ ସଟ୍‌ସବୁ ମାରୁଥିଲେ। ଆଉ ୱର୍ନଙ୍କ ସହ ସେହି କ୍ରିକେଟ୍‌ ଯୁଦ୍ଧ ହିଁ ମୁଁ ଦେଖିଥିବା ମଧ୍ୟରେ ଅନ୍ୟତମ ‌ଶ୍ରେଷ୍ଠ ଥିଲା ବୋଲି ଲକ୍ଷ୍ମଣ କହିଛନ୍ତି। ଏହାପରେ ଭାରତୀୟ ବୋଲରମାନେ ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିକୁ ୧୬୮ ରନ୍‌ରେ ଅଟକାଇ ଦେଇ ଦଳକୁ ୧୭୯ ରନ୍‌ର ଆକର୍ଷଣୀୟ ବିଜୟ ଭେଟି ଦେଇଥିଲେ। ଅନିଲ କୁମ୍ବଲେ ୪/୪୬ ଓ ଭେଙ୍କଟପତି ରାଜୁ ୩/୩୧ର ବୋଲିଂ ଚିତ୍ର ପାଇଥିଲେ। ଯାହାକି ଭାରତ ବିଜୟ ପାଇଁ ଯଥେଷ୍ଟ ହୋଇଥିଲା ବୋଲି ଲକ୍ଷ୍ମଣ ମନେ ପକାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe