ସେହବାଗଙ୍କ ୩୦୯ ଅପେକ୍ଷା ସଚିନଙ୍କ ୧୩୬ ବହୁତ ଭଲ: ସାକ୍‌ଲିନ

Advertisment
ସେହବାଗଙ୍କ ୩୦୯ ଅପେକ୍ଷା ସଚିନଙ୍କ ୧୩୬ ବହୁତ ଭଲ: ସାକ୍‌ଲିନ

Times of India

ଲାହୋର: ୨୦୦୪ ମସିହାରେ ପାକିସ୍ତାନର ମୁଲତାନଠାରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହବାଗ ହାସଲ କରିଥିବା ତ୍ରି-ଶତକ (୩୦୯ ରନ୍) ତୁଳନାରେ ୧୯୯୯ରେ ଚେନ୍ନାଇର ଚେପକ ଷ୍ଟାଡିୟମରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହାସଲ କରିଥିବା ଶତକ (୧୩୬ ରନ୍) ମୂଲ୍ୟବାନ ଓ ବହୁତ ଭଲ। କାରଣ ସଚିନ ତୁଳନାତ୍ମକ ଭାବେ କଠିନ ଓ ପ୍ରତିକୂଳ ପରିବେଶ ଏବଂ ପରିସ୍ଥିତିରେ ସେହି ଶତକ ହାସଲ କରିଥିଲେ। ଉଭୟ ଟେଷ୍ଟ୍‌ରେ ବୋଲିଂ କରିଥିବା ପାକିସ୍ତାନର ପୂର୍ବତନ ଅଫ୍ ସ୍ପିନର ସାକଲିନ୍ ମୁସ୍ତାକ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏକ ୟୁଟ୍ୟୁବ୍ ସାକ୍ଷାତକାର ଅବସରରେ ସାକଲିନ୍ କହିଛନ୍ତି ଯେ ଚେନ୍ନାଇ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ସଚିନ କରିଥିବା ୧୩୬ ରନ୍‌କୁ ମୁଁ ସେହବାଗ ମୁଲତାନରେ ହାସଲ କରିଥିବା ୩୦୯ ରନ୍ ତୁଳନାରେ ଅଧିକ ନମ୍ବର ଦେବି। କାରଣ ଆମେ ସେତେବେଳେ ପୂର୍ଣ୍ଣ ପ୍ରସ୍ତୁତି ସହ ଭାରତ ଯାଇଥିଲୁ। ପଡ଼ିଆ ଭିତରେ ଓ ବାହାରେ ଯୁଦ୍ଧ ଭଳି (କାରଗିଲ ଲଢ଼େଇକୁ ଇଙ୍ଗିତ କରି) ପରିସ୍ଥିତି ଥିଲା।

ଉଭୟ ଦଳ ପାରୁପର୍ଯ୍ୟନ୍ତ ଲଢ଼େଇ କରୁଥିଲେ। ମୁଲତାନଠାରେ ସେମିତି କିଛି ନଥିଲା। ପ୍ରଚ୍ଛଦରେ କୌଣସି ଲଢ଼େଇ ଚାଲୁ ନଥିଲା। ଏହା ମଧ୍ୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳି ଥିଲା। ଦ୍ବିତୀୟ ନୁହେଁ। ପ୍ରଥମ ଦିନର ପିଚ୍ ଥିଲା। ବୋଲରମାନେ ପ୍ରସ୍ତୁତ ନଥିଲେ। ସେହବାଗ ନିଜେ କିମ୍ବା ତାଙ୍କ ପିତା ମାତା କରିଥିବା କୌଣସି ଭଲ କାମର ଫଳ ତାଙ୍କୁ ମିଳିଯାଇଥିଲା। ମୁଲତାନ ଟେଷ୍ଟ୍‌ରେ କିନ୍ତୁ ସାକଲିନଙ୍କୁ ସେହବାଗ ନିର୍ଧୂମ ଧୂଲେଇ କରିଥିଲେ। ସେଥିପାଇଁ ୪୩ ଓଭର ବୋଲିଂ କରି ସାକଲିନ ମାତ୍ର ଗୋଟିଏ ୱିକେଟ୍ ନେବା ସହ ୨୦୪ ରନ୍ ବ୍ୟୟ କରିଥିଲେ। ଟେଷ୍ଟ୍ କ୍ରିକେଟ୍‌ରେ ତ୍ରି-ଶତକ ହାସଲ କରିବାରେ ସେହବାଗ ମଧ୍ୟ ପ୍ରଥମ ଭାରତୀୟ ହେବାର ଗୌରବ ଅର୍ଜନ କରିଥିଲେ। ଚେନ୍ନାଇ ଟେଷ୍ଟ୍‌ର ଉଭୟ ପାଳିରେ କିନ୍ତୁ ସାକଲିନଙ୍କୁ ପାଞ୍ଚ ୱିକେଟ୍ ସଫଳତା ମିଳିଥିଲା। ବ୍ୟାଟିଂକୁ ସୁହାଉଥିବା ପିଚ୍, ଖେଳାଳିଙ୍କ ଆଘାତ ସମସ୍ୟା ଏବଂ ଖେଳାଳି ଓ ପିସିବି ମଧ୍ୟରେ ଥିବା ତିକ୍ତତା ସେହବାଗଙ୍କ ସପକ୍ଷରେ ଯାଇଥିଲା ବୋଲି ସାକଲିନ୍ ଏହି ଅବସରରେ ମତ ରଖିଛନ୍ତି। ତେବେ ସେହବାଗ ଜଣେ ବିଶ୍ବସ୍ତରୀୟ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୋଲି ସେ ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe