ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ସାଫ୍ ଫୁଟବଲ୍: ଭାରତୀୟ ଦଳରେ ଟଙ୍କଧର

Advertisment

ଓଡ଼ିଶା ଏଫ୍‌ସି ସହ ପ୍ୟାରୀଙ୍କ ଚୁକ୍ତି

ଓଡ଼ିଶା ଏଫ୍‌ସି ସହ ପ୍ୟାରୀଙ୍କ ଚୁକ୍ତି

ସୋମବାରଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ସାଫ୍ ଫୁଟବଲ୍: ଭାରତୀୟ ଦଳରେ ଟଙ୍କଧର

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍ ମୁଖ୍ୟ ପଡ଼ିଆରେ ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସାଫ୍ ୨୦ ବର୍ଷରୁ କମ୍ ଫୁଟବଲ୍ ପ୍ରତିଯୋଗିତା ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଶନିବାର ଘୋ‌ଷିତ ହୋଇଥିବା ଏହି ୨୩ ଜଣିଆ ଦଳରେ ଓଡ଼ିଶାର ଟଙ୍କଧର ବାଗ୍ ସ୍ଥାନ ପାଇଛନ୍ତି। ୧୮ ବର୍ଷୀୟ ଟଙ୍କଧର ହେଉଛନ୍ତି ଜଣେ ରକ୍ଷଣଭାଗ ଖେଳାଳି। ଗତ ବର୍ଷ ଜାନୁଆରି ୩୧ରେ ଇଣ୍ଡିଆନ୍ ଆରୋଜ୍ ପକ୍ଷରୁ ଚର୍ଚ୍ଚିତ ବ୍ରଦର୍ସ ବିପକ୍ଷରେ ଖେଳି ପେସାଦାର ଫୁଟବଲ୍ ଦୁନିଆରେ ପାଦ ରଖିଥିଲେ ସେ। ଝାରସୁଗୁଡ଼ା ନିକଟସ୍ଥ ସାଲେପଲିର ମହେଶ୍ବର ଓ ହେମଲତା ବାଗଙ୍କ ତିନି ପୁଅ ମଧ୍ୟରୁ ଟଙ୍କଧର ହେଉଛନ୍ତି ସବୁଠୁ ସାନ। ବଲାଙ୍ଗୀର କ୍ରୀଡ଼ା ଛାତ୍ରାବାସରୁ ନିଜ ଖେଳ ଜୀବନ ଆରମ୍ଭ କରିଥିଲେ ସେ। ଟଙ୍କଧରଙ୍କୁ ଫୁଟ୍‌ବଲ୍ ଆସୋସିଏସନ୍‌ ଅଫ୍‌ ଓଡ଼ିଶାର ସମ୍ପାଦକ ଆଶୀର୍ବାଦ ବେହେ‌ରା ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି।
ଭାରତୀୟ ୨୦ ବର୍ଷରୁ କମ୍ ଦଳ ଗତ ଦୁଇ ଋତୁ ହେବ ଆଇ-ଲିଗ୍ ଘରୋଇ ପ୍ରତିଯୋଗିତା ଏବଂ ଆଇଏଫ୍‌ଏ ସିଲ୍ଡରେ ଅଂଶଗ୍ରହଣ କରି ସାଫ୍ ପ୍ରତିଯୋଗିତା ଲାଗି ପ୍ରସ୍ତୁତି କରିଛି। ସାଫ୍ ପ୍ରତିଯୋଗିତା ଲାଗି ଅଧିକାଂଶ ଖେଳାଳି ଇଣ୍ଡିଆନ୍ ଆରୋଜ୍ ନାମରେ ଏହି ଦୁଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଭାରତୀୟ ଦଳରୁ ହିଁ ବଛାଯାଇଛି।
ସୂଚନାଯୋଗ୍ୟ ଯେ ଦୁଇବର୍ଷର ବ୍ୟବଧାନ ପରେ ଭାରତୀୟ ୨୦ ବର୍ଷରୁ କମ୍ ଦଳ ଅନ୍ତର୍ଜାତୀୟ ଫୁଟବଲ୍‌କୁ ଫେରୁଛି। ସାଫ୍ ପ୍ରତିଯୋଗିତାରେ ଭାରତ ପଡ଼ୋଶୀ ବାଂଲାଦେଶ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏହି ପ୍ରତିଯୋଗିତା ପରେ ଭାରତୀୟ ଦଳ ଏଏଫ୍‌ସି ୨୦ ବର୍ଷରୁ କମ୍ ଫୁଟବଲ୍ ଲାଗି ଇରାକ ଗସ୍ତ କରିବ।

ଭାରତୀୟ ଦଳ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ, କୁଏତ ଓ ଆୟୋଜକ ଇରାକ ସହ ଗ୍ରୁପ୍-ଏଚ୍‌’ରେ ସ୍ଥାନ ପାଇଛି। ଦଳ ଘୋଷଣା ପରେ ମୁଖ୍ୟ ପ୍ରଶିକ୍ଷକ ଶନମୁଗମ୍ ଭେଙ୍କଟେଶ କହିଛନ୍ତି ଯେ ସାଫ୍ ପ୍ରତିଯୋଗିତାରେ ଭଲ କରିବୁ ବୋଲି ଆମେ ଆଶା ରଖିଛୁ। ଏହି ମହାଦେଶ ସ୍ତରୀୟ ପ୍ରତିଯୋଗିତା ଲାଗି ସାଫ୍ ପ୍ରତିଯୋଗିତା ଆମକୁ ଏକ ଭଲ ମଞ୍ଚ ପ୍ରଦାନ କରିବ। ସେହିଦୃଷ୍ଟିରୁ ଆମେ ସାଫ୍ ପ୍ରତିଯୋଗିତାର ଗୁରୁତ୍ବ ଏବଂ ମହତ୍ବ ବୁଝିଛୁ। ଘରୋଇ ପରିବେଶ ମଧ୍ୟ ଆମ ପାଇଁ ଆଉ ଏକ ସକାରାତ୍ମକ କଥା।
ଭାରତୀୟ ଦଳ: ଗୋଲ୍‌ରକ୍ଷକ-ସୟଦ ଜାହିଦ ବୁଖା‌ରି, ମୋହିତ ସିଂହ ଧାମି, ସୋମ୍‌ କୁମାର, ରକ୍ଷଣଭାଗ-ଅମନଦୀପ, ହଲେନ ନଙ୍ଗଦୁ, ବିକାଶ ୟୁମନାମ, ସଜଦ ହୁନେଦ ପରେ, ରାଜ୍ ବାସଫୋର, ବ୍ରଜେଶ ଗିରି, ଟଙ୍କଧର ବାଗ, ପ୍ରିତମ ମିତେଇ ସରୋଖାଇବମ୍, ମଧ୍ୟଭାଗ-ଶିବଜିତ ସିଂହ ଲିମାପୋଖରମ, ଭିବିନ ମୋହନନ୍, ବିନୟ ହାର୍ଜି, ମହେଶନ ସିଂହ ଥଙ୍ଗବାମ, ସୁଜିତ ସିଂହ, ହର୍ଷ ଶୈଳେଶ ପତ୍ରେ, ତାଇସନ୍ ସିଂହ ଲୋଇତଙ୍ଗବାମ, ମାକାରଟନ୍ ଲୁଇସ୍ ନିକସନ୍। ଅଗ୍ରଭାଗ- ଗୁରକିରଟ ସିଂହ, ପାର୍ଥିବ ସୁନ୍ଦର ଗୋ‌‌ଗୋଇ, ହିମାଂଶୁ ଜାଙ୍ଗ୍ରା, ଶୁଭୋ ପଲ୍। ଶନମୁଗମ୍ ଭେଙ୍କଟେଶ।

ଭୁବନେଶ୍ବର: ଭାରତୀୟ ମହିଳା ଫୁଟ୍‌ବଲ୍ ଦଳର ତାରକା ଖେଳାଳି ଓଡ଼ିଆ ଝିଅ ପ୍ୟାରୀ ଖାଖାଙ୍କୁ ପେସାଦାର ଫୁଟ୍‌ବଲ୍ ଦଳ ଓଡ଼ିଶା ଏଫ୍‌ସି ଯୁକ୍ତିବଦ୍ଧ କରିଛି। ଆଇଏସ୍‌ଏଲ୍‌ର ମହିଳା ଦଳରେ ସାମିଲ ହେବାରେ ପ୍ୟାରୀ ପ୍ରଥମ ଓଡ଼ିଆ ଖେଳାଳି ମଧ୍ୟ ହୋଇଛନ୍ତି। ସୁନ୍ଦରଗଡ଼ର ଝରତରଙ୍ଗରୁ ଆସି ଭାରତୀୟ ଯୁବ (୧୯ ବର୍ଷରୁ କମ୍‌) ଏବଂ ବରିଷ୍ଠ ଦଳରେ ଖେଳି ସାରିଛନ୍ତି ସେ। ୨୦୧୪ରେ ପ୍ୟାରୀ ଏଆଇଏଫଏଫ୍‌ର ଉଦୀୟମାନ ‌ଖେଳାଳି ଏବଂ ୨୦୧୦-୨୧ରେ ଭାରତୀୟ ପ୍ରଶଂସକଙ୍କ ଶ୍ରେଷ୍ଠ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ବିଜୁଳି ବେଗ ଓ ଶକ୍ତି ପାଇଁ ପରିଚିତ ପ୍ୟାରୀ କୁଆଁରମୁଣ୍ଡାରୁ ନିଜ ‌ଖେଳ ଜୀବନ ଆରମ୍ଭ କରିଥିବାବେଳେ ୨୦୧୭-୧୮ରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ୍ସକୁ ଇଣ୍ଡିଆନ୍‌ ୱିମେନ୍ସ ଲିଗ୍ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଓଡ଼ିଶା ପୁଲିସ୍‌ ଓ ସ୍ପୋର୍ଟସ ଓଡ଼ିଶା ପାଇଁ ଖେଳିବା ପରେ ଏବେ ଓଡ଼ିଶା ଏଫ୍‌ସି ତାଙ୍କ ସେବାରୁ ଫାଇଦା ନେବାକୁ ଯାଉଛି। ପ୍ୟାରୀଙ୍କ ଚୁକ୍ତିକୁ ଓଡ଼ିଶା ଏଫ୍‌ସି ସଭାପତି ରାଜ ଅତୱାଲ୍‌ ସ୍ବାଗତ କରିବା ସହ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ସେହିଭଳି ଶନିବାର ଓଡ଼ିଶା ଏଫ୍‌ସି ମଧ୍ୟ ଭାରତୀୟ ଦଳର ଅନ୍ୟତମ ଡିଫେଣ୍ଡର୍‌ ମୁମ୍ବାଇ ଝିଅ ଆରିଫା ବେଗମଙ୍କୁ ଚୁକ୍ତିବଦ୍ଧ କରିଥିବା ‌ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe