ସଚିନ @ ୪୭, ଜନ୍ମଦିନ ପାଳନ କରିବେନି

Advertisment

୪୦ ବିରଳ ଫଟୋ ଜାରି କରିବ ପ୍ରଶଂସକ କ୍ଲବ୍

୪୦ ବିରଳ ଫଟୋ ଜାରି କରିବ ପ୍ରଶଂସକ କ୍ଲବ୍

ସଚିନ @ ୪୭, ଜନ୍ମଦିନ ପାଳନ କରିବେନି

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଶୁକ୍ରବାର ନିଜ ୪୭ତମ ଜନ୍ମଦିବସ ପାଳନ କରିବେ। ୧୯୭୩ ମସିହା ଏପ୍ରିଲ ୨୪ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ସଚିନଙ୍କୁ ଆସନ୍ତାକାଲି ୪୭ପୂରି ୪୮ ଚାଲିବ। ବିଶ୍ବ କ୍ରିକେଟ୍‌ର ମହାନତମ ତଥା ଉଜ୍ଜ୍ବଳ ତାରକା ସଚିନ ସଂପ୍ରତି କରୋନା ଆତଙ୍କ ପାଇଁ ନିଜ ମୁମ୍ବାଇ ବାସଭବନରେ ଲକଡାଉନ୍ ଅଛନ୍ତି। ସେ ମଧ୍ୟ ଛୋଟ ମୋଟ ଦୈନନ୍ଦିନ କାର୍ଯ୍ୟ ନିଜେ କରୁଛନ୍ତି। ନିକଟରେ ସଚିନ ନିଜ କେଶକୁ ନିଜେ କାଟୁଥିବାର ଫଟୋ ପ୍ରକାଶ କରି ପ୍ରଶଂସିତ ହୋଇଥିଲେ। 'ସ୍କୋୟାର କଟ୍‌ରୁ ହେୟାର କଟ୍' ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟ କରିବାକୁ ସେ ସବୁବେଳେ ଉପଭୋଗ କରନ୍ତି ବୋଲି ସଚିନ ଟ୍ବିଟ୍ କରି ପ୍ରଶଂସକଙ୍କ ମନ ଜିତି ନେଇଥିଲେ। ସଚିନ ପୂର୍ବରୁ କରୋନା ଲଢ଼େଇ ପାଇଁ ୫୦ ଲକ୍ଷ ଟଙ୍କା ଦାନ କରି ନିଜ ନିଜ ମହାନତାର ପରିଚୟ ଦେଇଥିଲେ। ସେହିଭଳି ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ ପ୍ରସାରିତ ଜନହିତକର ବିଜ୍ଞାପନରେ ଅଭିନୟ କରି ସଚିନ ମଧ୍ୟ କରୋନା ବିରୋଧୀ ସଚେତନତା ଅଭିଯାନରେ ନିଜକୁ ସାମିଲ କରିଛନ୍ତି। ସେ ମଧ୍ୟ ଅନେକ ସ୍ବେଚ୍ଛାସେବୀ ଓ ଦାତବ୍ୟ ସଂଗଠନ ସହ ଜଡ଼ିତ ଅଛନ୍ତି।

ଜନ୍ମଦିନ ପାଳନ କରିବେନି
କରୋନା ମହାମାରୀ ଆତଙ୍କ ପାଇଁ ଭାରତ ସହ ସମଗ୍ର ବିଶ୍ବ ଏବେ ସଙ୍କଟଜନକ ସ୍ଥିତି ଦେଇ ଗତି କରୁଥିଲା ବେଳେ ସଚିନ ମଧ୍ୟ ଏଥିଲାଗି ନିଜ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ସୂଚନା ଦେଇଛନ୍ତି। କରୋନା ଯୁଦ୍ଧରେ ଆଗରେ ରହି ଲଢ଼େଇ କରୁଥିବା ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମୀ ଆଦିଙ୍କ ସମ୍ମାନାର୍ଥେ ନିଜ ୪୭ତମ ଜନ୍ମଦିନକୁ ଅତି ନିରାଡ଼ମ୍ବର ଭାବେ ବିତାଇବେ ସଚିନ। ତାଙ୍କର ଜଣେ ବନ୍ଧୁ ନିଜ ନାମ ଗୋପନ ରଖି କହିଛନ୍ତି ଯେ ଉତ୍ସବ ପାଳନର ଏହା ପ୍ରକୃଷ୍ଟ ସମୟ ନୁହେଁ ବୋଲି ସଚିନ ନିଷ୍ପତ୍ତି ନେଇଛନ୍ତି। ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପୁଲିସ, ସେନା ଯବାନ ଓ କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଆଗଧାଡ଼ିର ସୈନିକମାନଙ୍କ ପାଇଁ ଏହା ତାଙ୍କ ତରଫରୁ ବଳିଷ୍ଠ ଉପହାର ହେବ।

୪୦ ବିରଳ ଫଟୋ ଜାରି କରିବ ପ୍ରଶଂସକ କ୍ଲବ୍
କରୋନା ମହାମାରୀ ପାଇଁ ୪୭ତମ ଜନ୍ମଦିବସକୁ ପାଳନ ନକରିବାକୁ ସଚିନ ନିଷ୍ପତ୍ତି ନେଇଥିଲେ ମଧ୍ୟ ତାଙ୍କ ପ୍ରଶଂସକମାନେ ଏହାକୁ ସ୍ମରଣୀୟ କରିବା ପାଇଁ ଲାଗି ପଡ଼ିଛନ୍ତି। ଲକ୍‌ଡାଉନ୍ ପାଇଁ ବଡ଼ ଧରଣର ଉତ୍ସବ ପାଳନ ସମ୍ଭବ ହେଉ ନଥିବାରୁ ସେମାନେ ସଚିନଙ୍କ ଖେଳ ଜୀବନର ୪୦ ବିରଳ ଫଟୋ ଶୃଙ୍ଖଳା ପ୍ରକାଶ କରିବାକୁ ନିଷ୍ପତ୍ତି ‌ନେଇଛନ୍ତି। ସେହିଭଳି ଗତ ତିନି ଦଶନ୍ଧି ମଧ୍ୟରେ ସଚିନ କରିଥିବା ସମାଜ ସେବାର ତାଲିକା ପ୍ରସ୍ତୁତ କରି ଏହାକୁ ଜନସାଧାରଣଙ୍କୁ ଜଣାଇବାକୁ ବି ପ୍ରଶଂସକମାନେ ଚିନ୍ତା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe